ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍(ଏଲ୍ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍ପିଜି ପାଇବା ପାଇଁ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ଆଶ୍ୱସ୍ତ କରାଗଲେ ମଧ୍ୟ ବାସ୍ତବକ୍ଷେତ୍ରରେ ଗ୍ୟାସ୍ ଅଭାବ ଲାଗି ରହିଛି। ତେଣୁ ଲୋକେ ଏବେ ଏହାର ବିକଳ୍ପ ଭାବେ ବିଦ୍ୟୁତ୍ ଚୁଲା(ଇଣ୍ଡକ୍ସନ) ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏଥିଯୋଗୁ ବିଦ୍ୟୁତ୍ ଚାହିଦା ଦିନକୁ ଦିନ ବଢ଼ି ଚାଲିଛି; ଯେଉଁଥିପାଇଁ ଦୁଇମାସରେ ୩୭୮.୭୮ ମିଲିୟନ ୟୁନିଟ୍(ଏମ୍ୟୁ) ଚାହିଦା ବଢ଼ିଛି ବୋଲି ଶକ୍ତି ବିଭାଗ ଆକଳନରୁ ଜଣାଯାଇଛି।
ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୫ ଫେବୃଆରୀରେ ରାଜ୍ୟରେ ୨୯୯୮.୨୪ ଏମ୍ୟୁ ବିଦ୍ୟୁତ୍ ବ୍ୟବହାର ହୋଇଥିଲା। ମାତ୍ର ଏହା ୨୦୨୬ ଫେବୃୟାରୀରେ ୨୩୧.୮୫ ଏମ୍ୟୁ ବୃଦ୍ଧି ପାଇ ୩୨୩୦.୦୮ ଏମ୍ୟୁରେ ପହଞ୍ଚିଛି। ସେହିପରି ୨୦୨୫ ମାର୍ଚ୍ଚରେ ରାଜ୍ୟରେ ୩୬୩୩.୫୧ ଏମ୍ୟୁ ବିଦ୍ୟୁତ୍ ବ୍ୟବହାର ହୋଇଥିଲା। ମାତ୍ର ୨୦୨୬ ମାର୍ଚ୍ଚରେ ଏହା ୧୪୬.୯୪ ଏମ୍ୟୁ ବୃଦ୍ଧି ପାଇ ୩୭୮୦.୪୫ ଏମ୍ୟୁରେ ପହଞ୍ଚିଛି; ଯାହାକି ଦୁଇମାସରେ ୩୭୮.୭୮ ଏମ୍ୟୁ ବଢ଼ିଛି। ଏହାକୁ ଦୃଷ୍ଟିରେ ବିଭାଗ ପକ୍ଷରୁ ଶକ୍ତି ଉତ୍ପାଦନ ବୃଦ୍ଧି କରିବା ଲାଗି ଏହାର ଭିତ୍ତିଭୂମି ସୁଦୃଢ଼କୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ବିଭାଗର ବରିଷ୍ଠ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଅନ୍ତାଠାରେ ୩ଟି ନୂତନ ଗ୍ରୀଡ୍ ସବ୍ଷ୍ଟେଶନ ଓ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିଶନ ଲାଇନ୍ ଉଦ୍ଘାଟନ କରି କହିଛନ୍ତି, ଭୁବନେଶ୍ୱରର ବିଦ୍ୟୁତ୍ ଶକ୍ତି ଚାହିଦା ଆଗାମୀ ଦିନରେ ଦୁଇଗୁଣା ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ସେଠାରେ ବିଦ୍ୟୁତ୍ ଭିତ୍ତିଭୂମି ଅଧିକ ସୁଦୃଢ଼ କରାଯିବ। ରାଜଧାନୀ ପାଇଁ ୭୬୫ କେ.ଭି. ଟ୍ରାନ୍ସମିଶନ ବ୍ୟବସ୍ଥାର ବିକାଶ କରିବା ଲାଗି ସରକାରଙ୍କ ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ୧୦ତାରିଖରେ ରାଜ୍ୟ କ୍ୟାବିନେଟ୍ କେନ୍ଦୁଝର ବାସୁଦେବପୁରରେ ୧୬୪୭ କୋଟିର ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛି।

