ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ ନିର୍ବାଚନ ୧୯୫୧ ମସିହାରେ ଅନୁଷ୍ଠିତ ହୁଏ। ଓଡ଼ିଶାର ସେତେବେଳର ୧୬ଟି ଲୋକ ସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ-ପଶ୍ଚିମ କଟକ ଲୋକ ସଭାରୁ ସୋସିଆଲିଷ୍ଟ ପାର୍ଟି ଟିକେଟରେ ନିର୍ବାଚିତ ହୁଅନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସ। ୧୮୮୬ ମସିହାରେ ଢେଙ୍କାନାଳ ସଦର ବ୍ଲକର ଏକ ନିପଟ ମଫସଲ ଗ୍ରାମ ହରେକୃଷ୍ଣପୁରରେ ସେ ଜନ୍ମଗ୍ରହଣ କରନ୍ତି। ସେତେବେଳକୁ ଓଡ଼ିଶାର ଗଡଜାତ ଅଞ୍ଚଳ ଶିକ୍ଷା ଓ ସମୃଦ୍ଧି କ୍ଷେତ୍ରରେ ବହୁ ଅନୁନ୍ନତ ଥିଲା। ରାଜତନ୍ତ୍ରର ସ୍ବେଚ୍ଛାଚାରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା। ଏହିଭଳି ପ୍ରତିକୂଳ ପରିସ୍ଥିତିରେ ପିଲାଟିଦିନୁ ଅତ୍ୟନ୍ତ ମେଧାବୀ ଥିବା ସାରଙ୍ଗଧର ରେଭେନ୍‌ଶା ମହାବିଦ୍ୟାଳୟରୁ ଶିକ୍ଷା ଶେଷ କରି ସୁଦୂର ଜାପାନର ଟୋକିଓ ଓ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶିକ୍ଷାଲାଭ କରି ଚିନି ଶିଳ୍ପ ଉପରେ ଗବେଷଣା କରିଥିଲେ। କାଲିଫର୍ନିଆରେ ୧୧ ବର୍ଷ ରହଣି ଭିତରେ ଉଚ୍ଚ ବେତନରେ ଚାକିରି ମଧ୍ୟ କରିଥିଲେ। ସେ ବିଦେଶରେ ଥିବାବେଳେ ଜଣେ ବିଦେଶିନୀ ମହିଳା ଫ୍ରୀଡାଙ୍କୁ ପ୍ରେମ ବିବାହ କରିଥିଲେ।
ତାଙ୍କର ଲକ୍ଷ୍ୟ ଥିଲା ଓଡ଼ିଶା ମାଟିକୁ ଆସି ଏକ ଚିନି ଶିଳ୍ପ ସ୍ଥାପନ କରି ଓଡ଼ିଶାର କୃଷକ ସମାଜକୁ ସ୍ବାବଲମ୍ବୀ କରିବା, କିନ୍ତୁ ତାଙ୍କର ଲକ୍ଷ୍ୟ ପୂରଣ ହେବାରେ ଢେଙ୍କାନାଳର ରାଜତନ୍ତ୍ର ବିରାଟ ପ୍ରତିବନ୍ଧକ ସାଜିଥିଲା। ଢେଙ୍କାନାଳ ଭୁବନ ଅଞ୍ଚଳର ଡମଶାଳ ଅଞ୍ଚଳରେ ଜମି ଲିଜ୍‌ ନେଇ ସେ ପ୍ରଥମେ ଆଖୁଚାଷ ଆରମ୍ଭ କରିଥିଲେ। ସେହି ଅଞ୍ଚଳରେ ଏକ ଚିନି ଶିଳ୍ପ ପାଇଁ ଯୋଜନା କରି ଜାପାନରୁ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ଆମଦାନୀ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଢେଙ୍କାନାଳ ରାଜ ପରିବାରର ରୋଷର ଶିକାର ହେବା ପରେ ଚିନି ଶିଳ୍ପର ପରିକଳ୍ପନା ସାକାର ହୋଇପାରିଲା ନାହିଁ। ଆଖୁଚାଷ ପାଇଁ ଯେଉଁ ଜାଗା ଲିଜ୍‌ ସୂତ୍ରରେ ମିଳିଥିଲା ତାହା ତତ୍କାଳୀନ ରାଜାଙ୍କ ଦ୍ୱାରା ବାତିଲ କରିଦିଆଗଲା। ବିଦେଶରେ ଚାକିରି କରୁଥିବା ବେଳେ ସାରଙ୍ଗଧର ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ଭାରତବର୍ଷର ସ୍ବାଧୀନତା ସଂଗ୍ରାମରେ ଝାସ ଦେବାକୁ ମନ ସ୍ଥିର କରିଥିଲେ।
ସମ୍ଭବତଃ ସେହି କାରଣରୁ ସାରଙ୍ଗଧର ଢେଙ୍କାନାଳ ରାଜ ପରିବାରର ରୋଷର ଶିକାର ହୋଇଥିଲେ। ଭାରତବର୍ଷର ସ୍ବାଧୀନତା ସଂଗ୍ରାମ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଇଂରେଜ ଶାସନ ହଟାଇବାକୁ ଚାଲିଥିବା ବେଳେ ଓଡ଼ିଶାରେ ୨୬ଟି ଗଡ଼ଜାତ ଅଞ୍ଚଳରୁ ସ୍ବେଚ୍ଛାଚାରୀ ରାଜତନ୍ତ୍ରକୁ ହଟାଇବା ପାଇଁ ପ୍ରଜାମଣ୍ଡଳ ଆନ୍ଦୋଳନର ପ୍ରଚେଷ୍ଟା ସାରଙ୍ଗଧରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ସର୍ବଭାରତୀୟ ଗଡ଼ଜାତ ଆନ୍ଦୋଳନରେ ଜବାହରଲାଲ ନେହରୁଙ୍କ ନିର୍ଦ୍ଦେଶରେ ଭାରତବର୍ଷର ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପାଇଁ ହୋଇଥିବା କମିଟିର ସଭାପତି ଭାବେ ସିତାଭି ପଟ୍ଟାରାମେୟ ଓ ସମ୍ପାଦକ ଭାବେ ସାରଙ୍ଗଧର ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଭାରତବର୍ଷର ସ୍ବାଧୀନତା ପ୍ରାପ୍ତି ପରେ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଘଟି ଏକ ବୃହତ୍ତର ଓଡ଼ିଶାର ଉଦୟରେ ସାରଙ୍ଗଧରଙ୍କ ମୁଖ୍ୟ ଭୂମିକା ଥିଲା।
ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇ ସାରଙ୍ଗଧରଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ଦୁର୍ବିଷହ ହୋଇ ପଡ଼ିଥିଲା। ରାଜତନ୍ତ୍ରର ପ୍ରରୋଚନାରେ ସାରଙ୍ଗଧରଙ୍କ ବିଦେଶୀ ପତ୍ନୀଙ୍କ ପାଇଁ ସେ ସାମାଜିକ ବାସନ୍ଦର ଶିକାର ହୋଇଥିଲେ। ପରେ ବିଦେଶୀ ପତ୍ନୀ ଫ୍ରୀଡା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ରାଜ ରୋଷର ଶିକାର ହୋଇ ସାରଙ୍ଗଧରଙ୍କ ଆଖୁ କ୍ଷେତ ଓ ଚିନି କାରଖାନା ସବୁ ଉଜୁଡ଼ି ଯାଇଥିଲା। ଶେଷରେ ସେ ନିଜର ଘରଦ୍ୱାର, ଜମିବାଡ଼ି ସର୍ବସ୍ବ ହରାଇ ଥିଲେ। କୋଟ୍‌, ପ୍ୟାଣ୍ଟ, ଟାଇ ଓ ବୁଟ୍‌ ପିନ୍ଧା ମଣିଷଟି ମୋଟା ଖଦଡ଼ ଲୁଗା ଓ ଗେରୁଆ ଗାମୁଛାକୁ ଆଦରି ନେଇଥିଲେ। ଭାରତବର୍ଷର ସ୍ବାଧୀନତା ପ୍ରାପ୍ତି ପରେ ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ ରୂପେ ସେ ମନୋନୀତ ହୋଇଥିଲେ। ୧୯୫୧ରେ ସୋସିଆଲିଷ୍ଟ ପାର୍ଟି ଟିକେଟରେ ଢେଙ୍କାନାଳ-ପଶ୍ଚିମ କଟକ ଲୋକ ସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ନିର୍ବାଚନରେ ବିଜୟ ଲାଭ କରି ଢେଙ୍କାନାଳର ପ୍ରଥମ ସାଂସଦ ରୂପେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ ସାଂସଦ ରୂପେ ଲୋକ ସଭାରେ ଚିନି ଶିଳ୍ପ ଉପରେ ଦେଇଥିବା ଅଭିଭାଷଣ ଆଜି ମଧ୍ୟ ଅନାଲୋଚିତ ହୋଇରହିଛି। ୧୯୫୭ରେ ସାରଙ୍ଗଧର ଅସୁସ୍ଥ ହୋଇ ପଡ଼ିଥିଲେ। ସେହି ସମୟରେ ତାଙ୍କର ବିଦେଶୀ ପତ୍ନୀ ଫ୍ରୀଡା ତାଙ୍କୁ ଦେଖିବାକୁ ଆସିଥିଲେ। ସାରଙ୍ଗଧରଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ସମସ୍ତ ସମ୍ପତ୍ତି ୧୩୬ ଏକର ଜମିକୁ ଦୁଇଟି ଟ୍ରଷ୍ଟ ଗଠନ କରି ଦାନକରି ଦେଇଥିଲେ। ଢେଙ୍କାନାଳ ଜିଲାପାଳଙ୍କୁ ସେଥିରେ ଟ୍ରଷ୍ଟି ରୂପେ ମନୋନୀତ କରି ଯାଇଥିଲେ। ଏହି ଜମିରୁ ଆୟକୁ ଶିଶୁ ଏବଂ ମହିଳାମାନଙ୍କ ବିକାଶ ଓ ଶିକ୍ଷାର ଉନ୍ନତି ପାଇଁ ଖର୍ଚ୍ଚ କରିବା ଲାଗି ଏକ ଉଇଲକରି ଯାଇଛନ୍ତି।
ସାରଙ୍ଗଧରଙ୍କ ପତ୍ନୀ ଫ୍ରୀଡା ବିଦେଶରେ ଥିବା ବେଳେ ସାରଙ୍ଗଧରଙ୍କୁ ନେଇ ଦୁଇଟି ଉପନ୍ୟାସ ଇଂରାଜୀ ଭାଷାରେ ରଚନା କରିଥିଲେ। ସେଥିରୁ ଗୋଟିଏ ହେଲା “My marriage to India” ଆଉ ଗୋଟିଏ ହେଲା “My Hindu Husband”। ତା’ ମଧ୍ୟରୁ ପ୍ରଥମ ପୁସ୍ତକଟି ଶରତ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦ ହୋଇ ‘ପରିଣୟ’ ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି। ସେ ପୁସ୍ତକରେ ଅତି ଆବେଗମୟ ଭାଷାରେ ଫ୍ରୀଡା ଲେଖିଛନ୍ତି। ଏହି ପୁସ୍ତକଟି ମୋର ବିଧାୟକ କାର୍ଯ୍ୟକାଳ ଭିତରେ ୨୦୦୩ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସାରଙ୍ଗଧରଙ୍କ ଜୀବନୀ ଉପରେ ଆଉ ଏକ ପୁସ୍ତକ ‘ଗଡ଼ଜାତ ଗାନ୍ଧୀ ସାରଙ୍ଗଧର’ ଢେଙ୍କାନାଳ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ୨୦୧୪ରେ ପ୍ରକାଶିତ ହୋଇଛି।
ଏଠି ଦୁଃଖର ସହ କହିବାକୁ ପଡୁଛି ଯେ ଏହି ମହାନ୍‌ ପୁରୁଷଙ୍କ ପ୍ରତିଭା ଆଜି ବି ଲୁକ୍କାୟିତ ହୋଇ ରହିଛି। ସାରଙ୍ଗଧରଙ୍କ ପ୍ରତିଭାକୁ ଆଗାମୀ ପିଢ଼ିର ଲୋକଲୋଚନକୁ ଆଣିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଧର୍ମେନ୍ଦ୍ର ବାବୁଙ୍କ ଉଦ୍ୟମରେ ଏକ ସ୍ମାରକୀ ଡାକ ଟିକେଟ ମଧ୍ୟ ପ୍ରକାଶିତ ହୋଇଛି। ଆହୁରି ଅନେକ କାମ ବାକି ଅଛି। ଆଜି ମଧ୍ୟ ସାରଙ୍ଗଧରଙ୍କ ଜନ୍ମ ସ୍ଥାନ ହରେକୃଷ୍ଣପୁରରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସାରଙ୍ଗଧର ସେବା ପରିଷଦ’ ଦ୍ୱାରା ତାଙ୍କ ଶ୍ରାଦ୍ଧ ଦିବସ ପାଳନ ହେବା ବ୍ୟତୀତ ରାଜ୍ୟ କିମ୍ବା ଜିଲା ସ୍ତରରେ ପାଳନ ହୁଏ ନାହିଁ। ସାରଙ୍ଗଧରଙ୍କ ଭଳି ଏକ ଯୋଗଜନ୍ମା ପୁରୁଷଙ୍କ ପ୍ରତିଭାର ପ୍ରଚାର ଓ ପ୍ରସାର ଅତ୍ୟନ୍ତ ଜରୁରୀ। ଆଶା କରିବି ଓଡ଼ିଶାର ନୂଆ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେବେ।

ନବୀନ ନନ୍ଦ
ପୂର୍ବତନ ବିଧାୟକ, ଗନ୍ଦିଆ ଓ ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri