ନ୍ୟୁୟର୍କ,୧୩ା୧୧: ଏଚ୍ଏସ୍ବିସି ହୁରୁନ୍ ଗ୍ଲୋବାଲ ଇଣ୍ଡିଆନ୍ସ ତାଲିକା ୨୦୨୬ରେ ଆଲ୍ଫାବେଟ୍ ସିଇଓ ସୁନ୍ଦର ପିଚାଇ ସବୁଠାରୁ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ବ୍ୟବସାୟିକ ନେତା ଭାବେ ଉଭା ହୋଇଛନ୍ତି । ତାଙ୍କ କମ୍ପାନୀର ବଜାର ମୂଲ୍ୟ ୪.୨ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଏହି ତାଲିକାରେ ମାଇକ୍ରୋସଫ୍ଟ ମୁଖ୍ୟ ସତ୍ୟ ନାଡେଲା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ମାଇକ୍ରୋନ୍ ଟେକ୍ନୋଲୋଜି ସିଇଓ ସଞ୍ଜୟ ମେହେରୋତ୍ରା ତୃତୀୟ ସ୍ଥାନରେ ରହିଛନ୍ତି ।
ଏହି ନୂତନ ସଂସ୍କରଣରେ ଭାରତ ବାହାରେ ଥିବା ୨୦୦ଟି କମ୍ପାନୀର ନେତୃତ୍ୱ ନେଉଥିବା ୨୩୬ ଜଣ ଭାରତୀୟ ବଂଶୋଦ୍ଭବ ସାମିଲ ଅଛନ୍ତି। ଏହି ବ୍ୟବସାୟଗୁଡ଼ିକର ମିଳିତ ମୂଲ୍ୟ ୧୫ ଟ୍ରିଲିୟନ ଡଲାର ରହିଛି।
ଏହି କମ୍ପାନୀଗୁଡ଼ିକ ବିଶ୍ୱବ୍ୟାପୀ ପ୍ରାୟ ୫.୩ ନିୟୁତ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ ୨୦୨୫ରେ ୨.୫ ଟ୍ରିଲିୟନ ଡଲାର ରାଜସ୍ବ ଆୟ କରିଛନ୍ତି। ସେମାନଙ୍କର ମୋଟ ନେଟ୍ ଲାଭ ୪୧୬ ବିଲିୟନ ଡଲାରରେ ପହଞ୍ଚିଛି।
୨୦୨୪ ପରଠାରୁ ଆଲ୍ଫାବେଟ୍ର ମୂଲ୍ୟ ପ୍ରାୟ ୯୮% ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ମାଇକ୍ରୋସଫ୍ଟ ୧୭% ହ୍ରାସ ରେକର୍ଡ କରିଛି। ଫଳରେ ବିଶ୍ୱସ୍ତରୀୟ ଭାରତୀୟ କାର୍ଯ୍ୟନିର୍ବାହୀଙ୍କ ଦ୍ୱାରା ପରିଚାଳିତ କମ୍ପାନୀଗୁଡ଼ିକ ମଧ୍ୟରେ ଆଲ୍ଫାବେଟ୍ ଶୀର୍ଷ ସ୍ଥାନ ଅଧିକାର କରିପାରିଛି।

