Posted inଫୁରସତ

ଗାନ୍ଧୀ ମନ୍ଦିର

ଜାତିର ପିତା ମହାତ୍ମାଗାନ୍ଧୀ ସ୍ବାଧୀନତା ଆନ୍ଦୋଳନ ସମୟରେ ଏକାଧିକଥର ଓଡ଼ିଶା ଆସିଥିବାବେଳେ ତାଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଶାର ବହୁ ସ୍ବାଧୀନତା ସଂଗ୍ରାମୀ। ପରବର୍ତ୍ତୀ ସମୟରେ ସେହି ସ୍ମୃତିକୁ ମନେରଖିବା ପାଇଁ ଯେମିତି ଦେଶର ବିଭିନ୍ନ ସ୍ଥାନରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବା ସହ ମନ୍ଦିର ପ୍ରତିଷ୍ଠା ହୋଇଥିଲା, ଠିକ୍‌ ସେହିପରି ଓଡ଼ିଶାରେ ମଧ୍ୟ ହୋଇଥିଲା। ଆଜିବି ଓଡ଼ିଶାର କେତୋଟି ସ୍ଥାନରେ ଗାନ୍ଧୀଙ୍କ ମନ୍ଦିର ରହିଛି; ଯେଉଁଠି ବିଭିନ୍ନ ନୀତିକାନ୍ତି ସହ ତାଙ୍କ ପ୍ରତିମୂର୍ତ୍ତିକୁ ପୂଜା କରାଯାଉଛି…
ଭତରାର ଗାନ୍ଧୀ ମନ୍ଦିର- ସମ୍ବଲପୁର ସଦର ମହକୁମାଠାରୁ ପ୍ରାୟ ୫କିମି ଦୂରରେ ରହିଛି ଭତରା ଗ୍ରାମ। ଗ୍ରାମର ଚାରି ଦିଗରେ ଥିବା ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ରାଜ୍ୟର ପ୍ରଥମ ଗାନ୍ଧୀ ମନ୍ଦିର। ସୂଚନାଯୋଗ୍ୟ, ସ୍ବାଧୀନତା ପୂର୍ବରୁ ଏକଦା ସମ୍ବଲପୁର ସହରସ୍ଥିତ ବାଲିବନ୍ଧା ଅଞ୍ଚଳକୁ ମହାତ୍ମା ଗାନ୍ଧୀଙ୍କ ଆଗମନ ହୋଇଥିଲା। ସେତେବେଳେ ଏଠାରେ ଆୟୋଜିତ ସଭାରେ ଗାନ୍ଧିଜୀ ବକ୍ତବ୍ୟ ପ୍ରଦାନ କରିଥିଲେ; ଯାହା ସେଠାକାର ଲୋକଙ୍କ ମନରେ ଛାପ ହୋଇ ରହିଯାଇଥିଲା। ଗାନ୍ଧିଜୀଙ୍କ କଥାକୁ କେମିତି କାର୍ଯ୍ୟରେ ରୂପ ଦେବେ ସେକଥା ଚିନ୍ତା କରୁଥିଲେ। ସେହି ସମୟରେ ସମ୍ବଲପୁର ସହରରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା। ଦଳିତବର୍ଗ ଲୋକଙ୍କୁ ମନ୍ଦିର ଯିବା ପାଇଁ ବାରଣ ଥିଲା। ଏହି ଛୁଅଁା ଅଛୁଅଁା ଭେଦଭାବକୁ ଦୂର କରିବା ପାଇଁ ୧୯୬୩ରେ ତତ୍କାଳିନ ବିଧାୟକ ଅଭିମନ୍ୟୁ କୁମାର ଓ ଭତରା ଗାଁର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକମାନେ ମହାତ୍ମା ଗାନ୍ଧୀଙ୍କ ମନ୍ଦିର ନିର୍ମାଣ ପାଇଁ ଚିନ୍ତା କରିଥିଲେ ା ଏହାପରେ ଅଭିମନ୍ୟୁଙ୍କ ଉଦ୍ୟମରେ ୧୯୭୧ରେ ତତ୍କାଳୀନ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର ରବୀନ୍ଦ୍ରନାଥ ମହାନ୍ତି ଗାନ୍ଧୀ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମନ୍ଦିର ସମ୍ପୂର୍ଣ୍ଣ ହୋଇଥିଲା। ୧୯୭୪ ଏପ୍ରିଲ ୧୧ତାରିଖରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହି ଗାନ୍ଧୀ ମନ୍ଦିରକୁ ଉଦ୍‌ଘାଟନ କରିଥିଲେ ା ସେହିଦିନଠାରୁ ଭତରା ଲୋକେ ମହାତ୍ମା ଗାନ୍ଧୀଙ୍କୁ ଠାକୁରଭାବେ ପୂଜାର୍ଚ୍ଚନା କରିଆସୁଛନ୍ତି ା ଏହି ମନ୍ଦିରରେ ଗାନ୍ଧିଜୀଙ୍କ ୩.୫ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି ପୂଜା ପାଉଛି ା ଏହି ମୂର୍ତ୍ତିକୁ ଶିଳ୍ପୀ ସୁନ୍ଦରଭାବେ ତିଆରି କରିଛନ୍ତି। ଏଥିସହ ଚତୁଃପାର୍ଶ୍ୱରେ ଅନ୍ୟାନ୍ୟ ବରପୁତ୍ରମାନଙ୍କ ଫଟୋଚିତ୍ର ସ୍ଥାନିତ ହୋଇଛି ା ମନ୍ଦିର ସମ୍ମୁଖରେ ରହିଛି ଅଶୋକସ୍ତମ୍ଭ। ମନ୍ଦିର ମୁଖଶାଳାରେ ଥିବା ଭାରତ ମାନଚିତ୍ର ଭିତରେ ଭାରତ ମାତା ବିରାଜମାନ ଅଛନ୍ତି ା ମନ୍ଦିର ଶିଖରରେ ତ୍ରିରଙ୍ଗା ପତାକା ଶୋଭା ପାଉଛି ା ଏଥିସହ ଗାନ୍ଧିଜୀଙ୍କ ବିଭିନ୍ନ ସ୍ମରଣୀୟ ଘଟଣାବଳୀ ମନ୍ଦିର ପରିସରରେ ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଦୀର୍ଘ ଦିନ ଧରି କାଳିଆ ବାଗ ଗାନ୍ଧିଜୀଙ୍କ ପୂଜାର୍ଚ୍ଚନା କରିଆସୁଥିଲେ ା ସମ୍ପ୍ରତି ତାଙ୍କୁ ବସୟ ଅଧିକ ହୋଇଥିବାରୁ ଚିନ୍ତାମଣି ବାଗ ପୂଜକ ଦାୟିତ୍ୱ ତୁଲାଇବା ସହ ଗାନ୍ଧୀ ମନ୍ଦିର ପରିଚାଳନା କମିଟିର ସଭାପତି ଦାୟିତ୍ୱ ତୁଲାଉଛନ୍ତି। ଆମ ସଂସ୍କୃତିରେ ପୂଜ୍ୟପୂଜା ପରମ୍ପରା ବହୁ ପ୍ରାଚୀନ। ଅହିଂସା ମାର୍ଗରେ ବ୍ରିଟିଶଙ୍କ ସହ ଲଢ଼େଇ କରି ମହାତ୍ମା ଗାନ୍ଧୀ ଦେଶ ସ୍ବାଧୀନତାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଅବତାର ପୁରୁଷ ଭାବେ ଭତରା ଗାନ୍ଧୀ ମନ୍ଦିରରେ ଲୋକେ ମାନସିକ ନେଇ ପୂଜାର୍ଚ୍ଚନା କରିଆସୁଛନ୍ତି। ଭତରା ଗାନ୍ଧୀ ମନ୍ଦିରରେ ପ୍ରତିଦିନ ସକାଳ ୬ଟା ୩୦ମିନିଟ ଏବଂ ସନ୍ଧ୍ୟା ୭ଟାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ, ଫୁଲ ଆଦି ଦେଇ ପୂଜାର୍ଚ୍ଚନା କରାଯାଏ। ସେହିପରି ଜାନୁଆରୀ ୨୬, ଅଗଷ୍ଟ ୧୫ ଏବଂ ଅକ୍ଟୋବର ୨ତାରିଖରେ ଏହି ମନ୍ଦିରରେ ଗାନ୍ଧୀଙ୍କ ଜୀବନୀ ସମ୍ପର୍କିତ ବିବିଧ କାର୍ଯ୍ୟକ୍ରମ ଓ ପୂଜାର୍ଚ୍ଚନା ହୋଇଥାଏ। ବର୍ଷସାରା ଗାନ୍ଧୀଙ୍କର ଏହି ମନ୍ଦିରକୁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଦର୍ଶନ ପାଇଁ ଆସିଥାନ୍ତି। ପ୍ରତ୍ୟହ ଗାନ୍ଧୀ ମନ୍ଦିରରେ ସକାଳ ୭ଟାରେ ”ରଘୁପତି ରାଘବ ରାଜାରାମ, ପତିତପାବନ ସୀତାରାମ“ ଗାନ କରାଯାଇଥାଏ ା ସନ୍ଧ୍ୟାରେ ମହାଆଳତି ପରେ ରାମାୟଣ, ଭାଗବତ ପାଠ ହୋଇଥାଏ । ଭତରାର ଚିନ୍ତାମଣି ବାଗ କୁହନ୍ତି, ପ୍ରାୟ ଏକବର୍ଷ ହେବ ମନ୍ଦିର ପୂଜକ ଓ ପରିଚାଳନା କମିଟି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛି। ଭତରାବାସୀ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିଚାଲିଛୁ। ପ୍ରତିବର୍ଷ ଅକ୍ଟୋବର ୨ତାରିଖରେ ବେଶ୍‌ ସୁନ୍ଦର ଭାବେ ପୂଜାର୍ଚ୍ଚନା ହେଉଛି। ଆଗକୁ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରତି ଗୁରୁତ୍ୱ ଦିଆଯିବାକୁ ସ୍ଥିର ହୋଇଛି ା
ଗୋସାଣୀ ନୂଆଗାଁ ଗାଦିରେ ଗାନ୍ଧିଜୀ- ଓଡ଼ିଶାର ଗଞ୍ଜାମ ଜିଲା ଅନ୍ତର୍ଗତ ବ୍ରହ୍ମପୁର ସହର ସନ୍ନିକଟ ଗୋସାଣୀ ନୂଆଗାଁ। ଏଠାରେ ରହିଛି ଉତ୍ତରେଶ୍ୱରଙ୍କ ମନ୍ଦିର। ଦୀର୍ଘଦିନ ତଳେ କେବଳ ଉତ୍ତରେଶ୍ୱର ମହାଦେବ ଏଠାରେ ପୂଜା ପାଉଥିଲେ।
ଅନୁଗାମୀ ଥିଲେ ଗୋବିନ୍ଦ ଚୌଧୁରୀ । ସେ ଗୋସାଣୀ ନୂଆଗାଁର ବିଶିଷ୍ଟ ଠିକାଦାର ଥିଲେ ,ଏହି ମନ୍ଦିରର ଉନ୍ନତି ଦାୟିତ୍ୱ ସେ ନେବା ପରେ ମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀଜଗନ୍ନାଥ, ଗଣେଶ, ରାମ ଲକ୍ଷ୍ମଣ ସୀତା, ବିମଳା, ଲକ୍ଷ୍ମୀ ଆଦି ଦେବଦେବୀଙ୍କ ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିରରେ ଥିବା ଭାଗବତ ପୋଥିକୁ ସେ ଭାଗବତ ଗାଦିରେ ସାଇତି ରଖିଥିଲେ। ମହାତ୍ମା ଗାନ୍ଧୀ ଥିଲେ ରାମଙ୍କ ଭକ୍ତ। ତେଣୁ ତାଙ୍କ ଜୀବନ ଗଲାବେଳେ ‘ହେ ରାମ’ ବୋଲି ଶବ୍ଦ ତାଙ୍କ ମୁହଁରୁ ବାହାରିଥିଲା। ତେଣୁ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ରାମ, ଲକ୍ଷ୍ମଣ, ସୀତାଙ୍କୁ ରଖାଯାଇଛି। ପୂଜ୍ୟପୂଜାର ପରମ୍ପରାକୁ ସମ୍ମାନ ଦେଇ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ସେହି ଭାଗବତ ଗାଦି ପରିସରରେ ୧୯୬୦ ମସିହାରେ ସ୍ଥାପନ କରିଥିଲେ । ସେବେଠାରୁ ଦେବଦେବୀଙ୍କ ଭଳି ଗାନ୍ଧୀଙ୍କୁ ବି ସସମ୍ମାନେ ପୂଜା କରାଯାଉଛି । ଗୋବିନ୍ଦ ଚୌଧୁରୀଙ୍କ ନାତି ତଥା ମନ୍ଦିର ପରିଚାଳକ ପଞ୍ଚାନନ ଚୌଧୁରୀ କୁହନ୍ତି ଏହି ମନ୍ଦିରର ଭାଗବତ ଗାଦି ପରିସରରେ ଗାନ୍ଧୀଙ୍କ ମୂର୍ତ୍ତି ପୂଜା କରାଯାଉଥିବାରୁ କେହି କେହି ଏହାକୁ ଗାନ୍ଧୀ ମନ୍ଦିର ବୋଲି କହୁଥିବା ମତ ପ୍ରକାଶ କରିଛନ୍ତି । ସ୍ବାଧୀନତା ଆନ୍ଦୋଳନ ବେଳେ ଓଡ଼ିଶାର ଗାଁ ଗଣ୍ଡାରେ ଥିବା ଭାଗବତ ଟୁଙ୍ଗିରେ ଧର୍ମ ଓ ଦେଶର ଜନମଙ୍ଗଳ କଥା ଆଲୋଚନା ହେଉଥିଲା।
ସତ୍ୟାଗ୍ରହୀମାନେ ଭାଗବତ ଶୁଣିବାକୁ ଆସୁଥିଲେ। ଗାଁ ଲୋକଙ୍କୁ ଗାନ୍ଧୀକଥା ଓ ସ୍ବାଧୀନତା ସଂଗ୍ରାମ ବିଷୟରେ ଧାରଣା ଦେଉଥିଲେ। ସେମାନେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ଏଇଠି ମତାଉଥିଲେ। ତେଣୁ ଭାଗବତ ଗାଦି ପରିସରରେ ଅନୁଗାମୀମାନେ ଗାନ୍ଧିଜୀଙ୍କୁ ସ୍ମରଣ କରି ପୂଜା କରିଥାନ୍ତି। ମନ୍ଦିରରେ ଭାଗବତ ପାଠ ହୁଏ ସଂକୀର୍ତ୍ତନ ଚାଲେ ପୁଣି ରାମଧୁନ ବୋଲାଯାଇଥାଏ। ଏହା ଦ୍ୱାରା ପୂଜ୍ୟପୂଜାସମ୍ମାନରେ ଏକ ପ୍ରେରଣା ଜନସାଧାରଣଙ୍କୁ ମିଳିବ ବୋଲି ଭାବୁଛି। ତେବେ ପ୍ରତ୍ୟେକ ଦିନ ଏଠାରେ ଦେବଦେବୀଙ୍କୁ ଭୋଗ ଲାଗୁଥିବାବେଳେ ଗାନ୍ଧୀଙ୍କୁ ବି ବାଳଭୋଗ ଓ ଅନ୍ନଭୋଗ ଲାଗି ହୁଏ । ଗାନ୍ଧୀଙ୍କ ଜନ୍ମଦିନ ଓ ଶ୍ରାଦ୍ଧ ଦିବସରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହ ନୂତନ ବସ୍ତ୍ର ପ୍ରଦାନ କରାଯାଇଥାଏ। ଏଥି ସହିତ ଜାତୀୟ ସଙ୍ଗୀତ ବି ଗାନ କରାଯାଉଛି। ଅନେକ ଗାନ୍ଧୀପ୍ରେମୀ ଆସୁଛନ୍ତି। ଦୀର୍ଘ ୬୪ ବର୍ଷ ହେଲା ଏମିତି ପୂଜା ଚାଲିଛି । ପ୍ରମୋଦଚନ୍ଦ୍ର ପତି କୁହନ୍ତି, ଦୀର୍ଘ ୧୦ ବର୍ଷ ହେଲା ଏଠାରେ ପୂଜା କରୁଛି। ଏଠି ବିଭିନ୍ନ ମନ୍ଦିର ଥିବାବେଳେ ଭାଗବତ ଗାଦି ପରିସରରେ ପୂଜା ଦାୟିତ୍ୱ ଦିଆଯାଇଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅବସ୍ଥାପିତ କରାଯାଇଥିବା ବେଳେ ତାଙ୍କୁ ପୂଜା କରାଯାଉଛି। ସକାଳ ଓ ସାରେ ବାଳଭୋଗ ଓ ଅନ୍ନଭୋଗ କରାଯାଉଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଆସି ଦେବଦେବୀଙ୍କ ସହ ଗାନ୍ଧୀଙ୍କୁ ବି ଦର୍ଶନ କରିଥାନ୍ତି।
ମନ୍ଦିର ସହଯୋଗୀ ରିଟୁ କୁମାର ପଣ୍ଡା, କୁହନ୍ତି ଏଠି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରଖାଯାଇ ସବୁବେଳେ ପୂଜା କରାଯାଉଛି। ମନ୍ଦିରରେ ଭାଗବତ ପଠନ କରାଯାଉଛି। ଏଥି ସହିତ ଗାନ୍ଧୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ସ୍ବତନ୍ତ୍ର ପୂଜା କରାଯାଉଛି। ଏହା ଦ୍ୱାରା ସମସ୍ତଙ୍କୁ ଏକ ବାର୍ତ୍ତା ଯିବ ବୋଲି ମୁଁ ଭାବୁଛି । ମାତାପିତା ଆମର ପୂଜ୍ୟ ସେହିଭଳି ଆମକୁ ଯିଏ ପରାଧୀନତାରୁ ମୁକ୍ତ କରିଛନ୍ତି ସେମାନେଆମର ପୂଜ୍ୟ। ତେଣୁ ସେମାନେ ପୂଜା ପାଇବା ଉଚିତ। ତେବେ ମୋ ପିଲା ସମୟରୁ ଗାନ୍ଧୀଙ୍କୁ ଏଠାରେ ପୂଜା କରାଯାଉଥିବା ଦେଖିଆସିଛି।
କାମାକ୍ଷାନଗରରେ ଗାନ୍ଧିଜୀଙ୍କ ମନ୍ଦିର-ଢେଙ୍କାନାଳ ଜିଲା କାମାକ୍ଷାନଗର ସଦର ମହକୁମା। ଏହି ଅଞ୍ଚଳରେ ମହାତ୍ମା ଗାନ୍ଧୀଙ୍କର ଏକ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଓଡ଼ିଶାରେ ଗାନ୍ଧିଜୀଙ୍କ ଏହା ଦ୍ୱିତୀୟ ମନ୍ଦିର । କାମାକ୍ଷାନଗରର ପୂର୍ବତନ ବିଧାୟକ ,ମନ୍ତ୍ରୀ ତଥା ଏହି ମନ୍ଦିରର ଉପଦେଷ୍ଟା ପ୍ରଫୁଲ୍ଲ ମଲ୍ଲିକ କୁହନ୍ତି ଏହି ଅଞ୍ଚଳରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗାନ୍ଧୀବାର୍ତ୍ତାର ପ୍ରଚାର ପ୍ରସାର ନିମନ୍ତେ ୨୦୧୦ ମସିହାରେ ଏକ ଗାନ୍ଧୀ ମନ୍ଦିର ଶିଳାନ୍ୟାସ କରିଥିଲେ। ୨୦୧୨ରେ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ଏହି ମନ୍ଦିର ଉଦ୍‌ଘାଟନ କରାଯାଇଥିଲା। ଏଠାରେ ଥିବା ଏକ ସ୍ଥାୟୀ ଗୃହକୁ ମନ୍ଦିରଭାବେ କରାଯାଇ ଦୈନିକ ସକାଳେ ଓ ସାରେ ଗାନ୍ଧିଜୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏଥି ପାଇଁ ଗାନ୍ଧୀ ବିଚାରଧାରାର କିଛି ବ୍ୟକ୍ତି ଏକାଠି ହୋଇ ପ୍ରତ୍ୟେକବର୍ଷ ଗାନ୍ଧୀ ଜୟନ୍ତୀରେ ବିଭିନ୍ନ ଗ୍ରାମକୁ ଯାଇ ଗାନ୍ଧୀ ଜୟନ୍ତୀ ପାଳନ କରିବା ସହ ସ୍ବାସ୍ଥ୍ୟଶିବିର, ଗୋ ଚିକିତ୍ସା ଶିବିର, ଆଦି ଆୟୋଜନ କରିଥାନ୍ତି। ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଗୀତାଯଜ୍ଞ, ପାରାୟଣ ଓ ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ଆଲୋଚନାଚକ୍ର ଆଦିକରାଯାଇଥାଏ। ପ୍ରତିବର୍ଷ ଜାନୁଆରୀ ୨୬ ତାରିଖଠାରୁ ଗୀତାଯଜ୍ଞ ଅନୁଷ୍ଠିତ ହୋଇ ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ସମାପ୍ତ ହୋଇଥାଏ। କିନ୍ତୁ ଏହି ମନ୍ଦିରର ପ୍ରବେଶ ଫାଟକ ନିକଟରେ ଗାନ୍ଧିଜୀଙ୍କ ଅତିପ୍ରିୟ ତିନି ମାଙ୍କଡ଼ ପ୍ରତିମାକୁ ରଖାଯାଇଛି। ଏକ ଫଳକରେ ଗାନ୍ଧିଜୀଙ୍କ ଏକାଦଶ ବ୍ରତ- ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ, ଶରୀରାଶ୍ରମ, ଅସ୍ବାଦ, ଅଭୟ, ସମତ୍ୱଭାବ, ସ୍ବଦେଶ ଚିନ୍ତା, ଅସ୍ପୃଶ୍ୟତା ନିବାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯାହା ସମାଜକୁ ଗାନ୍ଧିଜୀଙ୍କ ନୀତିଶିକ୍ଷାର ବାର୍ତ୍ତା ଦେଇଥାଏ। ସେହିପରି ଏହି ମନ୍ଦିର ପରିଚାଳନା ପାଇଁ ଏକ କମିଟ ଗଠନ କରାଯାଉଛି। କାମାକ୍ଷାନଗର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦକାନ୍ତ ରାୟ ସଭାପତି, ଶିକ୍ଷାବିତ୍‌ ମାୟାଧର ପାଣି ସଂପାଦକ , ପଞ୍ଚାୟତରାଜ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ କୋଷାଧକ୍ଷ ଭାବେ କାର୍ଯ୍ୟ ର୍ନିବାହ କରନ୍ତି। ସମସ୍ତସଭ୍ୟ ଓ ବଦାନ୍ୟ ବ୍ୟକ୍ତିଙ୍କ ଅନୁଦାନରେ ମହାପୁରୁଷମାନଙ୍କ ଜନ୍ମଦିନ ଓ ଶ୍ରାଦ୍ଧବାର୍ଷିକ ପାଳନ ହୋଇଥାଏ।ମନ୍ଦିରରେ ଗାନ୍ଧୀ ଜୟନ୍ତୀ ପାଳନ ହେଉଥିବାବେଳେ , ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ୫ ଦିନ ବ୍ୟାପି ଗୀତାଯଜ୍ଞ ଅନୁଷ୍ଠିତ ହୋଇଥାଏ।କାମାକ୍ଷାନଗର ଏନଏସି ତରଫରୁ ଜଣେ ବ୍ୟକ୍ତି ପ୍ରତିଦିନ ମନ୍ଦିରର ରକ୍ଷଣବେକ୍ଷଣ କାଯର୍‌ୟ ତୁଲାଇଥାନ୍ତି।
ଗୁଲୁଣ୍ଡାର ଗାନ୍ଧୀ ମନ୍ଦିର-: ଯୁଗ ବଦଳିବା ସହ ଗ୍ରାମାଞ୍ଚଳର ଭୌଗୋଳିକ ସ୍ଥିତି, ସଂସ୍କୃତି ଓ ପରମ୍ପରାରେ ପରିବର୍ତ୍ତନ ଘଟିଛି। ଦେଶୀୟ ସଂସ୍କୃତିକୁ ଅପସଂସ୍କୃତି ଧୀରେଧୀରେ ପ୍ରବେଶ କଲାଣି। ସ୍ବଦେଶୀ ବିଚାରଧାରା ପ୍ରତି ଆଜିକାଲି ଅନେକଙ୍କ ମନରେ ସେମିତି ଶ୍ରଦ୍ଧା ନ ଥିଲାପରି ମନେହୁଏ। ତେବେ ଏଥିଯୋଗୁ କଳୁଷିତ ପରିବେଶରେ ପେଷିହୋଇଛନ୍ତି ଯୁବପିଢ଼ି ା ସେମାନେ ସ୍ବଦେଶ ନୀତି, ଆଦର୍ଶକୁ ଭୁଲିଗଲେଣି ା ତେଣୁ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳକୁ ବୈଦେଶିକ ସଭ୍ୟତାଧାରା ଛାଇଗଲାଣି ା ପରିସ୍ଥିତିରେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନ ଶୈଳୀକୁ ପରିବର୍ତ୍ତନ କରିଛନ୍ତି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୁଲୁଣ୍ଡା ଗ୍ରାମବାସୀ ା ଯେଉଁଠାରେ ଜାତିର ଜନକ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଲୋକେ ଠାକୁର ରୂପେ ପୂଜା କରୁଛନ୍ତି ା ସମ୍ବଲପୁର ଜିଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ଗୁଲୁଣ୍ଡା ଗ୍ରାମରେ ରହିଛି ଗାନ୍ଧୀ ମନ୍ଦିର ା ସମ୍ବଲପୁର ସହରଠାରୁ ଏହାର ଦୂରତା ପ୍ରାୟ ୧୪କିମି ା ଗ୍ରାମର ୮୨ବର୍ଷୀୟ ଅଚ୍ୟୁତ ଲୁହା କୁହନ୍ତି ଯେ, ସମ୍ବଲପୁର ସହର ପୁଟିବନ୍ଧସ୍ଥିତ ଏକ ଆଶ୍ରମରେ ଜଗତରାମ ବାବାଜି ନାମକ ଜଣେ ସଂଗଠକ ରହୁଥିଲେ ା ସେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୭୦ରେ ଗୁଲୁଣ୍ଡା ଗ୍ରାମରେ ଗାନ୍ଧୀ ମନ୍ଦିର ନିର୍ମାଣ କରିବାକୁ ସଂକଳ୍ପ ନେଇଥିଲେ ା ଏହାପରେ ଗ୍ରାମବାସୀଙ୍କ ସହାୟତାରେ ସାଧ୍ୟମତେ ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଗାନ୍ଧୀ ମନ୍ଦିର ନିର୍ମାଣ ହେଲା ପରେ ଗାନ୍ଧିଜୀଙ୍କ ଏକ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ପରମ୍ପରା ଅନୁସାରେ ଗ୍ରାମବାସୀ ଗାନ୍ଧୀଙ୍କ ନୀତିରେ ଅନୁପ୍ରାଣିତ ହୋଇ ପୂଜାର୍ଚ୍ଚନା କରି ଆସୁଛନ୍ତି । ଅକ୍ଟୋବର୨, ଜାନୁୟାରୀ୨୬, ଅଗଷ୍ଟ ୧୫ସହ ଜାନୁୟାରୀ ୩୦ତାରିଖରେ ମହାତ୍ମା ଗାନ୍ଧୀଙ୍କ ପୂଜାର୍ଚ୍ଚନା ନିରାଡ଼ମ୍ବର ଭାବେ ପାଳନ ହୋଇଥାଏ ା ଗାନ୍ଧିଜୀଙ୍କ ଜୀବନ ଦର୍ଶନ ଗୁଣଗାନ କରାଯାଇଥାଏ। ବାପୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଗୁଲୁଣ୍ଠା ଗ୍ରାମର ଗାନ୍ଧୀପଡାରେ ମନ୍ଦିର ନିର୍ମାଣ ହୋଇଥିଲା ା ପ୍ରଥମେ ଗଁାର ଋଷି ଛୁରିଆ ପରେ ଲାଲମୁନି କୁମ୍ଭାର ପୂଜାର୍ଚ୍ଚନା କରୁଥିଲେ ା ପର୍ଯ୍ୟାୟକ୍ରମେ ପଡାର ବ୍ୟକ୍ତିମାନେ ପୂଜାର୍ଚ୍ଚନା କରିଲେ। ସଂପ୍ରତି ଏହିପଡାର ବ୍ୟକ୍ତିମାନେ(ପାଳି)କରି ପୂଜା କରୁଛନ୍ତି ାଅନ୍ୟପକ୍ଷେ ମୁଖଶାଳାର ଛାତ ଓ ମାଟିର ମୂର୍ତ୍ତି ଭାଙ୍ଗିବାକୁ ବସିଲାଣୀ ା ରାଜ୍ୟ ଓ କେନ୍ଦ୍ର ସରକାର ଏହି ମନ୍ଦିର ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି ା

– ବନବିହାରୀ ବେହେରା, ଶଙ୍କର ବେହେରା, ସୁଧୀର କୁମାର ପରିଡ଼ା, ଅଶୋକ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫଳାଫଳ: ବାବା ରାମଦେବଙ୍କ ବିସ୍ଫୋରକ ବୟାନ, କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୪।୫: ଯୋଗଗୁରୁ ବାବା ରାମଦେବ ପଶ୍ଚିମବଙ୍ଗର ଫଳାଫଳ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପାଞ୍ଚଟି ରାଜ୍ୟର ଦିଗ ଏବେ ସ୍ପଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପଛରେ ପଡିଲେ ଏମ୍‌. କେ. ଷ୍ଟାଲିନ୍‌

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ କୋଲାଥୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା…

ଜିତୁ ମୁଣ୍ଡାଙ୍କ ପାଇଁ ବଦଳିଲା ଗାଁର ଭାଗ୍ୟ, ମରାମତି ହେଲା….

କେନ୍ଦୁଝର,୪।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ନିଜ ବଡ଼ ଭଉଣୀଙ୍କ କଙ୍କାଳ କାନ୍ଧରେ ବୋହି ବ୍ୟାଙ୍କକୁ ନେବା ଘଟଣା ସାରା ଦେଶରେ…

ପାଦେପାଦେ ବିପଦ, ଓହଳିଛି ପୌର ପରିଷଦର ସ୍ବାଗତ ହୋର୍ଡିଂ

ଗୁଣପୁର,୪ା୫(ସଂକେତ ପାତ୍ର): ଗୁଣପୁର ସହରକୁ ସ୍ୱାଗତ ଜଣାଇବା ପାଇଁ ପୌରପରିଷଦ ଦ୍ୱାରା ବିକ୍ରମପୁର ପଥପ୍ରାନ୍ତ ନିକଟରେ ସ୍ଥାପିତ ସ୍ୱାଗତ ବୋର୍ଡ୍ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି…

ମାଟ୍ରିକ ପରୀକ୍ଷା ଫଳ: ପଦ୍ମାବତୀ ମହାଳିଙ୍ଗ, ମନୀଷା ଧରୁଆ ସ୍କୁଲ ପାଇଁ ଗୌରବ

ଭବାନୀପାଟଣା,୪।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବାଦଲି ସ୍ଥିତ କିସ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ବର୍ଷ ଦଶମ ପରୀକ୍ଷା ରେ ଶତ ପ୍ରତିଶତ…

ଜିଲା ମଙ୍ଗଳ ବିଭାଗର ୨୨ ବିଦ୍ୟାଳୟର ଶତପ୍ରତିଶତ ପାସ

କୋରାପୁଟ,୪ା୫(ଅମିତାଭ ବେହେରା): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ମଙ୍ଗଳ ବିଭାଗ ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ପାସ ହାର ୯୯ ପ୍ରତିଶତ ରହିଛି। ୩୭ରୁ…

ମାତ୍ର ୨ବର୍ଷରେ ଘଟିଲା ଏମିତି, ଯାହା ଦିଦିଙ୍କ ପରାଜୟର କାରଣ ସାଜିଲା!

କୋଲକାତା,୪।୫: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏବେ ରାଜ୍ୟର ନେତୃତ୍ୱ ଛାଡିବା ଅନିବାର୍ଯ୍ୟ ମନେ ହେଉଛି। ୪…

ରାଜସ୍ଥାନ ଫ୍ରାଞ୍ଚାଇଜର ୭୫% ଅଂଶଧନ କିଣିଲେ ମିତ୍ତଲ ପରିବାର

ନୂଆଦିଲ୍ଲୀ,୪ା୫: ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ ମିତ୍ତଲଙ୍କ ସହିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଦାର ପୁନାଓ୍ୱାଲା ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri