ଧର୍ମୀୟ ପରମ୍ପରାରେ ମାଗଣା ଯୋଜନା

ହରିଶଙ୍କର ମିଶ୍ର

ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ମାଗଣା ଯୋଜନା କରୁଛନ୍ତି। କିନ୍ତୁ ଜନହିତକର ଯୋଜନା ନାମରେ ଯଦି ସାମାଜିକ ସଂସ୍କୃତି, ଧର୍ମ, ପରମ୍ପରାକୁ ବିପଥଗାମୀ କରାଯାଏ ତାହା ଦେଶ ଏବଂ ରାଜ୍ୟର ଗୌରବମୟ ଐତିହ୍ୟକୁ କଳଙ୍କିତ କରିଥାଏ। ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟରେ ପ୍ରଚଳିତ ହରିଶ୍ଚନ୍ଦ୍ର ଯୋଜନା ଓ କାର୍ତ୍ତିକ ହବିଷ୍ୟ ଯୋଜନାର ବାସ୍ତବତା ଯଦି ତର୍ଜମା କରାଯାଏ ତେବେ ତାହା ଆମ ଧର୍ମ, ସଂହତି ଓ ସାମାଜିକ କର୍ତ୍ତବ୍ୟକୁ ପ୍ରଭାବିତ କରୁଥିବା ନିଃସନ୍ଦେହ। ଆମ ରାଜ୍ୟର ଚଳଣି ଓ ସଂସ୍କୃତିରେ କାହାର ମୃତ୍ୟୁ ହେଲେ ପାରମ୍ପରିକ ରୀତିରେ ସଂସ୍କାର କରାଯାଏ। କିଛି ସମ୍ପ୍ରଦାୟ ମୃତକଙ୍କୁ ସମାଧି ଦେଉଥିବା ସ୍ଥଳେ ପ୍ରାୟତଃ ଶବଦାହ ପ୍ରଥା ରହିଛି। ଓଡ଼ିଶା ଏକ ଗ୍ରାମବହୁଳ ରାଜ୍ୟ। ଗ୍ରାମରେ କାହାର ମୃତ୍ୟୁ ହେଲେ ଶ୍ମଶାନକୁ ନ ଯିବା ପର୍ଯ୍ୟନ୍ତ ସମଗ୍ର ଗ୍ରାମରେ ପାକ, ଭୋଜନ ଏପରିକି ଗ୍ରାମ ଦେବତୀଙ୍କ ନୀତି ମଧ୍ୟ ବନ୍ଦ ରହେ। ସେତେବେଳେ ଗ୍ରାମରେ ଶତ୍ରୁମିତ୍ର ଭାବନା ନ ଥାଏ। ମୃତକଙ୍କ ଘରର ଶୋକ ପ୍ରଶମନଠାରୁ ଶବଦାହର ସମସ୍ତ ବ୍ୟବସ୍ଥାରେ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ ରହିଥାଏ। ପାରମ୍ପରିକ କ୍ରିୟା କର୍ମସହ ଶବଦାହ ପାଇଁ ଆବଶ୍ୟକ ଦ୍ରବ୍ୟ ସଂଗ୍ରହ ଓ କ୍ରିୟା କର୍ମ ସମ୍ପାଦନା ପାଇଁ ଗ୍ରାମ ମଧ୍ୟରେ ବିବିଧ ବର୍ଗର ବ୍ୟକ୍ତିଙ୍କ ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିଥାଏ। ମୃତକଙ୍କ ପରିବାର ଆର୍ଥିକ ଦୁର୍ବଳ ଥିଲେ ଶୁଦ୍ଧିକ୍ରିୟାରେ ମଧ୍ୟ ଗ୍ରାମବାସୀ ଓ ବନ୍ଧୁବାନ୍ଧବମାନେ ସହଯୋଗ କରିଥା’ନ୍ତି। ସହରଗୁଡ଼ିକରେ ରହୁଥିବା ଅପେକ୍ଷାକୃତ ଆର୍ଥିକ ସ୍ବଚ୍ଛଳ ବର୍ଗର ବ୍ୟକ୍ତି ଅର୍ଥ ବିନିମୟରେ ଏହି କାର୍ଯ୍ୟ କରିଥା’ନ୍ତି। ଅନେକ ସ୍ବେଚ୍ଛାସେବୀ ସଂସ୍ଥା ମଧ୍ୟ କୌଣସି ଗରିବ ବା ଅପରିଚିତ ବ୍ୟକ୍ତିଙ୍କ ଶବଦାହ ପାଇଁ ପୂର୍ଣ୍ଣ ଓ ସକ୍ରିୟ ସହଯୋଗ କରିଥା’ନ୍ତି। ଏବେ ସରକାରଙ୍କର ହରିଶ୍ଚନ୍ଦ୍ର ଯୋଜନା ପରେ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି। ଗ୍ରାମଗୁଡ଼ିକରେ ଏହି ସୁଯୋଗର ଦୁରୁପଯୋଗ କରାଯାଇ ଜଣେ ମୃତକଙ୍କୁ ଏକାଧିକବାର ମୃତ ଦର୍ଶାଯାଇ ଅର୍ଥପ୍ରଦାନ ଅଭିଯୋଗ ରହୁଥିବା ବେଳେ ଅନେକ ସ୍ଥଳରେ ଶବଦାହ ପାଇଁ ଦାହକମାନେ ଅର୍ଥ ବା ମାଦକ ଦ୍ରବ୍ୟ ଦାବି କରୁଛନ୍ତି। ଏହା ଗ୍ରାମ୍ୟ ସଂହତି ଓ ଭାଇଚାରାକୁ ବ୍ୟାହତ କରାଉଛି। ପୁରୀ ସ୍ବର୍ଗଦ୍ୱାରରେ ଏହି ବ୍ୟବସ୍ଥା ମଧ୍ୟ ବାଟବଣା ହେଉଛି। ବହୁ ଅର୍ଥ ବ୍ୟୟରେ ଏକାଧିକ ଗାଡ଼ିରେ ମୃତଶରୀର ଓ ଆତ୍ମୀୟଙ୍କୁ ଆଣୁଥିବା ସ୍ବଚ୍ଛଳ ବର୍ଗ ବ୍ୟକ୍ତି ନିଜକୁ ଆର୍ଥିକ ଅକ୍ଷମ ଦର୍ଶାଇ ଏହି ଯୋଜନାର ସୁଯୋଗ ନେଉଛନ୍ତି। ଅନ୍ୟ ପକ୍ଷରେ ଏଥିପାଇଁ ଉଦ୍ଦିଷ୍ଟ ତିନି ହଜାର ଟଙ୍କାରୁ ଦାୟିତ୍ୱରେ ଥିବା ସଂସ୍ଥା ଉନ୍ନତୀକରଣ ନାମରେ ୮ଶହରୁ ଅଧିକ ଟଙ୍କା କାଟି ରଖୁଛି। ମୁଖାଗ୍ନି ସାମଗ୍ରୀ ଚଢ଼ା ମୂଲ୍ୟରେ ନିଆଯାଉଛି। ମୃତକଙ୍କ ଆତ୍ମୀୟ ଶବଦାହ କଲେ ବି ସଂସ୍ଥା ଦ୍ୱାରା ନିଯୁକ୍ତ ଦାହକାରୀଙ୍କ ପାଇଁ ୩୫୦ ଟଙ୍କା ଆଦାୟ ହେଉଛି। ବ୍ୟବସ୍ଥାରେ ସୁଧାର ପାଇଁ ଏହା ବାରମ୍ବାର ଜିଲାପାଳଙ୍କ ଦୃଷ୍ଟିକୁ ଅଣାଯାଇଥିଲେ ବି ତାଙ୍କ ନୀରବତା ଭିନ୍ନ ପ୍ରଶ୍ନ ସୂଚାଉଛି। ଆତ୍ମୀୟଙ୍କ ଶବଦାହ ଓ ଶୁଦ୍ଧିକ୍ରିୟା ଆମର ଧର୍ମୀୟ କର୍ତ୍ତବ୍ୟ ହୋଇଥିବାରୁ ଏହି ଯୋଜନା ପ୍ରକାରାନ୍ତରେ ଧର୍ମହାନି କାରକ ହେଉଥିବା ସନ୍ଦେହ ନାହିଁ।
କାର୍ତ୍ତିକ ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ତ୍ତିକ ହବିଷ୍ୟ ଯୋଜନା ପ୍ରଚଳନ ପରେ ହବିଷିଆଳିଙ୍କୁ ବିଭିନ୍ନ ସ୍ଥାନରେ ରଖାଗଲା। କରୋନା ସଂକ୍ରମଣ ପାଇଁ ୨ବର୍ଷ ଏହା ବନ୍ଦ ଥିଲା। ବହୁ ଅର୍ଥ ବିନିମୟରେ ନୂତନ ଗୃହ ନିର୍ମାଣ ସତ୍ତ୍ୱେ ଏବର୍ଷ ସ୍ଥାନାଭାବ ଯୋଗୁ ଅନେକ ବ୍ରତାଚାରୀଙ୍କୁ ଅନ୍ୟତ୍ର ରଖାଯାଇଛି। ସେମାନଙ୍କ ରହଣି, ଚଳଣି, ମହାପ୍ରସାଦ ସେବନ, ଶ୍ରୀମନ୍ଦିର ଯାତାୟାତ ସହ ସ୍ବାସ୍ଥ୍ୟ, ନିରାପତ୍ତା ଏବଂ ଆନୁଷଙ୍ଗିକ ବ୍ୟବସ୍ଥାରେ ଅନେକ ଅର୍ଥ ବ୍ୟତୀତ ଯଥେଷ୍ଟ ମାନବ ସମ୍ବଳ ବିନିଯୋଗ ହେଉଛି। ରାଜ୍ୟ ବା ଦେଶକୁ ନ୍ୟାୟ ଓ ଧର୍ମମାର୍ଗରେ ପରିଚାଳନା କରିବା ଶାସକଙ୍କର କର୍ତ୍ତବ୍ୟ ବୋଲି ଆମ ପୁରାଣ ଓ ଧର୍ମଶାସ୍ତ୍ରରେ ବର୍ଣ୍ଣନା ହୋଇଅଛି। ଗଣତନ୍ତ୍ର ଶାସନ ଦ୍ୱାହି ଦେଇ ରାଜନୈତିକ ଉଦ୍ଦେଶ୍ୟରେ ଯଦି ରାଜସ୍ବ ବିନିଯୋଗ କରାଯାଏ ତାହା ହୁଏତ ତତ୍କାଳ ସ୍ବାର୍ଥ ସାଧନରେ ସହାୟତା କରିପାରେ। ମାତ୍ର ଏହାଦ୍ବାରା ଉପଭୋକ୍ତାମାନେ ଜ୍ଞାତ ବା ଅଜ୍ଞତାରେ ଅର୍ଜନ କରୁଥିବା ପାପ ପାଇଁ ”ରାଜ୍ୟର ପାପ ରାଜା ମୁଣ୍ଡରେ“ ବୋଲି ନୀତି ବାକ୍ୟ ରହିଛି। ଏହି ଯୋଜନା ବନ୍ଦ କରାଯାଇ ଏ ବାବଦ ବ୍ୟୟ ହେଉଥିବା ଅର୍ଥ ସାମୂହିକ ଉନ୍ନତିରେ ବ୍ୟୟ କରାଗଲେ ତାହା ରାଜ୍ୟ ଓ ରାଜ୍ୟ ଶାସକଙ୍କ ପାଇଁ ମଙ୍ଗଳକର ହେବ।
୧୧୩ ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri