ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର ସହ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସଂଘ ଗଞ୍ଜାମ ଜିଲା ସଭାପତି ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଡ. ପାଣିଗ୍ରାହୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିନେ ସରପଞ୍ଚ ଥିଲେ ଏବଂ ସେହି ପଦବୀରୁ ଆସି ଆଜି ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ୨୦୧୮ ମସିହାରେ ସରପଞ୍ଚ ମହାସଂଘ ଗଠନ ହେବା ପରଠାରୁ ସଂଘର କିଛି ଦାବି ପୂରଣ ହୋଇଛି ଏବଂ ଆଗାମୀ ଦିନରେ ଅବଶିଷ୍ଟ ଦାବିଗୁଡ଼ିକ ମଧ୍ୟ ପୂରଣ ହେବ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ନିଜର ରୋଚକ ବକ୍ତବ୍ୟରେ କହିଥିଲେ ଯେ, ଜୀବଦ୍ଦଶା ମଧ୍ୟରେ ସୁଯୋଗ ମିଳିଲେ ସେ ଥରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ିବାକୁ ଚାହାଁନ୍ତି। ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶରେ ସରପଞ୍ଚମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିବା ସହ ସେ ସରପଞ୍ଚମାନଙ୍କୁ ନିଜ ନିଜ ଦାୟିତ୍ୱବୋଧ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।
ଏହି ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲା ତିଖିରୀ ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା, ସରପଞ୍ଚ ସଂଘ ରାଜ୍ୟ ସଭାପତି ରୋମାଞ୍ଚ ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ଦକ୍ଷିଣାଞ୍ଚଳ ସରପଞ୍ଚ ସଂଘ ସଭାପତି ଭବାନୀ ଶଙ୍କର ମଲ୍ଲିକ, ଗଞ୍ଜାମ ଜିଲା କାର୍ଯ୍ୟକାରୀ ସଭାନେତ୍ରୀ କ୍ରାନ୍ତି କୁମାରୀ ଦେବୀ, ମୟୂରଭଞ୍ଜ ଜିଲା ସଭାପତି ଖଗେଶ୍ୱର ସିଂ, ଭଦ୍ରକ ଜିଲା ସଭାପତି ନିରଦ ଚନ୍ଦ୍ର ରାଉତ, ଗଜପତି ଜିଲା ସଭାନେତ୍ରୀ ସଂଘମିତ୍ରା ଶବର, ଢେଙ୍କାନାଳ ଜିଲା ସଭାପତି ଜିତେନ୍ଦ୍ର ବେହେରା, ଜିଲା ସମ୍ପାଦକ ରଞ୍ଜନ କୁମାର ସାହୁ, କୋଷାଧ୍ୟକ୍ଷ ନିଳାଞ୍ଚଳ ଗୌଡ଼ ଏବଂ ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକ ଗୁରୁ ତଥା ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କ ସମେତ ରାଜ୍ୟ ଓ ବିଭିନ୍ନ ଜିଲାର ବହୁ ସରପଞ୍ଚ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ସଂଘ ପକ୍ଷରୁ ବିଶେଷ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ସରପଞ୍ଚମାନଙ୍କ ଅଧିକାରର ସୁରକ୍ଷା, ଧାନ ବିକ୍ରି ପଞ୍ଜୀକରଣରେ ଚାଷୀଙ୍କ ସମସ୍ୟାର ସମାଧାନ, ସରପଞ୍ଚଙ୍କୁ ମାସିକ ପେନସନ ବ୍ୟବସ୍ଥା, ବିଭିନ୍ନ ଭତ୍ତାର ବକେୟା ପ୍ରଦାନ, ଅନାସ୍ଥା ପ୍ରସ୍ତାବ ପୂର୍ବରୁ ନିରପେକ୍ଷ ତଦନ୍ତ ଏବଂ ଦାଦନ ଶ୍ରମିକ ସମସ୍ୟାର ସ୍ଥାୟୀ ସମାଧାନ ଭଳି ୯ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସାଂସଦଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। କାହ୍ନୁଚରଣ ରାଉତ ଓ ଶିବାନୀ ମୁନ୍ଦ୍ରା ମଞ୍ଚ ପରିଚାଳନା କରିଥିବା ବେଳେ ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ସଭାପତି ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ।

