Categories: ଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌: ହାଲେପ୍‌, ଭିଟୋଲିନା ବିଜୟୀ

ପ୍ୟାରିସ୍‌,୩।୧୦(ଏପି): ପ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟପ୍‌ ସିଡ୍‌ ତଥା ଟାଇଟଲ ଫେଭରାଇଟ୍‌ ରୋମାନିଆର ସିମୋନା ହାଲେପ୍‌ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଶୁକ୍ରବାର ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ଆମେରିକାର ୨୫ତମ ସିଡ୍‌ ଖେଳାଳି ଅମଣ୍ଡା ଆନିସିମୋଭାଙ୍କୁ ୬-୦, ୬-୧ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଏଥି ସହିତ ହାଲେପ୍‌ ଅମଣ୍ଡାଙ୍କଠାରୁ ଗତବର୍ଷ ଫ୍ରେଞ୍ଚ୍‌ ଓପନ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଚତୁର୍ଥ ରାଉଣ୍ଡରେ ହାଲେପ୍‌ ଏବେ ଅଣସିଡ୍‌ ପୋଲାଣ୍ଡର ଟିନ୍‌ଏଜ ଖେଳାଳି ଇଗା ସ୍ବିଆଟେକ୍‌ଙ୍କୁ ଭେଟିବେ। ବର୍ଷେ ତଳେ ଅମଣ୍ଡା କ୍ୱାର୍ଟରରେ ଫାଇନାଲରେ ହରାଇଥିଲେ। ୨୦୧୮ରେ ହାଲେପ୍‌ ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଥିଲେ ଓ ସେ ଏହି ଟୁର୍ନାମେଣ୍ଟରେ ଦୁଇଥର ରନର୍ସଅପ୍‌ ମଧ୍ୟ ହୋଇଛନ୍ତି। ସେହିପରି ସ୍ବିଆଟେକ ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ କାନାଡ଼ାର ତାରକା ଖେଳାଳି ୟୁଗେନି ବୌଚାର୍ଡଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରି ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ୧୯ ବର୍ଷୀୟ ସ୍ବିଆଟେକ୍‌ ଅନ୍ୟ ୪ଜଣ ଟିନ୍‌ଏଜର ଖେଳାଳିଙ୍କ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ୟୁକ୍ରେନର ଏଲିନା ଭିଟୋଲିନା ତୃତୀୟ ରାଉଣ୍ଡରେ ରୁଷିଆ ୨୭ତମ ସିଡ୍‌ ଖେଳାଳି ଏକାଟେରିନା ଆଲେକ୍‌ଜାଣ୍ଡ୍ରୋଭାଙ୍କୁ ୬-୪, ୭-୫ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଆର୍ଜେଣ୍ଟିନାର ନାଡିଆ ପୁଡୋରୋସ୍କା ତୃତୀୟ ରାଉଣ୍ଡରେ ସ୍ଲୋଭାକିଆର ଆନ୍ନା କାରୋଲିନା ସିମିଏଡଲୋଭାଙ୍କୁ ୬-୩, ୬-୨ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି।

ଚତୁର୍ଥ ରାଉଣ୍ଡରେ ଥିମ୍‌
ୟୁଏସ୍‌ ଓପନ୍‌ ଚାମ୍ପିୟନ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ଚଳିତ ଫ୍ରେଞ୍ଚ୍‌ ଓପନ୍‌ ଟୁର୍ନାମେଣ୍ଟର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ଥିମ୍‌ ନରଓ୍ବେର କାସ୍ପର ରୁଡଙ୍କୁ ୬-୪, ୬-୩, ୬-୧ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଫ୍ରେଞ୍ଚ୍‌ ଓପନର ଗତ ଦୁଇଟି ସଂସ୍କରଣରେ ଥିମ୍‌ ଫାଇନାଲରେ କ୍ଲେକୋର୍ଟର ରାଜା କୁହାଯାଉଥିବା ସ୍ପେନର ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ ମଧ୍ୟ ବିଜୟୀ ହେବାକୁ ସକ୍ଷମ ହୋଇଥିଲେ। ଯଦି ବିଜୟୀ ହୋଇଥାନ୍ତେ ତା’ହେଲେ ରୁଡ୍‌ ଦ୍ୱିତୀୟ ନରଓ୍ବେ ଖେଳାଳିଭାବେ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥାନ୍ତେ। ପୂର୍ବରୁ ତାଙ୍କ ପିତା ତଥା କୋଚ୍‌ ଖ୍ରୀଷ୍ଟିଆନ ରୁଡ ୧୯୯୭ରେ ଅଷ୍ଟ୍ରେଲିଆନ ଓପନ୍‌ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ।

Share