Categories: ଖେଳ

ଫ୍ରେଞ୍ଚ୍‌ ଓପନ୍‌: ଡବଲ୍ସ ଟାଇଟଲ ବଜାୟ ରଖିଲେ ବାବୋସ- ମ୍ଲାଡେନୋଭିକ୍‌

ପ୍ୟାରିସ୍‌,୧୨।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଟିମିଆ ବାବୋସ୍‌ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ ଟାଇଟଲ ବଜାୟ ରଖିଛନ୍ତି। ଦ୍ୱିତୀୟ ସିଡ୍‌ ମାନ୍ୟତା ପାଇଥିବା ଏହି ହଙ୍ଗେରୀ- ଫ୍ରେଞ୍ଚ୍‌ ଯୋଡି ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଚିଲିର ଆଲେକ୍ସା ଗୁଆରାଚି ଓ ଆମେରିକାର ଡେସିରେ କ୍ରଜିକ୍‌ଙ୍କୁ ୬-୪, ୭-୫ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ଏଥିସହ ବାବୋସ ଓ ମ୍ଲାଡୋନୋଭିକ୍‌ ମିଳିତ ଭାବେ ଚତୁର୍ଥ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଗତବର୍ଷ ମଧ୍ୟ ଏହି ଯୋଡି ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ଜିତିଥିଲା। ସେହିପରି ୨୦୧୮ ଓ ୨୦୨୦ରେ ଏହି ଯୋଡି ଅଷ୍ଟ୍ରେଲିଆ ଓପନ୍‌ ଟାଇଟଲ ମଧ୍ୟ ହାସଲ କରିଥିଲେ। ମ୍ଲାଡେନୋଭିକ୍‌ ୨୦୧୬ରେ ନିଜ ଦେଶ ଫ୍ରାନ୍ସର କାରୋଲିନା ଗାର୍ସିଆଙ୍କୁ ସାଥି କରି ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ। ମ୍ଲାଡେନୋଭିକ୍‌ ଏଥିସହ କ୍ୟାରିୟରର ପଞ୍ଚମ ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି।

Share