ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ ନ ଥାଇ ଯାହା ମାଗଣା ଦିଆଯାଏ ତାହା ଏକ ଫ୍ରିବି, ମାଗଣା ରାଜସେବା। ଏହାକୁ ଫ୍ରିବି ସଂସ୍କୃତି କୁହାଯାଉଛି। ଏମାନେ ଦିନେ ରାଜକୋଷରେ କଳାକନା ବୁଲାଇଦେବେ! ସବୁ ଦଳ କୌଣସି ନା କୌଣସି ଫ୍ରିବି ଦେବାକୁ ଘୋଷଣା କରୁଥିବାରୁ ଫ୍ରିବି ଉପରେ ସମାଲୋଚନା ଥମିଗଲାଣି, ପାଟି କରିବାକୁ କେହିନାହିଁ। ଫ୍ରିବି ଏକପ୍ରକାରର ଭୋଟ୍‌କିଣା, କିନ୍ତୁ ଆଦର୍ଶ ଆଚରଣବିଧି ଲାଗୁହେବା ପୂର୍ବରୁ ଦଳଗୁଡ଼ିକର ସଂଜ୍ଞା ଠିକ୍‌ ନ ଥିବାରୁ ବ୍ୟୟ ବି ନିର୍ଦ୍ଦିଷ୍ଟ ନୁହେଁ। ୨୦୨୨ର ଗୁଜରାଟ ନିର୍ବାଚନ ଅଭିଯାନରେ ଏଏପି ତା’ ନିର୍ବାଚନୀ ଇସ୍ତାହାରରେ ମାଗଣା ବିଜୁଳି ଯୋଗାଇବା ପ୍ରତିଶ୍ରୁତି ଦେବାରୁ ମୋଦିଙ୍କ କେନ୍ଦ୍ର ସରକାର ସମାଲୋଚନା କଲେ। ପରେ ୨୦୨୩ରେ ଫ୍ରିବିକୁ ମାଗଣା ରାବିଡ଼ି ମିଠା ସହ ତୁଳନା କରିଥିବା ମୋଦିଙ୍କ ଭାଜପା ସରକାର ବି ୮୦ କୋଟି ଲୋକଙ୍କୁ ଆଉ ୫ ବର୍ଷ ପାଇଁ ମାଗଣା ରାଶନ (ଚାଉଳ, ଗହମ ବା ମାଣ୍ଡିଆ) ଦେବା ଘୋଷଣା କରିଛନ୍ତି। ଏହି ୮୦ କୋଟିଯାକ କ’ଣ ଗରିବ? ପ୍ରକୃତରେ କ’ଣ ଏତେଲୋକ ଭୋକିଲା? ଟଙ୍କା ନ ଦେଇ ଜିନିଷ ଦେଲେ କ’ଣ ଭୋଟ କିଣିବା ସାଙ୍ଗେ ସମାନ ହେଲାନାହିଁ? ମାଗଣାରେ ବା ବଜାର ମୂଲ୍ୟରୁ ଶସ୍ତାରେ ଯୋଗାଇଲେ ଭୋଟର ହେବେ ଉପଭୋକ୍ତା, ଉପଭୋଗ କରିବେ, ଯାହାକୁ ବଡ଼ ଲୋକମାନେ ପ୍ରିଭିଲେଜ୍‌ କୁହନ୍ତି।
ଫ୍ରିବି ସଂସ୍କୃତି ତ ଆଜିକାର ନୂଆକଥା ନୁହେଁ। ୧୯୬୭ରେ ଡିଏମ୍‌କେର ପ୍ରତିଷ୍ଠାତା ସି.ଏନ୍‌. ଆନ୍ନାଦୁରାଇ କହିଥିଲେ, ମୋତେ ବିଜୟୀ କଲେ ମୁଁ ଟଙ୍କାକରେ ୪.୫ କିଲୋ ଚାଉଳ ଦେବି। ଗତ ୫୭ ବର୍ଷ ହେଲା ଦଳଗୁଡ଼ିକ ଭିତରେ ପ୍ରତିଯୋଗିତା ଚାଲିଛି କିଛି ନା କିଛି ପ୍ରକାରର ନୂଆ ଫ୍ରିବି ଯୋଗାଇବେ। ଏଆଇଏଡିଏମ୍‌କେ ୨୦୦୬ରେ ୨ ଲକ୍ଷ ସାଇକେଲ ଛାତ୍ରମାନଙ୍କୁ ଦେଇଥିଲା। ୨୦୧୧ରେ ଗର୍ଭବତୀ ମହିଳାଙ୍କୁ ୧୨,୦୦୦ରୁ ୧୮,୦୦୦ ଟଙ୍କାକୁ, ମାତୃତ୍ୱ ଛୁଟି ୪ରୁ ୯ ମାସକୁ ବଢ଼ାଇ ଘୋଷଣା କଲା। ବାହାଘରରେ ମଙ୍ଗଳସୂତ୍ର ପାଇଁ ୪ ଗ୍ରାମ୍‌ ସୁନାରୁ ୮ ଗ୍ରାମ୍‌, ଧୀବର ପରିବାରକୁ ୪ରୁ ୫ ହଜାର ଟଙ୍କା ଦିଆଯିବ ଘୋଷଣା ହେଲା, ଏମାନେ ନାମମାତ୍ର ଗରିବ ହୋଇଥିଲେ ବି। ଡିଏମ୍‌କେ ମିକ୍ସର, ଗ୍ରାଇଣ୍ଡର ଦେଲା ତ ଏଆଇଏଡିଏମ୍‌କେ ତା’ ସାଙ୍ଗକୁ ପଙ୍ଖାଟିଏ ଅଧିକା ଯାଚିଲା। ୨୦ ଲିଟର ପାଣି ଓ ୨୦ କିଲୋ ଚାଉଳ ବିପିଏଲ୍‌ ପରିବାରକୁ ପ୍ରଥମେ ଯାଚିଥିଲା, ପରେ ୩୫ କିଲୋକୁ ବଢ଼ାଇଥିଲା। ୨୦୧୬ ମେ’ ୧୬ରେ ଜୟଲଳିତା ତାଙ୍କର ଆମ୍ମା କ୍ୟାଣ୍ଟିନ ଘୋଷଣା କଲାବେଳକୁ ତାମିଲନାଡୁର ଋଣଭାର ୮୦% ବଢ଼ିଯାଇଥିଲା। ଆମ୍ମା କ୍ୟାଣ୍ଟିନ ସର୍ବସାଧାରଣ ହୋଇଥିବା ବେଳେ ପ୍ରତି ପରିବାରକୁ ୧୦୦ ୟୁନିଟ୍‌ ମାଗଣା ବିଜୁଳି, ପ୍ରତି ପରିବାରର ଜଣକୁ ଚାକିରି, ପରିବାରର ଶ୍ରେଣୀ ୧୦ ଓ ୧୧ରେ ପଢୁଥିବା ପିଲାଙ୍କୁ ଫ୍ରି ଲାପ୍‌ଟପ୍‌ ଓ ଇଣ୍ଟରନେଟ୍‌ ଯଚାଗଲା। ମହିଳାମାନଙ୍କୁ ଅନ୍ୟାନ୍ୟ ସୁବିଧା ସହିତ କର୍ମଜୀବୀ ମହିଳାକୁ ୫୦% ରିହାତିରେ ସ୍କୁଟର ଦିଆଯିବା ଘୋଷଣା ହେଲା। ପୁଣି ତ ଫ୍ରି ଗ୍ରାଇଣ୍ଡର, ମିକ୍ସର, ଲାପ୍‌ଟପ୍‌, ଦୁଧିଆଳି ଗାଈ ଓ ଛେଳି ଆଦି ଅଛି। ଓଡ଼ିଶାରେ ମାଗଣା ଚାଉଳ ବୋହିବା ପାଇଁ ବ୍ୟାଗ୍‌ ଆଉ ହଜାରେ ଟଙ୍କା, ମହିଳାମାନଙ୍କୁ ମାଗଣା ବସ୍‌ ସେବା ବା ୫ ଟଙ୍କାରେ ଯେକୌଣସି ନିକଟବର୍ତ୍ତୀ ସହରକୁ ଯାତ୍ରା। ‘ପ୍ରସାଦ’, ‘ମମତା’, ‘କାଳିଆ’, ‘ଲକ୍ଷ୍ମୀ’ ଧର୍ମୀୟ ଶବ୍ଦ ଲଗାଇ ଫ୍ରିବି (ସରକାରୀ ସେବା) ଦିଆଯାଉଛି। ସ୍କୁଲ୍‌ପିଲାଙ୍କୁ ମେଧା ନିର୍ବିଶେଷରେ ବୃତ୍ତି, ମନ୍ଦିର ମସ୍‌ଜିଦ୍‌ ଆଦିର ବେଢ଼ା ନିର୍ମାଣ ଭଳି ଫ୍ରିବି ତାଲିକା ବହୁତ ଲମ୍ବା- ସବୁ ଲେଖିଲେ ଏ ପ୍ରବନ୍ଧର ବନ୍ଧ ଭାଙ୍ଗିଯିବ। ଅଳ୍ପଦିନ ତଳେ ହୋଇଥିବା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲଙ୍ଗାନାରେ ଫ୍ରିବିର ଲମ୍ବାତାଲିକା ଭିତରେ ପ୍ରତି ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ୍‌ଭରା ସିଲିଣ୍ଡର ଅଛି। ମଧ୍ୟପ୍ରଦେଶରେ ଲାଡ୍‌ଲି ବେହେନା ରୋଜଗାର ଯୋଜନାରେ ୧.୩୨ କୋଟି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଚୌହାନ୍‌ ୧୨୫୦ ଟଙ୍କାରୁ ୩୦୦୦ ଯାଏ ଯାଚିଲେ ନାହିଁ, ଦେଇଦେଲେ।
ଫ୍ରିବି କୁହାଯାଉଥିବା ସବୁ ଜିନିଷ ଅକାରଣ ନୁହେଁ, ଯଥା ଶିକ୍ଷା ଓ ସ୍ୱାସ୍ଥ୍ୟ, ମଧ୍ୟାହ୍ନଭୋଜନ, ଜୀବିକାସ୍ତରର ମଜୁରି (ଲିଭିଂ ୱେଜେସ୍‌) ଭଳି କେତେଗୁଡିଏ ସୁବିଧା ନିଶ୍ଚୟ ଦରକାର। ଫ୍ରିବି ସ୍ୱଳ୍ପକାଳୀନ (ନିର୍ବାଚନରେ ଜିତିବା) ଲାଭ ଦିଏ। ଏସ୍‌ବିଆଇ ରିସର୍ଚ୍ଚ ରିପୋର୍ଟ କହେ, ଲାଡ୍‌ଲୀ ବେହେନା ସ୍କିମ୍‌ ମାର୍ଜିନାଲାଇଜ୍‌ଡ ମହିଳାମାନଙ୍କ ଆଚରଣରେ ଭଳ ଫଳ ଦେଖାଇଛି, ସେମାନେ ଦୋକାନରୁ କିଣାଖର୍ଚ୍ଚ ୩.୫ ଗୁଣ ବଢ଼ାଇ ପାରିଛନ୍ତି।
ଗରିବ ସୀମାରେଖା ତଳେ ଥିବାଙ୍କ ସଂଖ୍ୟା ଓ ସେମାନଙ୍କ ଉପରେ ଥିବା ନାମମାତ୍ର-ସ୍ୱଚ୍ଛଳଙ୍କ ସଂଖ୍ୟା ମିଶି ଆମଦେଶର ଜନସଂଖ୍ୟାର ୫୦%ରୁ ବେଶି, ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ ବା ଭଲକରି ବଞ୍ଚିବାର ଆବଶ୍ୟକତା କ’ଣ ବୁଝନ୍ତିନାହିଁ। ଦିଗଣ୍ଡା ଖାଇବାକୁ ମିଳିଗଲେ ଖୁସି, ଆଜି ତ ବଞ୍ଚିଗଲି କାଲିକି ଦେଖିବା। ମାଗଣା ଖାଦ୍ୟ ମିଳିଗଲେ ସେମାନେ କୃତକୃତ୍ୟ ଦେବେ, ଭୋଟ ଦେଇଦେବେ। ଦିନମଜୁରିଆ ସ୍ତରରୁ ଉପରେ ଥିବା ଲୋକ ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ଭାବେ, ସେମାନଙ୍କୁ ପାଠପଢ଼ାର ସାମଗ୍ରୀ ଯୋଗାଇ ଓ ସ୍ବାସ୍ଥ୍ୟଖର୍ଚ୍ଚର କାର୍ଡ ଯୋଗାଇଦେଲେ ସେମାନଙ୍କ ଭୋଟ ମିଳିଯାଇପାରେ। କିନ୍ତୁ ଏ ତ ଫ୍ରିବି ହେବା କଥା ନୁହେଁ। ରାଇଟ୍‌ ଟୁ ଲାଇଫ୍‌ ମାନେ ତ ଏସବୁ ସରକାରୀ କାମ ହେବାକଥା। ସମ୍ବିଧାନର ୨୧ ଧାରା କହୁଛି- ପ୍ରତ୍ୟେକ ବ୍ୟକ୍ତିର ବଞ୍ଚତ୍ବାର ଅଧିକାର ଅଛି, ତା’ମାନେ ଖାଦ୍ୟ ଓ ସ୍ୱାସ୍ଥ୍ୟ ମୌଳିକ ଅଧିକାର। ୬ରୁ ୧୬ ବର୍ଷର ପିଲାଙ୍କ ଶିକ୍ଷା ପାଇବା ଅଧିକାର ନ କହି ସରକାର ୨୦୦୨ରେ ୯୬ତମ ସମ୍ବିଧାନ ସଂଶୋଧନ ଆକ୍ଟ ଆଣି ୨୧କ’ ଧାରା ଯୋଡ଼ିଲେ ସିନା ତାକୁ ଡାଇରେକ୍ଟିଭ୍‌ ପ୍ରିନ୍ସିପ୍ଲ – ସମ୍ବିଧାନର ପାର୍ଟ ୪ ଭଳି କରିଦେଲେ, ରାଷ୍ଟ୍ର ଉଦ୍ୟମ କରିବ ବୋଲି କହିଦେଲେ। ମାଗଣା ଶିକ୍ଷା ବ୍ୟବସ୍ଥା ବ୍ୟକ୍ତିର ବଞ୍ଚତ୍ ରହିବାର ଓ ସ୍ବାଧୀନ ମତବ୍ୟକ୍ତ କରିବାର ପରିସ୍ଥିତି ତିଆରି କରେ, ତେଣୁ ଏହାକୁ ଫ୍ରିବି କହି କାହିଁକି ଭୋଟରମାନଙ୍କୁ ଫୁସୁଲା ଯାଉଛି? ଦଳଗୁଡ଼ିକ ଫ୍ରିବିର ମାଧୁର୍ଯ୍ୟ ଚାଖିଲେଣି, ତେଣୁ ସରକାରର କାମକୁ ଫ୍ରିବି ରୂପେ ଘୋଷଣା କରିଦେଉଛନ୍ତି। ଫ୍ରିବି ସଂସ୍କୃତି ସମ୍ପଦର ରାସ୍ତା ନୁହେଁ, ଆର୍ଥିକ ଧ୍ୱଂସ (ଫିସ୍କାଲ୍‌ ଡିଜାଷ୍ଟର)ର ଏକ ପାସ୍‌ପୋର୍ଟ ବୋଲି ୧୫ଶ ଫାଇନାନ୍ସ କମିଶନ କହିଥିଲେ।
ପ୍ରଥମତଃ ଟିକସଦାତାଙ୍କ ପଇସା ରାଜନୀତିକ ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉଛି, ଦ୍ୱିତୀୟତଃ ପ୍ରଦେଶମାନଙ୍କରେ ‘ରାଜସ୍ୱ ନିଅଣ୍ଟ’ ରୋଗ ବଢୁଛି, ଖଣିଜ ଦ୍ରବ୍ୟରୁ ପ୍ରଚୁର ରାଜସ୍ୱ ଆଦାୟ କରୁଥିବା ଝାଡ଼ଖଣ୍ଡ ଓ ଓଡ଼ିଶା ଭଳି ରାଜସ୍ୱ-ବଳକା ପ୍ରଦେଶ ବି ଋଣଭାରରେ ନଇଁପଡ଼ିଲେଣି। ପଞ୍ଜାବ, ହିମାଚଳ ପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ହରିୟାଣା ଆଦି ପ୍ରଦେଶର ରାଜକୋଷରେ ଶାସକ ଦଳ କଳାକନା ବୁଲାଇ ଦେଲେଣି। କେତେକ ପ୍ରଦେଶରେ ଦଳଗୁଡ଼ିକ ପୁରୁଣା ପେନ୍‌ସନ ବ୍ୟବସ୍ଥାକୁ ଫେରିବାକୁ ଚାହୁଁଛନ୍ତି। ସରକାରୀ କର୍ମଚାରୀଙ୍କ ଭିତରେ ଏକ ଭୋଟ୍‌ ବ୍ୟାଙ୍କ ତିଆରି କରିବାକୁ, ଏବର ନ୍ୟାଶନାଲ ପେନ୍‌ସନ ସ୍କିମ୍‌ ତୁଳନାରେ ବ୍ୟୟଭାର ସାଢ଼େ ଚାରିଗୁଣ ହୋଇଯିବ: ପୂର୍ବର ସବୁ ସଂସ୍କାରର ଫଳ ଓଲଟିଯିବ, ପରପିଢ଼ିର ସ୍ୱାର୍ଥ ଚୁଲିକୁ ଯିବ।

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri