ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ ପ୍ରାୟ ୧୦ ଦୋକାନ ଜଳିଯାଇଥିବା ବେଳେ ସେଥିମଧ୍ୟରୁ ୩ଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।
ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୩ଟା ବେଳେ ଏକ ଜଳଖିଆ ଦୋକାନରେ ରନ୍ଧାକାର୍ଯ୍ୟ ଚାଲିଥିଲା। ତେଲ କଡ଼େଇ ଗରମ ହୋଇଛି କି ନାହିଁ ପରଖିବା ପାଇଁ ମିସ୍ତ୍ରୀ ସେଥିରେ ପାଣି ମାରିଦେବାରୁ ହଠାତ ନିଆଁ ଉଠି ଗ୍ୟାସ ଟାଙ୍କିକୁ ବ୍ୟାପିଥିଲା। ଫଳରେ ଗ୍ୟାସ ଟାଙ୍କିଟି ଭୟଙ୍କର ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ଦେଖୁ ଦେଖୁ ନିଆଁ ପାଖରେ ଥିବା ପୂଜା ସାମଗ୍ରୀ ଦୋକାନ ଓ ଲୁଗା ଦୋକାନକୁ ମାଡ଼ି ଯାଇଥିଲା। ପୂଜା ସାମଗ୍ରୀ ଦୋକାନରେ ଥିବା ତେଲ ଓ ଘିଅ ଯୋଗୁ ନିଆଁ ଅଧିକ ଭୟଙ୍କର ରୂପ ଧାରଣ କରିଥିଲା।
ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା। ବନ୍ତଳା, ଅନୁଗୋଳ (୨ଟି), ବଅଁରପାଳ ଏବଂ ଜିନ୍ଦଲ କାରଖାନାରୁ ମୋଟ ୫ଟି ଦମକଳ ଗାଡ଼ି ଓ ୨୫ ଜଣ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ। ପ୍ରଥମେ ଜଳର ଅଭାବ ଦେଖାଦେଇଥିଲେ ହେଁ ପରେ ନିକଟସ୍ଥ ମତ୍ସ୍ୟ ବିଭାଗ ପୋଖରୀରୁ ପାଣି ଅଣାଯାଇଥିଲା। ଓଆଇସି ଭାବଗ୍ରାହୀ ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରାଯାଇଥିଲା।
ଏହି ଅଗ୍ନିକାଣ୍ଡରେ ଜଳଖିଆ, ପୂଜା ସାମଗ୍ରୀ ଓ ଲୁଗା ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ୨ଟି ମୋବାଇଲ ଓ ୨ଟି ଫଳ ଦୋକାନର ବ୍ୟାପକ କ୍ଷତି ହୋଇଛି। ଜନବହୁଳ ଛକ ହୋଇଥିବାରୁ କଟକ-ସମ୍ବଲପୁର ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହି ଟ୍ରାଫିକ ସମସ୍ୟା ଉପୁଜିଥିଲା।
ଅନୁଗୋଳ ଏସ୍ଡିପିଓ, ତହସିଲଦାର ଏବଂ ବିଭିନ୍ନ ଅଞ୍ଚଳର ରାଜସ୍ବ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ବିଧାନସଭା ଛାଡ଼ି ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆସି କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ସମବେଦନା ଜଣାଇବା ସହ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି।

