Categories: ଖେଳ

ପୂର୍ବତନ ଶ୍ରୀଲଙ୍କା କ୍ରିକେଟରଙ୍କୁ ୮ବର୍ଷ ବାସନ୍ଦ

ଦୁବାଇ, ୨୦ା୪ (ପି.ଟି.)- ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଦିଲହରା ଲୋକୁହେଟିଗେଙ୍କୁ ସୋମବାର କ୍ରିକେଟର ସମସ୍ତ କାର୍ଯ୍ୟକଳାପରୁ ୮ବର୍ଷ ବାସନ୍ଦ କରାଯାଇଛି। ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁର୍ନୀତି ନିବାରଣ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଦୋଷୀସାବ୍ୟସ୍ତ ହୋଇଥିଲେ। ଏହି ଡାହାଣହାତୀ ମିଡିୟମ ଫାଷ୍ଟ ବୋଲର ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ପାଇଁ ବାସନ୍ଦ ଦଣ୍ଡ ପିଛିଲା ୨୦୧୯ ଏପ୍ରିଲ ୩ ତାରିଖଠାରୁ ଲାଗୁ ହେବ, ସେତେବେଳେ ତାଙ୍କୁ ସାମୟିକ ବାସନ୍ଦ କରାଯାଇଥିଲା। ୪୦ ବର୍ଷୀୟ ଦିଲହରା ୨୦୧୬ ସେପ୍ଟେମ୍ବରରେ ଅବସର ନେବା ପୂର୍ବରୁ ତାଙ୍କ ଦେଶ ତରଫରୁ ୯ ଅନ୍ତର୍ଜାତୀୟ ଦିନିକିଆ ଓ ଦୁଇ ଅନ୍ତର୍ଜାତୀୟ ଟି୨୦ ଖେଳିଥିଲେ। ୨୦୧୭ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏକ ଟି୨୦ ଟୁର୍ନାମେଣ୍ଟ ବେଳେ ସେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଟିମ୍‌ ମଧ୍ୟ ଅଂଶଗ୍ରହଣ କରିଥିଲା। ଏକ ସ୍ବାଧୀନ ଟ୍ରିବ୍ୟୁନାଲ ଦିଲହରାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗର ବିଚାର କରିଥିଲା। ଲୋକୁହେଟିଗେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅବସ୍ଥାନ କରୁଛନ୍ତି।

Share