ମଣିଷରୁ ଦେବତା ନା ଅସୁର

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ଧରାପୃଷ୍ଠରେ ଜୀବଜଗତର ବିକାଶ ସମ୍ପର୍କରେ ଡାର୍‌ଉଇନ୍‌ଙ୍କ ବିବର୍ତ୍ତନ ମତବାଦକୁ ଏବେ ମଧ୍ୟ ସର୍ବଶ୍ରେଷ୍ଠ ବୋଲି ଗଣନା କରାଯାଏ। ଏଥିଅନୁସାରେ ପରିବେଶ ପ୍ରଭାବରେ ଜିନୀୟସ୍ତରରେ ଆସୁଥିବା ପରିବର୍ତ୍ତନ ହେତୁ ନୂତନ ନୂତନ ଜୀବ ଶ୍ରେଣୀମାନଙ୍କର ବିକାଶ ଘଟିଲା। ଏଣୁ ଜୀବନର ସ୍ଥିତି ଏହି ବିବର୍ତ୍ତନ ପ୍ରକ୍ରିୟା ସହିତ ଓତପ୍ରୋତ ଭାବେ ଜଡ଼ିତ। ଏହା ଏବେ ମଧ୍ୟ ଚାଲିଛି ଏବଂ ଜୀବଜଗତର ରୂପରେଖକୁ ପ୍ରଭାବିତ କରିବାରେ ଲାଗିଛି। ମଣିଷ ଏଥିରୁ ବାଦ୍‌ ପଡ଼ିନାହିଁ।
ବିବର୍ତ୍ତନ ଏକ ନିଶ୍ଚିତ ଘଟଣା ଏବଂ ଏହା ଅବିରତ ଭାବେ ଆମ ଶରୀର ମଧ୍ୟରେ ବିଭିନ୍ନ ପରିବର୍ତ୍ତନ ଆଣୁଛି। ଭବିଷ୍ୟତରେ ମଧ୍ୟ ଏହା ଚାଲିବ, ଯେପର୍ଯ୍ୟନ୍ତ ଧରାପୃଷ୍ଠରୁ ଜୀବଜଗତ ସମ୍ପୂର୍ଣ୍ଣ ବିଲୁପ୍ତ ନ ହୋଇଛି। ଏ ପ୍ରକ୍ରିୟା ଏବେ ଚାଲିଥିବାର ଅନେକ ପ୍ରମାଣ ରହିଛି। ତାହା ମଣିଷକୁ ବଦଳାଇବାରେ ଲାଗିଛି।
ଅଗଷ୍ଟ (୨୦୨୧) ଜର୍ନାଲ୍‌ ଅଫ୍‌ ଆନାଟୋମିରେ (ଆମେରିକୀୟ) ଏକ ବିସ୍ମୟକର ଆବିଷ୍କାର ସମ୍ପର୍କରେ ନିବନ୍ଧଟିଏ ପ୍ରକାଶ ପାଇଛି। ସେଥିରେ ସୂଚିତ କରାଯାଇଛି ଯେ, ବର୍ତ୍ତମାନ ମଣିଷର ବାହୁରେ ନୂତନ ଧମନୀଟିଏ ସୃଷ୍ଟି ହେବାରେ ଲାଗିଛି। ତା’ଠାରେ ବିବର୍ତ୍ତନ ପ୍ରକ୍ରିୟା ଏବେ ବି ସକ୍ରିୟ ବୋଲି ଏଥିରୁ ପ୍ରମାଣ ମିଳୁଛି। ତଦନୁଯାୟୀ ଗର୍ଭାଶୟରେ ଥିଲାବେଳେ ଭ୍ରୂଣଠାରେ ଏହା ସୃଷ୍ଟି ହୋଇଥାଏ, କିନ୍ତୁ କ୍ରମେ ତାହା ଉଭେଇଯାଏ। ଏବେ ସେପରି ହେଉନାହିଁ। ଅନେକଙ୍କଠାରେ ଜନ୍ମ ହେଲାପରେ ମଧ୍ୟ ତାହା ରହିଯାଉଛି।
ମଣିଷଠାରେ ବିବର୍ତ୍ତନୀୟ ପରିବର୍ତ୍ତନର ଅନ୍ୟ ଏକ ଦୃଷ୍ଟାନ୍ତ ହେଲା ଶରୀରର ତାପମାତ୍ରା ହ୍ରାସ। ସୃଷ୍ଟିକାଳରୁ ତାହା ଯେତିକି ଥିଲା ଏବେ ନାହିଁ। ଜଣାପଡ଼ିଛି ଯେ, ୧୮୬୮ ମସିହାଠାରୁ ଆଜିଯାଏ ୯୮.୬ ଡିଗ୍ରୀ ଫାରେନ୍‌ହାଇଟ୍‌କୁ ସୁସ୍ଥ ଶରୀରର ତାପମାତ୍ରା ରୂପେ ଗଣନା କରାଯାଉଛି। ଏଥିରୁ ଅଧିକ ହେଲେ ତାହାକୁ ଜ୍ୱର ଏବଂ କମ୍‌ ହେଲେ ଅଳ୍ପ-ତପ୍ତତା ବୋଲି କୁହାଯାଉଛି। କିନ୍ତୁ ନିକଟରେ (୨୦୨୦ ମସିହା) ଷ୍ଟାନ୍‌ ଫୋର୍ଡ ବିଶ୍ୱବିଦ୍ୟାଳୟ (ଆମେରିକା)ର ଭେଷଜ ବିଜ୍ଞାନ ବିଭାଗର ପ୍ରଫେସର ଜୁଲି ପାରସୋବେଟ୍‌ଙ୍କ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତି ୧୦ ବର୍ଷରେ ଏହା ପ୍ରାୟ ୦.୦୫ ଡିଗ୍ରୀ ହାରରେ ହ୍ରାସ ପାଇବାରେ ଲାଗିଛି। ଫଳରେ ବର୍ତ୍ତମାନ ଏହା ହାରାହାରି ୯୭.୯ ଡିଗ୍ରୀ ଫାରେନ୍‌ହାଇଟ୍‌ରେ ପହଞ୍ଚିଗଲାଣି। ଅତଏବ ମଣିଷର ଶରୀର ଶୀତଳରୁ ଶୀତଳତର ହେବା ଲାଗି ବଦଳି ଚାଲିଛି।
ପୁନଶ୍ଚ ମଣିଷଠାରେ ବିବର୍ତ୍ତନ ପ୍ରକ୍ରିୟାର ଅନ୍ୟତମ ପରିପ୍ରକାଶ ଘଟିଛି ଅସ୍ଥିର ସାନ୍ଦ୍ରତା ହ୍ରାସ ରୂପେ। ତା’ ପୂର୍ବପୁରୁଷଙ୍କଠାରେ ତାହା ଅଧିକ ସାନ୍ଦ୍ର ଏବଂ ଭାରି ଥିଲା। କିନ୍ତୁ ବିବର୍ତ୍ତନ ଏବଂ ପାରିପାର୍ଶ୍ୱିକ ଅବସ୍ଥାରେ ପରିବର୍ତ୍ତନ ହେତୁ ବିଗତ ପ୍ରାୟ ୧୬୦୦୦ ବର୍ଷ ଧରି ତା’ ଅସ୍ଥି ଦୁର୍ବଳ ହେବାରେ ଲାଗିଛି। ଏହି ସମୟରେ ମଣିଷ ଚାଷକର୍ମ ଆରମ୍ଭ କରିଥିଲା ଏବଂ ବସତି ସ୍ଥାପନ କରିଥିଲା। ଆମେରିକୀୟ ନୃତତ୍ତ୍ୱବିତ୍‌ ହାବିବା ଚିର୍‌ଚିର ଏବଂ ତାଙ୍କ ସହଯୋଗୀମାନେ ବିଗତ ୨୦୧୫ ମସିହାରେ କରିଥିବା ଏକ ଅଧ୍ୟୟନରୁ ଉପସଂହାରରେ ପହଞ୍ଚିଛନ୍ତି ଯେ, ଶିକାର ଓ ଖାଦ୍ୟ ସଂଗ୍ରହ ବଦଳରେ କୃଷିକର୍ମ ଆରମ୍ଭ ହେତୁ ମଣିଷକୁ ଖାଦ୍ୟ ନିରାପତ୍ତା ମିଳିବା ପରଠାରୁ ତା’ର କଙ୍କାଳ ସୂକ୍ଷ୍ମ ହେବାକୁ ଲାଗିଛି। ଅନ୍ୟ ଭାଷାରେ କହିବାକୁ ଗଲେ ଜୀବନଧାରା ସହିତ ତାଳ ଦେଇ ତା’ଠାରେ ଏହି ବିବର୍ତ୍ତନୀୟ ପରିବର୍ତ୍ତନ ଆସିଛି।
ଶରୀରର ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ମଣିଷଠାରେ ବିବର୍ତ୍ତନର ସୂଚନା ବହନ କରିଥାଏ। ବିବିଧ ଜୀବାଣୁ, ଭୂତାଣୁ ଏବଂ ତଜ୍ଜନିତ ରୋଗ ପ୍ରତି ତା’ର ରୋଗ ପ୍ରତିରୋଧ ଶକ୍ତି ମୂଳତଃ ବିବର୍ତ୍ତନ ସହିତ ସମ୍ପୃକ୍ତ। ଆଗଭଳି ଅନେକ ଭୂତାଣୁଜନିତ ରୋଗ ତାକୁ ଏବେ ଆଉ ମାରିପାରୁ ନାହିଁ, ଯାହା କି ଏକଦା ଅତି ଘାତକ ଥିଲା। ଏହାର କାରଣ ହେଲା ଯେ, ଯେଉଁମାନେ ଏଥିରୁ ବଞ୍ଚିଗଲେ ତାଙ୍କଠାରେ ସୃଷ୍ଟି ହୋଇଥିବା ନୂତନ ବିବର୍ତ୍ତନୀୟ ବୈଶିଷ୍ଟ୍ୟଗୁଡ଼ିକୁ ତାଙ୍କ ବଂଶଜମାନେ ଉତ୍ତରାଧିକାର ସୂତ୍ରରେ ଲାଭ କଲେ। ଚାଲନ୍ତୁ କୋଭିଡ୍‌-୧୯ କଥା ବିଚାରକୁ ନେବା। ଏବେ ଏହା ଏକ ଭୟଙ୍କର ମହାମାରୀ ରୂପେ ପରିଗଣିତ ହେଉଛି। କିନ୍ତୁ କିଛି ବର୍ଷ ପରେ ତାହା ଆଉ ସେପରି ରହିବ ନାହିଁ। ସାଧାରଣ ଶର୍ଦ୍ଦି ବା ଫ୍ଲୁ ଭଳି ମଧ୍ୟ ଏହାର ଚିକିତ୍ସା ସହଜ ହେବ।
ସେହିପରି ସାଧାରଣତଃ କେତେକ ଖାଦ୍ୟ ମଣିଷଠାରେ ଆଲର୍ଜି ସୃଷ୍ଟି କରନ୍ତି। ବିଭିନ୍ନ ପ୍ରକାର କୋଳି, ଗହମରେ ଥିବା ଶ୍ୱେତସାର ଗ୍ଲୁଟେନ, କ୍ଷୀରରେ ଥିବା ଶର୍କରା ଲାକ୍ଟୋଜ୍‌ ଆଦି ଏହାର ଉଦାହରଣ। ଏଗୁଡ଼ିକ ପ୍ରତି ତା’ର ଅସହିଷ୍ଣୁତା ଥାଏ। ଅନେକ ଲୋକ ଏହାକୁ ଅନୁଭବ କରିପାରନ୍ତି ନାହିଁ ଏବଂ ସେଥିସହିତ ଚଳିଯାଆନ୍ତି। ଲାକ୍ଟୋଜ୍‌ ପ୍ରତି ଅସହିଷ୍ଣୁତା ଆମ ଦେଶରେ ବହୁଳ ଭାବେ ଦେଖାଯାଏ। କିନ୍ତୁ ଦିନକୁଦିନ ତାହା ହ୍ରାସ ପାଇବାରେ ଲାଗିଛି। ଆଜକୁ ପ୍ରାୟ ୫୦୦୦ରୁ ୧୦୦୦୦ ବର୍ଷ ପୂର୍ବେ ୟୁରୋପୀୟମାନଙ୍କଠାରେ ଜିନୀୟ ପରିବର୍ତ୍ତନ ହେତୁ ପ୍ରଥମେ ଲାକ୍ଟୋଜ୍‌ ପ୍ରତି ସହନଶୀଳତା ସୃଷ୍ଟି ହୋଇଥିଲା। ତହିଁରେ କ୍ରମେ ଅନ୍ୟମାନେ ତାହା ହାସଲ କଲେ। ବିଭିନ୍ନ ଖାଦ୍ୟର ଆବଶ୍ୟକତା ସହିତ ବିବର୍ତ୍ତନ କାରଣରୁ ଏହା ଜାତ ହୋଇଥିଲା ବୋଲି ମନେକରାଯାଏ। ଖାଦ୍ୟାଭ୍ୟାସ ସହିତ ସମ୍ପୃକ୍ତ ଜିନ୍‌ରିମାନଙ୍କ ଧ୍ରୁବୀକରଣ ହେତୁ ଏପରି ଘଟିଥାଇପାରେ। ସେହିପରି ମଣିଷର ହାରାହାରି ଉଚ୍ଚତା ବୃଦ୍ଧି, ମସ୍ତିଷ୍କର କିଛି ଅଂଶ ଅଧିକ ସକ୍ରିୟ ହେବା, ଶରୀରର ପ୍ରତିରକ୍ଷା ଜିନ୍‌ମାନଙ୍କରେ ପରିବର୍ତ୍ତନ ଆସିବା ଇତ୍ୟାଦିକୁ ମଧ୍ୟ ବିବର୍ତ୍ତନ ହେତୁ ଘଟୁଥିବାର କୁହାଯାଉଛି।
ଜୀବଜଗତର ସୁଦୀର୍ଘ ବିବର୍ତ୍ତନୀୟ ଯାତ୍ରା ଗଭୀର ମହାସାଗରମାନଙ୍କରୁ ଆରମ୍ଭ ହୋଇଥିଲା। ଏଣୁ ପ୍ରଥମେ ଜଳରେ ପ୍ରାଣୀମାନଙ୍କଠାରୁ ଏହାର ଅୟମାରମ୍ଭ ଘଟି ତତ୍‌ପରେ ବାୟୁ ସାହାଯ୍ୟରେ ଶ୍ୱାସକ୍ରିୟା ସଂପାଦନ କରୁଥିବା ଜୀବମାନଙ୍କର ବିକାଶ ଘଟିଲା ଏବଂ କ୍ରମେ ତହିଁରୁ କିଛି ଭୂଭାଗକୁ ଆସିଲେ। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ଏକ ଜାତିର ‘କୋମ୍ବଜେଲି’ ହେଉଛି ସ୍ଥଳଭାଗରେ ବାସ କରୁଥିବା ସର୍ବ ପ୍ରଥମ ଜୀବ। ତତ୍‌ପରେ ପ୍ରାୟ ୩୬୦ ନିୟୁତ ବର୍ଷ ପୂର୍ବେ ‘ହାଗ୍‌ଫିସ୍‌’ ଏବଂ ‘ଲାମ୍‌ଫ୍ରେଜ୍‌’ ଭଳି ସ୍ଥଳଚରମାନେ ସୃଷ୍ଟି ହେଲେ। ଏବର ପ୍ରାଣୀମାନଙ୍କଠାରେ ଭୂପୃଷ୍ଠରେ ବଞ୍ଚତ୍ବା ପାଇଁ ଆବଶ୍ୟକ ହେଉଥିବା କାନ୍ଧ, କହୁଣି, ଗୋଡ଼ ଏବଂ ବେକ ଭଳି ମଣିଷଠାରେ ଥିବା କିଛି ଅଙ୍ଗ ବିକଶିତ ହେବାକୁ ଲାଗିଲା। କ୍ରମେ ଏହିସବୁ ଅଙ୍ଗ ଧାରଣ କରୁଥିବା ମାଙ୍କଡ଼ ଜାତୀୟ ପ୍ରାଣୀଙ୍କର ଆବିର୍ଭାବ ହେଲା ଏବଂ ତା’ଠାରୁ ବିଭିନ୍ନ ସ୍ତର ଦେଇ ମଣିଷ ସୃଷ୍ଟି ହେଲା। ଜିନୀୟ ପରିବର୍ତ୍ତନର ଏସବୁରେ ଥିଲା ମୁଖ୍ୟ ଭୂମିକା। ତେବେ, ତା’ର ପୂର୍ବପୁରୁଷ ରୂପେ ପରିଗଣିତ ଗରିଲା ଓ ତା’ ମଧ୍ୟରେ ଜିନୀୟ ପ୍ରଭେଦତା କେବଳ ୩.୬ ଶତାଂଶ। ଏତିକି ମାତ୍ର ପରିବର୍ତ୍ତନ ସେହି ବନବାସୀ ଜୀବଟିକୁ ଚିନ୍ତାଶକ୍ତି ସମ୍ପନ୍ନ ବୁଦ୍ଧିମାନ ମଣିଷରେ ପରିଣତ କଲା। ଏପରି ସ୍ଥଳେ, ବର୍ତ୍ତମାନ ତା’ଠାରେ ଆସୁଥିବା ବିବର୍ତ୍ତନୀୟ ପରିବର୍ତ୍ତନ ତାକୁ ହୁଏତ ଦିନେ ଅତିମାନବ ବା ଆମ କଳ୍ପନାର ଦେବତାରେ ପରିଣତ କରିଦେବ ବୋଲି ଆଶା କରାଯିବା ସ୍ବାଭାବିକ। କିନ୍ତୁ ବର୍ତ୍ତମାନର ମଣିଷ ଚରିତ୍ର ଯେପରି ନକାରାତ୍ମକ ଭାବେ ବଦଳି ଚାଲିବାର ଦେଖାଯାଉଛି ତାହା ମନରେ ସଂଶୟଟିଏ ମଧ୍ୟ ସୃଷ୍ଟି କରେ ସେ ଅସୁରରେ ପରିଣତ ହେବାକୁ ଯାଉନି ତ?
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri