ଗଞ୍ଜାମ ବନ୍ୟା କ୍ଷୟକ୍ଷତି ୫ ହଜାର କୋଟି ଟପିବ: ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବି କଲେ…

ଛତ୍ରପୁର, ୭।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ଏହାର ପରିମାଣ ୫ ହଜାର କୋଟି ଟଙ୍କା ଟପିବ ବୋଲି ଆକଳନ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ। ଗଞ୍ଜାମର ବନ୍ୟା ସ୍ଥିତିକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ବିପନ୍ନଙ୍କୁ ଯଥେଷ୍ଟ ଆର୍ଥିକ ସହାୟତା ଏବଂ ଚାଷୀଙ୍କୁ ସ୍ୱତନ୍ତ୍ର କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

କଂଗ୍ରେସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ସହ ଶ୍ରୀ ଦାସ ଆସିକା, ଭଞ୍ଜନଗର, ସୋରଡ଼ା, ପୁରୁଷୋତ୍ତମପୁର, ଶେରଗଡ଼, ଛତ୍ରପୁର ଓ ଗଞ୍ଜାମ ବ୍ଲକର ବିଭିନ୍ନ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାପରେ ଛତ୍ରପୁରଠାରେ ଜିଲାପାଳଙ୍କୁ ଭେଟି କ୍ଷୟକ୍ଷତି, ବିପନ୍ନଙ୍କ ସମସ୍ୟା ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ରିଲିଫ୍ ବ୍ୟବସ୍ଥାକୁ ଅପର୍ଯ୍ୟାପ୍ତ ବୋଲି ଅଭିହିତ କରିଥିଲେ। ଘରଦ୍ୱାର, ବ୍ୟବସାୟିକ ପ୍ରତିଷ୍ଠାନ, ସମ୍ପତ୍ତି ଓ ଫସଲ ମିଶାଇ ୫ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ବେଳେ କେବଳ ଆସିକା ବଜାରରେ ବ୍ୟବସାୟୀମାନଙ୍କର ୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ଘଟିଛି ବୋଲି ସେ ଦାବି କରିଛନ୍ତି। ଏଭଳି ବ୍ୟାପକ କ୍ଷୟକ୍ଷତି ତୁଳନାରେ ରାଜ୍ୟ ସରକାର କେନ୍ଦ୍ରକୁ ମାଗିବାକୁ ଥିବା ୨୬୦୦ କୋଟି ଟଙ୍କାର ସହାୟତା ଅତ୍ୟନ୍ତ ନଗଣ୍ୟ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଋଷିକୁଲ୍ୟା ନଦୀ ଓ ଏହାର ଶାଖାନଦୀଗୁଡ଼ିକର ବନ୍ଧ ଭାଙ୍ଗିଯିବା ଫଳରେ ଅନେକ ଅଞ୍ଚଳରେ ୫ ରୁ ୧୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ ଚାଷଜମି ନଷ୍ଟ ହୋଇଛି। ଅନ୍ୟପକ୍ଷରେ, ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ ବଣ୍ଟନ ବନ୍ଦ ହୋଇଯିବା ସହ ଶୌଚାଳୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ରହିଥିବା  ସେ ଅଭିଯୋଗ କରିଛନ୍ତି। ଗଞ୍ଜାମର ବନ୍ୟା ପରିସ୍ଥିତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହ ବନ୍ୟା ଓ ଭୂସ୍ଖଳନରେ ପ୍ରାଣ ହରାଇଥିବା ପରିବାରକୁ ଅତିକମରେ ୨୦ ଲକ୍ଷ ଟଙ୍କାର ସହାୟତା ଏବଂ ଥଇଥାନ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଏଥିସହ ବନ୍ୟା ପ୍ରଭାବିତ ଚାଷୀଙ୍କ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ କରିବା ସହ ନଷ୍ଟ ଫସଲ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ ଆଧାରରେ ଅତିକମରେ ୫୦ ପ୍ରତିଶତ କ୍ଷତିପୂରଣ ଏବଂ ବନ୍ୟାଞ୍ଚଳର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫିସ୍ ସମ୍ପୂର୍ଣ୍ଣ ଛାଡ଼ ସହିତ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଓ ବ୍ୟାଗ୍ ଯୋଗାଇଦେବାକୁ ଦାବି ଉଠିଛି। ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦୂର କରିବା ଓ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ଭକ୍ତ ଦାସ ଆହ୍ୱାନ ଦେଇଛନ୍ତି।

Dharitri – Odisha’s No.1 Odia Daily

Share