ଛତ୍ରପୁର,୧୫ା୧୧(ଦିଲ୍ଲୀପି ସାମଲ ): ଛତ୍ରପୁର ପୌରପରିଷଦରେ ଦିନକୁ ଦିନ ପ୍ରଶାସନିକ ଅବ୍ୟବସ୍ଥା ବୃଦ୍ଧି ପାଉଥିବା ବେଳେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ । ସହରର ବିଭିନ୍ନ ୱାର୍ଡରେ ଷ୍ଟ୍ରିଟ୍ଲାଇଟ୍ ଅଚଳ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ରାସ୍ତାଘାଟରେ କୁଢ଼ କୁଢ଼ ମଇଳା ଓ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଖୋଦ୍ ପୌରପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓଙ୍କ ସମେତ ଏକାଧିକ କାଉନସିଲର ପୌରପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ବିଭିନ୍ନ କାର୍ଯ୍ୟରେ ଆର୍ଥିକ ଅନିୟମିତତା ଓ ସରକାରୀ ଅର୍ଥ ହେରଫେର ହୋଇଥିବା ନେଇ ଉପାଧ୍ୟକ୍ଷ ଗୁରୁତର ଅଭିଯୋଗ ଆଣିଛନ୍ତି ।
ଅଭିଯୋଗ ଅନୁଯାୟୀ, ୨୦୨୪ ଅକ୍ଟୋବର ମାସରେ ପ୍ରସନ୍ନ କୁମାର ଦାଶ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସହରରେ ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ । ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଉପାଧ୍ୟକ୍ଷ ଓ କାଉନସିଲରମାନେ ବାରମ୍ବାର ଇଓ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସମାଧାନ ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି। ବିଶେଷକରି ପରିମଳ ବିଭାଗ ଓ ସ୍ୱଚ୍ଛ ଭାରତ ମିଶନରେ ହୋଇଥିବା ଅର୍ଥ ବିନିଯୋଗକୁ ନେଇ ଗୁରୁତର ଅଭିଯୋଗ ଆସିଛି। ୨୦୨୫ ଅଗଷ୍ଟ ୩୦ ତାରିଖଠାରୁ ବିଭିନ୍ନ ମିଥ୍ୟା ବିଲ୍ ପ୍ରସ୍ତୁତ କରି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିମଳ ବିଶେଷଜ୍ଞଙ୍କ ମିଳିତ ସହଯୋଗରେ ସରକାରୀ ଅର୍ଥ ହେରଫେର କରାଯାଇଥିବା ଉପାଧ୍ୟକ୍ଷ ଅଭିଯୋଗ କରିଛନ୍ତି।
ସେହିପରି ପରିଷଦର ବିନା ଅନୁମୋଦନ ରେ ବିଭିନ୍ନ ସାମଗ୍ରୀ କ୍ରୟ ଆଳରେ ସରକାରୀ ଅର୍ଥର ଅନିୟମିତତା ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗଗୁଡ଼ିକର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସେ ଦାବି କରିଛନ୍ତି । ଆବଶ୍ୟକ ପଡିଲେ ସେ ଭିଜିଲାନ୍ସର ଏବଂ ଗଞ୍ଜାମ ଜିଲ୍ଲାପାଳ ଓ ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ ଜଣାଇବେ ବୋଲି ଉପାଧ୍ୟକ୍ଷ ଜି. ପାପା ରାଓ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ପୌରପରିଷଦ ଅଧୀନରେ ଥିବା ପିଲିବନ୍ଧର ଉନ୍ନତିକରଣ ପ୍ରସଙ୍ଗ ମଧ୍ୟ ଦୀର୍ଘଦିନ ଧରି ଅବହେଳିତ ହୋଇରହିଛି । ଏହାର ବିକାଶ ପାଇଁ ଉପାଧ୍ୟକ୍ଷ ଓ କାଉନସିଲରମାନେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ଏଯାଏ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ । ଛତ୍ରପୁର ପନିପରିବା ମାର୍କେଟରେ ଥିବା ବ୍ୟବସାୟୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ଉନ୍ନତିକରଣ ପାଇଁ ବିଧାୟକ ଓ ପୌରପରିଷଦ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ବ୍ୟବସାୟୀମାନେ ଦାବି ଉଠାଇଥିଲେ। ମାର୍କେଟ ରୋଡ଼ର ଟ୍ରାଫିକ ସମସ୍ୟା ର ସମାଧାନ ନେଇ ବ୍ୟବସାୟୀଙ୍କ କଣ ଅସୁବିଧା ତାହା କାର୍ଯକାରୀ କରିବା ନିମନ୍ତେ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ଏଯାଏ ପୂରଣ ହୋଇନଥିବା ଅଭିଯୋଗ ହୋଇଛି। ଏନେଇ ଉପାଧ୍ୟକ୍ଷ ଇଓଙ୍କୁ ବାରମ୍ବାର ଅବଗତ କରାଇଲେ ମଧ୍ୟ ସେ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି ।
ସେହିପରି ଛତ୍ରପୁର ଲକ୍ଷ୍ମୀକମ୍ପ୍ଲେକ୍ସ ନିକଟରେ ନୂତନ ଭେଣ୍ଡିଂ ଜୋନ୍ ନିର୍ମାଣ ହେବାର ତିନି ମାସ ବିତିଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ଅର୍ଥ ପୈଠ କରିଥିବା ବ୍ୟବସାୟୀମାନଙ୍କୁ ଏଯାଏଁ ଦୋକାନ ଗୃହ ହସ୍ତାନ୍ତର କରାଯାଇନାହିଁ। ଫଳରେ ଅର୍ଥ ଜମା କରିଥିବା ବ୍ୟବସାୟୀମାନେ ଅନିଶ୍ଚିତତା ଓ ଆର୍ଥିକ ସମସ୍ୟାରେ ପଡ଼ିଛନ୍ତି। ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ଅଳିଆ ଆବର୍ଜନା ଜମି ରହୁଥିବାରୁ ଦୁର୍ଗନ୍ଧ ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ନିୟମିତ ଅଳିଆ ଉଠାଣ ଓ ସଫେଇ କାର୍ଯ୍ୟ ଠିକ୍ ଭାବେ ହେଉନଥିବାରୁ ନାଗରିକଙ୍କ ଅସନ୍ତୋଷ ବଢ଼ୁଛି। ଏଥିସହ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଥିବା ଶୌଚାଳୟର ଅବ୍ୟବସ୍ଥା, ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଚାଳନା ହେଉନଥିବା ଅଭିଯୋଗ ହୋଇଛି।
ବିଭିନ୍ନ ୱାର୍ଡରେ ଷ୍ଟ୍ରିଟ୍ଲାଇଟ୍ ସମସ୍ୟା ମଧ୍ୟ ଉତ୍କଟ ରୂପ ନେଇଛି। ପ୍ରାୟ ୮୦ ପ୍ରତିଶତ ଷ୍ଟ୍ରିଟ୍ଲାଇଟ୍ ଅଚଳ ହୋଇପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ଧକାର ଯୋଗୁଁ ରାତିରେ ଯାତାୟାତ ଓ ନିରାପତ୍ତାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି । ଅନ୍ୟପକ୍ଷରେ ପୌରପରିଷଦର ବିଭିନ୍ନ ଅଞ୍ଚଳର ଉନ୍ନତିକରଣ ପାଇଁ ପ୍ରାୟ ୫ କୋଟି ୨୦ ଲକ୍ଷ ଟଙ୍କାର ଟେଣ୍ଡର ପ୍ରକ୍ରିୟା ୨ ମାସରୁ ଅଧିକା ଦିନ ହେଲା ଶେଷ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାରମାନଙ୍କୁ ଏଯାଏ କାର୍ଯ୍ୟାଦେଶ ମିଳିନଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନାହିଁ।
ଏସବୁ ସମସ୍ୟା ସମ୍ପର୍କରେ ଉପାଧ୍ୟକ୍ଷ ଓ କାଉନସିଲରମାନେ ବାରମ୍ବାର ଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନ ନହେବାରୁ ଜନସାଧାରଣଙ୍କ ନିକଟରେ ସେମାନେ ସମାଲୋଚନାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଫଳରେ ପୌରପ୍ରଶାସନ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ମତଭେଦ ତୀବ୍ର ହେବାରେ ଲାଗିଛି । ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ପୌରପ୍ରଶାସନ ବିରୋଧରେ ଜନଆନ୍ଦୋଳନ ଗଢ଼ି ତୋଳାଯିବ ବୋଲି ଅଞ୍ଚଳବାସୀ ସୂଚନା ଦେଇଛନ୍ତି।

