ଜେଏମ୍‌ଏମ୍‌ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି

ରାଇରଙ୍ଗପୁର,୩୧ା୮ (ମନୋରଞ୍ଜନ ତିରିଆ): ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଝାଡ଼ଖଣ୍ଡ ମୁୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଜେଏମ୍‌ଏମ୍‌ ରାଜ୍ୟ ଉପ ସଭାପତି ଦାୟିତ୍ୱରେ ଥିଲେ। ଦଳରେ ତାଙ୍କୁ କୋଣଠେସା କରି ରଖାଯାଇଥିବାରୁ ମଙ୍ଗଳବାର ରାତିରେ ସେ ତାଙ୍କ ଇସ୍ତଫା ପତ୍ରକୁ ଜେଏମ୍‌ଏମ୍‌ର କେନ୍ଦ୍ରୀୟ ସଭାପତି ଶିବୁ ସୋରେନ୍‌ଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି। ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଥିବାରୁ ସେ ଭାଜପାରେ ଯୋଗଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ୨୦୦୪ରେ ପ୍ରହ୍ଲାଦ ବହଳଦା(ସଂରକ୍ଷିତ) ବିଧାନସଭା ଆସନରୁ ଜେଏମ୍‌ଏମ୍‌ରୁ ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ଜାମଦା ବ୍ଲକର ଅଧ୍ୟକ୍ଷ ଥିଲେ। ୨୦୦୯ରେ ଜେଏମ୍‌ଏମ୍‌ ଟିକେଟରୁ ବଞ୍ଚତ୍ତ ହେବା ପରେ ସେ କିଛି ବର୍ଷ କଂଗ୍ରେସ ଏବଂ ବିଜେଡିରେ କାର୍ଯ୍ୟ କରିଥିଲେ। ୨୦୧୮ରେ ପୁନର୍ବାର ଜେଏମ୍‌ଏମକୁ ଫେରିଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ପୂର୍ବତନ ରାଜ୍ୟ ସଭାପତି ମହେଶଚନ୍ଦ୍ର ହେମ୍ବ୍ରମ ୨୦୨୧ରେ ଦଳ ଛାଡ଼ିବା ପରେ ଜେଏମ୍‌ଏମ୍‌ର ସୁପ୍ରିମୋ ଶିବୁ ସୋରେନ୍‌ଙ୍କ ଝିଅ ଅଞ୍ଜଳି ସୋରେନ୍‌ ଦଳର ରାଜ୍ୟ ସଭାପତି ହୋଇଥିଲେ। ଅଞ୍ଜଳିଙ୍କ ଟିମ୍‌ରେ ପ୍ରଥମେ ସେ ରାଜ୍ୟ କୋଷାଧ୍ୟକ୍ଷ ଏବଂ ପରେ ରାଜ୍ୟ ଉପସଭାପତି ରହିଥିଲେ।