ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଜମି ଚାଖଣ୍ଡେ ପାଇଁ ବିଭିନ୍ନ ସମୟରେ ଲୋକଙ୍କ ମଧ୍ୟରେ ବିବାଦ ଓ ହିଂସା ହେଉଛି । କିନ୍ତୁ ଏବେବି ଲୋକଙ୍କ ଉନ୍ନତି ପାଇଁ ନିଜ ଜମି ଦାନ କରି ଉଦାହରଣ ସୃଷ୍ଟି କରିବା ଲୋକ ଅଛନ୍ତି । ଭଞ୍ଜନଗର ସହରତଳି ଛେଦାଭୂମି ଗ୍ରାମର ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଜମି ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କର ପ୍ରଚେଷ୍ଟା ଓ ଜମିଦାନରେ ଘୁମୁସର ପୁରୋହିତ ବ୍ରାହ୍ମଣ ସମିତି ସଭାଗୃହ ନିର୍ମାଣର ମାର୍ଗ ପ୍ରଶସ୍ତ ହୋଇଛି । ଏହାର ଶିଳାନ୍ୟାସ ଉତ୍ସବ ରବିବାର ଅନୁଷ୍ଠିତ ହୋଇଛି।
ଏହି ଅବସରରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାଗୃହର ଶିଳାନ୍ୟାସ କରିଥିଲେ । ବ୍ରାହ୍ମଣ ସମାଜର ସାମାଜିକ, ସାଂସ୍କୃତିକ ଓ ମିଳନ କାର୍ଯ୍ୟକ୍ରମ ପାଇଁ ଏହି ସଭାଗୃହ ଉପଯୋଗୀ ହେବ ବୋଲି ବିଧାୟକ ନାୟକ ପ୍ରକାଶ କରିଥିଲେ। ଏଥିସହ କୂଳ ଗୃହ ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଆହୁରି ୨୦ ଲକ୍ଷ ଟଙ୍କା ଦିଆଯିବ ବୋଲି ବିଧାୟକ କହିଥିଲେ।
କାର୍ଯ୍ୟକ୍ରମରେ ଭଞ୍ଜନଗର ପୌରପାଳିକା ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ପୌରପାଳିକା ପକ୍ଷରୁ ଯାହା ସହଯୋଗ ଲୋଡ଼ା ଯୋଗାଇ ଦିଆଯିବ ବୋଲି କହିଥିଲେ। ବିଡିଓ ଭାରତୀ ଦେବୀ କହିଥିଲେ ବିଧାୟକ ହାତପାଣ୍ଠିରୁ ଆସିଥିବା ଅନୁଦାନ ସମାଜ ଗୃହ ନିର୍ମାଣ ପାଇଁ ପ୍ରଦାନ କରାଯାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ, ମୁରଲୀ ପଣ୍ତା, ଏମ ପି ପ୍ରତିନିଧି ସନ୍ତୋଷ ତିଆଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶୁଳପାଣି ଶତପଥି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଭଞ୍ଜନଗର ପୁରୋହିତ ବ୍ରାହ୍ମଣ ସମିତି ସଭାପତି ଜୟ କୃଷ୍ଣ ମିଶ୍ର ଉତ୍ସବରେ ଅଧକ୍ଷତା କରିଥିଲେ।
ହୋମରେ କର୍ତ୍ତା ଭାବେ ଜମିଦାତା, କୁର୍ମି କ୍ଷତ୍ରିୟ ସଂସ୍ଥାର କର୍ମକର୍ତ୍ତା ତଥା ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ ଯୋଗ ଦେଇଥିଲେ। ସମାଜର ଉନ୍ନତି ଓ ଆଗାମୀ ପିଢ଼ି ପାଇଁ ଏଭଳି ମହତ୍ ଉଦ୍ୟମ ଏକ ପ୍ରେରଣାଦାୟକ ଉଦାହରଣ ବୋଲି ଉପସ୍ଥିତ ଅତିଥି ଓ ସମାଜର ସଦସ୍ୟମାନେ କହିଥିଲେ। ଏଥିସହ ଘୁମୁସର ପୁରୋହିତ ବ୍ରାହ୍ମଣ ସମିତି ପକ୍ଷରୁ ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସରପଞ୍ଚ ଶିବରାମ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

