ଚଣ୍ଡିଗଡ଼,୧୩।୮: ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଥିବା କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଚଣ୍ଡିଗଡ଼ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ପ୍ରଦୀପ ଛାବ୍ରା ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗଦେଇଛନ୍ତି। ଶୁକ୍ରବାର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ ଉପସ୍ଥିତିରେ ପ୍ରଦୀପ ଛାବ୍ରା ଏଏପିର ସଦସ୍ୟତା ଗ୍ରହଣ କରିବା ସହ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ଓ ତାଙ୍କ ସହକର୍ମୀଙ୍କୁ ଅବହେଳା କରାଯାଇଥିବା ଅଭିଯୋଗରେ ପ୍ରଦୀପ ଛାବ୍ରା ଗତ ସପ୍ତାହରେ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପୱନ ବଂସଲ ଏବଂ ବର୍ତ୍ତମାନର କଂଗ୍ରେସ ସଭାପତି ସୁଭାଷ ଚାୱଲାଙ୍କୁ ତାଙ୍କର ଏକ ଇସ୍ତଫା ପତ୍ର ପଠାଇଥିଲେ। ତେବେ କଂଗ୍ରେସ ପ୍ରଦୀପଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରି ନ ଥିଲା। ତାଙ୍କୁ ମନାଇବା ପାଇଁ ଦଳର ପ୍ରଭାରୀ ହରିଶ ରାୱତ ପ୍ରଦୀପଙ୍କ ସହ ଫୋନରେ କଥା ହୋଇଥିଲେ। ହେଲେ କୌଣସି ସୁଫଳ ମିଳିପାରି ନ ଥିଲା। ସୂଚନାଯୋଗ୍ୟ, ଲଗାତାର ୬ବର୍ଷରୁ ଚଣ୍ଡିଗଡ଼ କଂଗ୍ରେସର ମୁଖ୍ୟ ଥିବା ପ୍ରଦୀପ ଛାବ୍ରା ଗତ କିଛି ଦିନରୁ ଦଳ ଉପରେ କ୍ରୋଧିତ ଥିଲେ। କୁହାଯାଉଛି, ଯେଉଁଭଳି ତାଙ୍କୁ ମୁଖ୍ୟ ପଦରୁ ହଟାଗଲା ସେଥିରୁ ସେ ଗଭୀର ଆଘାତ ପାଇଥିଲେ। ଦଳ ତାଙ୍କୁ କିଛି ନ ଜଣାଇ ଏହି ପଦରୁ ହଟାଇ ଏକ ନୂତନ ମୁଖ୍ୟ ନିଯୁକ୍ତ କରିଥିଲା ବୋଲି ପ୍ରଦୀପ କହିଛନ୍ତି।