ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ) : ଆସନ୍ତା ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବା ନେଇ ଆଶଙ୍କା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ରବିବାର ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ଆଜି ସଂନ୍ଧ୍ୟାରେ ଉପଖଣ୍ଡର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆବଶ୍ୟକ ପ୍ରସ୍ତୁତିର ତଦାରଖ କରିଥିଲେ । ଏହାପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉପଖଣ୍ଡର ସମସ୍ତ ବିଡିଓ ଏବଂ ତହସିଲଦାରଙ୍କ ସହ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଗର୍ଭବତୀ ମହିଳାମାନଙ୍କୁ ଆଗୁଆ ମେଡିକାଲକୁ ନେଇ ଆସିବା ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ବିଡିଓ ଭାରତୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ଭାବ୍ୟ ବାତ୍ୟା ସମୟରେ ଏବଂ ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ କିଭଳି ଆବଶ୍ୟକ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା ହୋଇଥିଲା। ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ତହସିଲଦାର ଅଭିପ୍ସା ପଟ୍ଟନାୟକ, ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ଡହ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପି. ଭେଙ୍କଟେଶ, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥ, ସିଡିପିଓଙ୍କ ଅନୁପସ୍ଥିତିରେ ସୁପରଭାଇଜର, ଟାଟା ପାୱାର, ଅଗ୍ନିଶମ ବାହିନୀ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

