ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୮ ତାରିଖ ରାତିରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। କେତେକ ପରିବାର ବନ୍ୟାରେ ନିଜର ସର୍ବସ୍ୱ ହରାଇ ଅସହାୟ ହୋଇପଡ଼ିଥିବା ବେଳେ ଅନ୍ୟ କେତେକ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏଭଳି ଦୁର୍ଦ୍ଦିନରେ ବନ୍ୟା ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏବେ ବିଭିନ୍ନ ଆଗାମୀ ପରୀକ୍ଷାର ଫର୍ମ ପୂରଣ ଫି’ ଜମା କରିବା ଚିନ୍ତା ଘାରିଛି।
ସୂଚନା ଅନୁଯାୟୀ, ବର୍ତ୍ତମାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଯୁକ୍ତ ୩ (+3) ପଞ୍ଚମ ସେମିଷ୍ଟର ପରୀକ୍ଷା ପାଇଁ ଫର୍ମ ପୂରଣ ପ୍ରକ୍ରିୟା ଚାଲିଛି, ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ କଲେଜରେ ଆବଶ୍ୟକୀୟ ଅର୍ଥ ଜମା କରୁଛନ୍ତି। ସେହିପରି ଯୁକ୍ତ ୨ (+2) ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ଫର୍ମ ପୂରଣ ବାବଦକୁ ନିର୍ଦ୍ଧାରିତ ଫି’ ପ୍ରଦାନ କରୁଛନ୍ତି।ଏଭଳି ଏକ ଅପ୍ରତ୍ୟାଶିତ ବିପତ୍ତି ସମୟରେ ବନ୍ୟା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫର୍ମ ପୂରଣ ଫି’ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରୁ ଦୃଢ଼ ଦାବି ହୋଇଛି।
ପ୍ରକାଶଯୋଗ୍ୟ ଯେ, ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୨ ଓ ଯୁକ୍ତ ୩ ନାମଲେଖା ଫି’ ସମେତ ୟୁଜି (UG) ରୁ ପିଜି (PG) ପର୍ଯ୍ୟନ୍ତ ନାମଲେଖା ଅର୍ଥ ରାଜ୍ୟ ସରକାର ଛାଡ଼ କରିଥିଲେ। ତେବେ ଏତେ ବଡ଼ ବନ୍ୟା ବିପତ୍ତି ସତ୍ତ୍ୱେ ପରୀକ୍ଷା ଫର୍ମ ପୂରଣ ଫି’ ଛାଡ଼ ନେଇ ସରକାରଙ୍କ ତରଫରୁ କୌଣସି ଘୋଷଣା ହୋଇନଥିବାରୁ ଛାତ୍ରସମାଜ ମଧ୍ୟରେ ଅସନ୍ତୋଷ ତ୍ରୀବ୍ର ହେବାରେ ଲାଗିଛି। ଯଦି ପ୍ରଶାସନ ଓ ସରକାର ତୁରନ୍ତ ଏହି ଫି’ ଛାଡ଼ ନିଷ୍ପତ୍ତି ନନିଅନ୍ତି, ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।