Categories: ଖେଳ

ଫ୍ରେଞ୍ଜ୍‌ ଓପନ୍‌: ସେମିରେ କ୍ୱିଟୋଭା, କେନିନ୍‌

ପ୍ୟାରିସ୍‌,୮।୧୦(ଏପି): ଦୁଇଥର ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଥିବା ଚେକ୍‌ ଗଣରାଜ୍ୟର ଅଭିଜ୍ଞ ଖେଳାଳି ପେଟ୍ରା କ୍ୱିଟୋଭା ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସପ୍ତମ ସିଡ୍‌ ମାନ୍ୟତା ପାଇଥିବା କ୍ୱିଟୋଭା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଜର୍ମାନୀ ଲାଉରା ସିଗେମଣ୍ଡଙ୍କୁ ୬-୩, ୬-୩ ସିଧାସଳଖ ସେଟ୍‌ରେ ହରାଇ ସେମିକୁ ଉଠିଛନ୍ତି। କ୍ୱିଟୋଭା ଏଥିସହିତ ଦ୍ୱିତୀୟଥର ପାଇଁ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସପ୍ତମ ସିଡ କ୍ୱିଟୋଭା ସେମିରେ ଅଷ୍ଟ୍ରେଲିଆ ଓପନ୍‌ ଚାମ୍ପିୟନ ଆମେରିକାର ସେଫିଆ କେନିନଙ୍କୁ ଭେଟିବେ। ଚତୁର୍ଥ ସିଡ୍‌ କେନିନ୍‌ ବୁଧବାର ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ନିଜ ଦେଶର ଡାନିଏଲେ କଲିନ୍ସଙ୍କୁ ୬-୪, ୪-୬, ୬-୦ ସେଟ୍‌ରେ ପରାସ୍ତ କରି ପ୍ରଥମଥର ପାଇଁ ଫ୍ରେଞ୍ଚ୍‌ ଓପନ୍‌ ସେମିରେ ପ୍ରବେଶ କରିଛନ୍ତି।
ଅନ୍ୟପଟେ ଅନ୍ୟଏକ ସେମିଫାଇନାଲରେ ଆର୍ଜେଣ୍ଟିନାର ନାଡିଆ ପୋଡୋରୋସ୍କା ଓ ପୋଲାଣ୍ଡର ଇଗା ସ୍ବିଟେକ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ପୋଡୋରୋସ୍କା ମଙ୍ଗଳବାର କ୍ୱାର୍ଟର ଫାଇନାଲରେ ତୃତୀୟ ସିଡ୍‌ ୟୁକ୍ରେନର ଏଲିନା ଭିଟୋଲିନାଙ୍କୁ ୬-୨, ୬-୪ ସେଟ୍‌ରେ ହରାଇ ସେମିଫାଇନାଲକୁ ଉଠିଥିଲେ। ସେହିପରି ସ୍ବିଟେକ କ୍ୱାର୍ଟର ଫାଇନାଲରେ ଇଟାଲୀର ମାର୍ଟିନା ଟ୍ରେଭିସିଆନଙ୍କୁ ୬-୩, ୬-୧ ସେଟ୍‌ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Share