ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କୁଇ ସମାଜର କାର୍ଯ୍ୟକାରୀ ସଭାପତି ଘନେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବିଭିନ୍ନ ବର୍ଗର ଲୋକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସମ୍ପ୍ରଦାୟର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ପ୍ରସ୍ତାବ ଓ ଆଲୋଚନା ପରେ ଦାରିଙ୍ଗବାଡ଼ି ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ବିଭିନ୍ନ ମୌଳିକ ଦାବି ପୂରଣ ପାଇଁ ଏକ ମଞ୍ଚ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହି ଅବସରରେ ମଞ୍ଚର ନାମ ‘ଦାରିଙ୍ଗବାଡ଼ି ମିଳିତ ମଞ୍ଚ’ ରଖାଯାଇ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା। ମଞ୍ଚର ସଭାପତି ଭାବେ ପୂର୍ବତନ ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ବରିଷ୍ଠ ନେତା ଅମୀର ଚାନ୍ଦ ନାୟକ, ସମ୍ପାଦକ ଭାବେ ପ୍ରଶାନ୍ତ ନାୟକ, ସହସମ୍ପାଦକ ଭାବେ ଶରତ ପ୍ରଧାନ ଓ ରଞ୍ଜନ ପ୍ରଧାନ ଏବଂ କୋଷାଧ୍ୟକ୍ଷ ଭାବେ କ୍ଷୀରବ୍ଧ ନାୟକଙ୍କୁ ଚୟନ କରାଯାଇଥିଲା।
ସେହିପରି ସକ୍ରିୟ ସଭ୍ୟ ଭାବେ ବିଳାସିନୀ ନାୟକ, କାଳୀ ପ୍ରସାଦ ମଲ୍ଲିକ, ସୀମାଞ୍ଚଳ ନାୟକ, ଶ୍ୟାମଘନ ପ୍ରଧାନ, ରମାକାନ୍ତ ବଳିୟାରସିଂହ, ନାଗେଶ୍ୱର ପ୍ରଧାନ, ନହ ପ୍ରଧାନ, ତିଆଡ଼ି ନାୟକ, ସୁନୀଲ ପ୍ରଧାନ, ବିକ୍ରମ ବସ୍ତରାୟ, ସଲମନ ମାଝୀ ଏବଂ ଚିତ୍ରସେନ କାର୍ଜିମାଝୀଙ୍କୁ ଚୟନ କରାଯାଇଛି।
ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ବିକାଶ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବିଶେଷକରି ଫୁଲବାଣୀ ମେଡିକାଲର ନାମ ପରିବର୍ତ୍ତନକୁ ବିରୋଧ କରିବା, କନ୍ଧମାଳ ଜିଲାରେ ‘ଚର୍ଚ୍ଚ ମୁକ୍ତ ଅଭିଯାନ’ ନାମରେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ବିଷୟକୁ ବିରୋଧ କରିବା, ଦାରିଙ୍ଗବାଡ଼ିଠାରେ ଡିଗ୍ରୀ କଲେଜ୍ ସ୍ଥାପନ କରିବା ଆଦି ଦାବି ଉପରେ ଆଲୋଚନା ହୋଇଥିଲା।
ଏଥିସହ ବାଲିଗୁଡ଼ାକୁ ଜିଲା ଘୋଷଣା କରାଗଲେ ଦାରିଙ୍ଗବାଡ଼ିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବାକୁ ଦାବି ହୋଇଥିଲା। ଦୀର୍ଘ ୪୦ ବର୍ଷ ଧରି ବ୍ରାହ୍ମଣୀଗାଁକୁ ବ୍ଲକ୍ ଘୋଷଣା କରିବା ପାଇଁ ଦାବି ହୋଇଆସୁଥିବା ବେଳେ ସରକାର ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଥିଲା। ତେଣୁ ଶୀଘ୍ର ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବିକୁ ତ୍ୱରାନ୍ୱିତ କରିବାକୁ ମଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।
ଏହାବ୍ୟତୀତ ଅଞ୍ଚଳରେ ଭାଇଚାରା ବଜାୟ ରଖିବା, ସାମାଜିକ ସଦ୍ଭାବ ରକ୍ଷା କରିବା ଏବଂ ଦାରିଙ୍ଗବାଡ଼ି ଅଞ୍ଚଳର ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେବା ମିଳିତ ମଞ୍ଚର ମୁଖ୍ୟ ଦାୟିତ୍ୱ ହେବ ବୋଲି ବୈଠକରେ କୁହାଯାଇଥିଲା।

