ଗଞ୍ଜାମ ବନ୍ୟା ବିପର୍ଯ୍ୟୟ: ଜଳସମ୍ପଦ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ, ବଦଳିଲେ ଭଞ୍ଜନଗର ଅଧୀକ୍ଷଣ ଯନ୍ତ୍ରୀ

ଭଞ୍ଜନଗର,୧୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ଘଟିଥିବା ଭୟାବହ ବନ୍ୟାକୁ ନେଇ ଜଳସମ୍ପଦ ବିଭାଗର କାର୍ଯ୍ୟଧାରା ଏବେ ପ୍ରଶ୍ନଘେରରେ। ବିଭାଗୀୟ ଯନ୍ତ୍ରୀମାନଙ୍କ ମଧ୍ୟରେ ସମନ୍ବୟ ଅଭାବ ଏବଂ ଜଳଭଣ୍ଡାରରୁ ଜଳ ନିଷ୍କାସନରେ ଅବହେଳା ଯୋଗୁ ଏତେ ବଡ଼ ବିପର୍ଯ୍ୟୟ ଘଟିଥିବା ଅଭିଯୋଗ ଦିନକୁ ଦିନ ଚର୍ଚ୍ଚା ଜୋର୍‌ ଧରୁଛି। ଏହାରି ମଧ୍ୟରେ ଶୁକ୍ରବାର ରାତିରେ ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନଙ୍କୁ ଭୁବନେଶ୍ୱରକୁ ବଦଳି କରାଯାଇଛି।

ଶନିବାର ବ୍ରହ୍ମପୁରରେ କାର୍ଯ୍ୟରତ ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ସାହୁ ଭଞ୍ଜନଗର ଆସି ସଞ୍ଜୟ ପ୍ରଧାନଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଷ୍ଣୁ ଭଞ୍ଜନଗର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ।

ଅନ୍ୟପକ୍ଷରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ବିଭାଗ ଅଧୀନରେ ଥିବା ଅନେକ ନଦୀବନ୍ଧ ଓ କେନାଲ ଏବେ ବି ଅସୁରକ୍ଷିତ ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ଗତ ୯ ଓ ୧୦ ତାରିଖରେ ଚାଷ କାର୍ଯ୍ୟ ପାଇଁ ଭଞ୍ଜନଗର ଅଞ୍ଚଳର ବିଭିନ୍ନ କେନାଲରେ ପାଣି ଛଡ଼ାଯାଇଥିଲା। କିନ୍ତୁ କେନାଲଗୁଡ଼ିକର ଆବଶ୍ୟକୀୟ ମରାମତି ହୋଇ ନ ଥିବାରୁ ପାଣି ଉପରମୁଣ୍ଡରୁ ତଳକୁ ପ୍ରବାହିତ ହୋଇ ଚାଷୀଙ୍କ ଜମିକୁ ପୁଣି କ୍ଷତିଗ୍ରସ୍ତ କରିଥିଲା। ଏହି ଘଟଣା ଅଧୀକ୍ଷଣ ଯନ୍ତ୍ରୀଙ୍କ ନଜରକୁ ଆସିବା ପରେ ସେ ଜଣେ ଯନ୍ତ୍ରୀ ଓ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କେନାଲ ମରାମତି ନକରି କାହିଁକି ପାଣି ଛଡ଼ାଗଲା, ସେନେଇ କୈଫିୟତ ତଲବ କରିଥିଲେ। ତେବେ ଏହାର ଉତ୍ତର ମିଳିବା ପୂର୍ବରୁ ଅଧୀକ୍ଷଣ ଯନ୍ତ୍ରୀଙ୍କ ବଦଳି ହୋଇଯାଇଛି।

ସେପଟେ ଗଞ୍ଜାମ ବନ୍ୟାକୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ମଧ୍ୟ ତୀବ୍ର ହୋଇଛି। ଶାସକ ଓ ବିରୋଧୀ ଦଳ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ପୂର୍ବତନ ଓ ବର୍ତ୍ତମାନର ପ୍ରଶାସନିକ ଅଧିକାରୀଙ୍କ ବୟାନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଆଗାମୀ ବିଧାନସଭା ଅଧିବେଶନରେ ଗଞ୍ଜାମ ବନ୍ୟା ପ୍ରସଙ୍ଗ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଭଞ୍ଜନଗର, ଡହ, ସୋରଡ଼ା ଓ ବାଘୁଆ ଜଳଭଣ୍ଡାରରୁ ବନ୍ୟା ସମୟରେ ଏବଂ ତା’ ପୂର୍ବରୁ ଜଳ ନିଷ୍କାସନ ପାଇଁ ଯେଉଁ ନିର୍ଦ୍ଧାରିତ ମାନଦଣ୍ଡ ଅନୁସରଣ କରାଯିବା କଥା, ତାହା ପାଳନ କରାଯାଇ ନ ଥିବା ବିରୋଧୀ ଅଭିଯୋଗ କରିଛନ୍ତି। ୨୦୧୩ରେ ଫାଇଲିନ ବାତ୍ୟା ଆସିବା ପୂର୍ବରୁ ଡହ ଜଳଭଣ୍ଡାରର ଜଳସ୍ତରକୁ ଅକ୍ଟୋବର ୧୨ ତାରିଖରେ ୫୦ ପ୍ରତିଶତକୁ ହ୍ରାସ କରାଯାଇଥିଲା। ୧୩ ଓ ୧୪ ତାରିଖରେ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଥିଲା ଏବଂ ୧୭ ତାରିଖରେ ଜଳ ନିଷ୍କାସନ କରାଯାଇଥିଲା। କିନ୍ତୁ ଚଳିତ ବନ୍ୟା ପୂର୍ବରୁ ଏଭଳି ମାନଦଣ୍ଡ ପାଳନ କରାଯାଇ ନ ଥିବା ଅଭିଯୋଗ ହୋଇଛି।

ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ଗତ ବନ୍ୟା ସମୟରେ ଡହ ଜଳଭଣ୍ଡାରରୁ ମଧ୍ୟରାତ୍ରିରେ ପାଣି ଛଡ଼ାଯାଇଥିବାବେଳେ ଅକ୍ଟୋବର ୨୯ ତାରିଖରେ ଭଞ୍ଜନଗର ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ତଳେ ଥିବା ସତ୍ତ୍ୱେ ପାଣି ନିଷ୍କାସନ କରାଯାଇଥିଲା। ଡହ ଓ ଭଞ୍ଜନଗର ଜଳଭଣ୍ଡାରରୁ ନିଷ୍କାସିତ ଜଳ ଏକାଠି ହେବା ଫଳରେ ଭଞ୍ଜନଗର ସହର ଓ ଏହାର ଉପକଣ୍ଠ ଅଞ୍ଚଳରେ ବନ୍ୟା ସ୍ଥିତି ଅଧିକ ଭୟାବହ ହୋଇଥିଲା ଏବଂ ଶହଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଦାବି କରାଯାଇଛି।

ସେହିପରି ଡହ, ମାଧବରିଡ଼ା ଓ ଭଞ୍ଜନଗର ଜଳଭଣ୍ଡାରର ଯନ୍ତ୍ରୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନୱୟ ରହି ଜଳ ନିଷ୍କାସନ କରାଯାଇଥିଲେ ବନ୍ୟାର ପ୍ରଭାବ କମ ହୋଇପାରିଥାନ୍ତା ବୋଲି ଅଭିଯୋଗ ହେଉଛି। ଏହି ଜଳ ଋଷିକୁଲ୍ୟା ନଦୀରେ ମିଶିଥିବାବେଳେ ସୋରଡ଼ା ଅଞ୍ଚଳରୁ ଆସିଥିବା ଜଳ ମଧ୍ୟ ଋଷିକୁଲ୍ୟାରେ ମିଶିଥିଲା। ଫଳରେ ଆସିକା ଅଞ୍ଚଳରେ ମଧ୍ୟ ଭୟାବହ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ରହିଛି। ଅକ୍ଟୋବର ୨୮ ରାତିରେ ସୋରଡ଼ା ଜଳଭଣ୍ଡାରରେ ୯୨ ପ୍ରତିଶତ ଜଳ ମହଜୁଦ ରଖାଯାଇଥିବାକୁ ମଧ୍ୟ ଜଳ ପରିଚାଳନାର ତ୍ରୁଟି ବୋଲି ପ୍ରଶ୍ନ ଉଠାଯାଉଛି।

ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଭରଣା ସହଜ ନୁହେଁ। ତେବେ ଆଗାମୀ ଦିନରେ ଆଉ ଏକ ବାତ୍ୟା କିମ୍ବା ବଡ଼ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର ପରିଚାଳନା, ନଦୀବନ୍ଧ ଓ କେନାଲ ମରାମତି ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟ ବୃଦ୍ଧି ପାଇଁ ସରକାର ତୁରନ୍ତ ଠୋସ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପଶି ଡାକ୍ତରଙ୍କୁ ଦୁର୍ବ୍ୟବହାର, ସୁରକ୍ଷାକର୍ମୀଙ୍କୁ ମାଡ଼

ଛତ୍ରପୁର,୧୫ା୧୧(ଦିଲ୍ଲୀପ ସାମଲ ): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣଙ୍କୁ ଉଠାଇ…

ଦାରିଙ୍ଗବାଡ଼ିରେ ଏକଲବ୍ୟ ମଡେଲ୍‌ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦାରିଙ୍ଗବାଡି,୧୫ା୧୧(ଅରୁଣ ସାହୁ ):ରବିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ଏକଲବ୍ୟ ମୋଡେଲ ରେସିଡେଣ୍ଟିଆଲ ସ୍କୁଲର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ…

ବାତ୍ଯା ପୂର୍ବରୁ ଆକ୍ସନ୍ ମୋଡରେ ଜିଲାପାଳ, ପୁରୁଷୋତ୍ତମପୁରରେ କଲେ ସ୍ଥିତି ସମୀକ୍ଷା

ପୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ପୁଣି ଛନକା ପଶିଛି । ପୂର୍ବ ବନ୍ୟାର କ୍ଷତ ଏଯାଏ ଶୁଖିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ବାଲିଶଙ୍କରା,୧୫ା୧୧(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ଛଟ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଶଙ୍କରା ଡୁଡୁଙ୍ଗନାଳା…

୬୦ ଦିନ ପାଇଁ ଗୃହବନ୍ଦୀ ୱାଙ୍ଗଚୁକ୍‌! ବାହାରକୁ ଯିବାକୁ ରୋକିଲା ପୋଲିସ

ନୂଆଦିଲ୍ଲୀ,୧୫ା୧୧: ଲଦାଖର ସାମାଜିକ କର୍ମୀ ସୋନମ୍‌ ୱାଙ୍ଗଚୁକ୍‌ଙ୍କୁ ଆସନ୍ତା ୬୦ ଦିନ ପାଇଁ ଗୃହବନ୍ଦୀ କରିଛି ଲଦାଖ ପ୍ରଶାସନ । ଲେହର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଜାରି…

ମାଇକ୍ରୋସଫ୍ଟ ଆଉଟେଜ୍ ଯୋଗୁ କ୍ଷତି ସହିଛନ୍ତି କି? କମ୍ପାନୀ ଦେଉଛି ୧୦୦% ପର୍ଯ୍ୟନ୍ତ କ୍ରେଡିଟ୍, ଜାଣନ୍ତୁ କ୍ଲେମ୍ କରିବାର …

ନୂଆଦିଲ୍ଲୀ,୧୫।୧୧: ପ୍ରାୟ ୩୬ ଘଣ୍ଟା ଧରି ମାଇକ୍ରୋସଫ୍ଟ ସର୍ଭିସ୍ ପ୍ରଭାବିତ ହେବା ପରେ ବର୍ତ୍ତମାନ ସେବାଗୁଡ଼ିକ ସ୍ୱାଭାବିକ ହୋଇଯାଇଛି। ମାଇକ୍ରୋସଫ୍ଟରେ ଦେଖାଯାଇଥିବା ଏକ ବୈଷୟିକ ତ୍ରୁଟି କାରଣରୁ…

ଛତ୍ରପୁର ପୌରପରିଷଦରେ ବଢ଼ୁଛି ଅବ୍ୟବସ୍ଥା! ଉପାଧ୍ୟକ୍ଷ ଓ କାଉନସିଲରଙ୍କ ଅସନ୍ତୋଷ

ଛତ୍ରପୁର,୧୫ା୧୧(ଦିଲ୍ଲୀପି ସାମଲ ): ଛତ୍ରପୁର ପୌରପରିଷଦରେ ଦିନକୁ ଦିନ ପ୍ରଶାସନିକ ଅବ୍ୟବସ୍ଥା ବୃଦ୍ଧି ପାଉଥିବା ବେଳେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ ।…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?