ମେଳାରୁ ପାଇଥିବା ଦେଢ଼ଲକ୍ଷ ଟଙ୍କାର ସୁନାହାର ଫେରାଇଲେ

କେନ୍ଦ୍ରାପଡ଼ା ଅଫିସ, ୩୧ା୩: ମଣିଷ ଭଲ କାମ କଲେ ପ୍ରଶଂସା ମିଳେ। ସବୁଠି ତାଙ୍କ ଉଦାରପଣିଆକୁ ନେଇ ଚର୍ଚ୍ଚା ହୁଏ। ସେମିତି ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡ଼ା ସହର ବଡ଼ହାଟର ଗୌତମ ସାହୁ। ମେଳାରୁ ପାଇଥିବା ପ୍ରାୟ ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ସୁନାହାର ସେ ଜଣେ ମହିଳାଙ୍କୁ ଫେରାଇ ଏବେ ସାମାଜିକ ଗଣମାଧ୍ୟମର ହିରୋ ସାଜିଛନ୍ତି। ତାଙ୍କର ଏହି ସାଧୁତା ଓ ଉଦାରପଣିଆକୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସା କରାଯାଇଛି।

ସମ୍ପୂର୍ଣ୍ଣ ଘଟଣାଟି ଥିଲା ଏପରି, ମଙ୍ଗଳବାର ରାତିରୁ କେନ୍ଦ୍ରାପଡ଼ା ଓ ଯାଜପୁର ସୀମାନ୍ତ ଇନ୍ଦୁପୁର ଘାଟରେ ବାରୁଣୀ ମେଳା ଆରମ୍ଭ ହୋଇଛି। ଏହି ମେଳାରେ ସ୍ନାନ କରିବାକୁ ବିଭିନ୍ନ ଜିଲାରୁ ଶ୍ରଦ୍ଧାଳୁମାନେ ଆସିଥିଲେ। ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳର ସନ୍ଧ୍ୟାରାଣୀ ନାୟକ ବି ମେଳା ଅବସରରେ ବାପଘର ଇନ୍ଦୁପୁର ନିକଟସ୍ଥ ହନୁମନ୍ତପାଳରେ ପହଞ୍ଚତ୍ ଥିଲେ। ବାରୁଣୀ ସ୍ନାନ ପରେ ସେ କିଛି ସମୟ ମେଳାର ମଜା ଉଠାଇଥିଲେ। ପରିବାର ଲୋକଙ୍କ ସହ ସେ ମେଳାରେ ବୁଲି ଥିଲେ। ହେଲେ ସେହି ଭିଡ଼ ଭିତରେ ସନ୍ଧ୍ୟାରାଣୀ ପିନ୍ଧିଥିବା ସୁନାହାରଟି କୌଣସି କାରଣରୁ ଛିଡ଼ି ତଳେ ପଡିଯାଇଥିଲା। ହେଲେ ସେଥିପ୍ରତି ତାଙ୍କର ନଜର ନ ଥିଲା। ମେଳାରୁ ଘରକୁ ଫେରିବା ପରେ ସନ୍ଧ୍ୟାରାଣୀ ତାଙ୍କ ଗଳାରେ ହାର ନ ଥିବା ଦେଖି ଦୁଃଖରେ ଭାଙ୍ଗି ପଡିଥିଲେ। ଏତେ ଭିଡ଼ରୁ ସେ ହଜାଇଥିବା ହାର ଆଉ ଫେରି ପାଇବେ ସେ ଆଶା ଛାଡ଼ି ଦେଇଥିଲେ। ଗୌତମ ଜଣେ ସାମାଜିକ କର୍ମୀ। ସେ ମଧ୍ୟ ମେଳାରେ ନିଜର ସେବା କାର୍ଯ୍ୟରେ ବ୍ୟସ୍ତ ଥିଲେ। ତାଙ୍କ ଆଖିରେ ପଡିଥିଲା ଧୂଳିରେ ପୋତି ହୋଇପଡୁଥିବା ଏକ ସୁନାହାର ଉପରେ। ସେହି ହାରକୁ ସେ ଉଠାଇ ଆଣି ସ୍ଥାନୀୟ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରାଙ୍କୁ ଦେଇଥିଲେ। ପ୍ରାୟ ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ହାର ପ୍ରତି ତାଙ୍କର ତିଳେ ମାତ୍ର ଲୋଭ ନ ଥିଲା। ବରଂ ଯେଉଁ ମହିଳାଙ୍କ ହାର ହଜିଥିବ ତାଙ୍କର ମାନସିକ ଅବସ୍ଥା କ’ଣ ଥିବ ସେ କଥା ଗୌତମ ଚିନ୍ତା କରିଥିଲେ। ଏହାପରେ ଯେତେଶୀଘ୍ର ସେହି ମହିଳାଙ୍କୁ ହାର ଫେରାଇ ହେବ ସେଥିପାଇଁ ବ୍ୟବସ୍ଥା କରିଥିଲେ। ଏଥିରେ ତାଙ୍କୁ ସାହାର୍ଯ୍ୟ କରିଥିଲେ ଏସ୍‌ଡିପିଓ ବେଉରା। ସେ ଉପଯୁକ୍ତ ପ୍ରମାଣ ସଂଗ୍ରହ କରିବା ପରେ ସନ୍ଧ୍ୟାରାଣୀଙ୍କୁ ସେହି ହାର ଫେରାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଗୌତମଙ୍କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି।