ପାଟଣା,୨୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା କାହ୍ନୁଚରଣ ନାଏକଙ୍କର ଗୁରୁବାର ରାତି ପ୍ରାୟ ୮ଟା ସମୟରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଗତ ଜୁନ୍ ୨୭ ତାରିଖରୁ ଅସୁସ୍ଥ ହୋଇ ପାଟଣାର କାହ୍ନୁଚରଣ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟ ଏବଂ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ।
ସ୍ୱର୍ଗତ କାହ୍ନୁଚରଣ ନାଏକ ୧୯୯୦ ମସିହାରେ ଅମଲା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୧୯୯୫ ମସିହା ପର୍ଯ୍ୟନ୍ତ ସେ ବିଧାୟକ ଭାବେ ପାଟଣା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରି ଅନେକ ଜନହିତକର କାର୍ଯ୍ୟ କରିବା ସହ ଲୋକପ୍ରିୟତା ହାସଲ କରିଥିଲେ। ଜଣେ ସରଳ, ନିଷ୍ଠାବାନ, ନିର୍ଭୀକ ଓ ଲୋକପ୍ରିୟ ଆଦିବାସୀ ନେତା ଭାବେ ସେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ସେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ପିତା ଅଟନ୍ତି।
ତାଙ୍କର ଦେହାନ୍ତ ସମୟରେ ଅନ୍ତିମ ଶଯ୍ୟା ନିକଟରେ ବଡ଼ପୁଅ ଇଞ୍ଜିନିୟର ଲୋକନାଥ ନାଏକ, ମଝିଆ ପୁଅ ତଥା ବିଜେଡି ନେତା ସତ୍ୟବ୍ରତ ନାଏକ, ସାନପୁଅ ତଥା ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ ଏବଂ ଝିଅ ଝରଣା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶୁକ୍ରବାର ସକାଳେ ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତସ୍ଥ ତାଙ୍କର ପୈତୃକ ଗ୍ରାମ ଭୋଗପଶିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପୁଅ ସତ୍ୟବ୍ରତ ନାଏକ ସୂଚନା ଦେଇଛନ୍ତି। କାହ୍ନୁଚରଣଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପାଟଣା ସମେତ ସମଗ୍ର କେନ୍ଦୁଝର ଜିଲାର ରାଜନୈତିକ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।