ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ଼ ବ୍ଲକର ବୁରିପଦର ଗାଁରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।
ସୂଚନା ଅନୁଯାୟୀ, ବୁରିପଦର ଗାଁର କିଛି ଘର ଓ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ମହଜୁଦ ଥିବା ନେଇ ପୋଲିସ ଖବର ପାଇଥିଲା। ଏସ୍ଡିପିଓ(ଆଇପିଏସ୍) ରାକେଶ କୁମାର ସାହୁଙ୍କ ନିର୍ଦ୍ଦେଶରେ ମୋହନା ଏବଂ ଆର୍. ଉଦୟଗିରି ଥାନା ପୋଲିସକୁ ନେଇ ଏକ ସୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଏହି ଟିମ ଏକ୍ଜ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଚଢ଼ାଉ କରି ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ କରିଛି।
ପୋଲିସ ଆସିବାର ଖବର ପାଇ ତିନି ଜଣ ଗଞ୍ଜେଇ ମାଫିଆ ଘଟଣାସ୍ଥଳରୁ ଜଙ୍ଗଲକୁ ଚମ୍ପଟ ମାରିଛନ୍ତି। ଏହି ଘଟଣାରେ ପୋଲିସ ୪୯/୨୬ରେ ଏକ ମାମଲା ରୁଜୁ କରିବା ସହ ତିନିଜଣ ଅଭିଯୁକ୍ତଙ୍କ ନାମରେ କେସ ଦାୟର କରିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି।
ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ଦର ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ରାକେଶ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ପୋଲିସ ଏଭଳି କଡ଼ା ପଦକ୍ଷେପ ଜାରି ରଖିବ ବୋଲି ସେ କହିଛନ୍ତି।

