Posted inଫୁରସତ

ଲୋକକଳାର ରହିଛି ଏକ ଅଲିଖିତ ବ୍ୟାକରଣ: ଡ.ତାପସ କୁମାର ସାମନ୍ତରାୟ

ନାଟକରେ ଅଭିନୟ କରିବା, ସ୍କ୍ରିପ୍ଟ ଲେଖିବା, ନିର୍ଦ୍ଦେଶନା ଦେବା ସହ ବିଭିନ୍ନ ରାଜ୍ୟର ଲୋକକଳା, ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ବିଶେଷକରି ଓଡ଼ିଶାର ଲୁପ୍ତପ୍ରାୟ ଲୋକକଳା ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ସଦା ସର୍ବଦା ସେ ତତ୍ପର। କହିବାକୁଗଲେ ସାହିତ୍ୟ ସାହିତ୍ୟ ଓ ସଂସ୍କୃତିକୁ ନେଇ ହିଁ ତାଙ୍କର ଦୁନିଆ। ଏକଧାରରେ ସେ ଜଣେ କଳାକାର, ଶିକ୍ଷାବିତ୍‌, ଗାଳ୍ପିକ ଏବଂ ସଂସ୍କୃତିପ୍ରେମୀ । ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ସେ ଅନେକ ସଂସ୍ଥାରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି। ଏବେ ସେ ଭାରତ ସରକାରଙ୍କ ପୂର୍ବାଞ୍ଚଳ ସଂସ୍କୃତି କେନ୍ଦ୍ରର ସହନିର୍ଦ୍ଦେଶକ। ସେ ହେଲେ ଡ.ତାପସ କୁମାର ସାମନ୍ତରାୟ। ମା’ ଦୁର୍ଗା ଦେବୀ ଓ ପିତା ରମେଶ ଚନ୍ଦ୍ର ସାମନ୍ତରାୟ। ଘର ପୁରୁଣା ଭୁବନେଶ୍ୱର ଜମ୍ବେଶ୍ୱରପାଟଣା- ବଣିଆ ସାହିରେ। ସେ କୁହନ୍ତି, ‘ପିଲାଟି ଦିନରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ମତେ ଭଳ ଲାଗେ। ପିଲାଦିନର ଗୋଟିଏ କଥା ମୋର ମନେପଡ଼ୁଛି ମାମୁଘର ଖୋର୍ଦ୍ଧାକୁ ଦୋଳ ପର୍ବରେ ଯାଇଥାଏ। ସେଦିନ ଜହ୍ନରାତିରେ ଠାକୁରଙ୍କ ସହିତ ସାହି ଭ୍ରମଣବେଳେ ସଂକୀର୍ତ୍ତନ ଦଳରେ ଗିନି ବଜାଇ ନାଚିନାଚି ପଟୁଆରରେ କେତେବେଳୁ ମାମୁଘର ଗାଁ ପାର ହୋଇ ଅନ୍ୟ ଗାଁ ଦୋଳ ମେଳଣରେ ପହଞ୍ଚତ୍ ସାରିଥିଲି ଜଣା ନ ଥିଲା। ସେତେବେଳକୁ ରାତି ବଢି ଯାଇଥାଏ। ମୋ ସହିତ କେବଳ ଜଣେ ଥାଏ କିନ୍ତୁ ରାତି ଅଧିକ ଥିବାରୁ କ’ଣ କରିବୁ କୁଆଡ଼େ ଯିବୁ ଏହି ଚିନ୍ତା ଘାରିଲା। କିଛି ସମୟ ପରେ ଦୁଇ ସାଙ୍ଗ ପରସ୍ପର ହାତ ଧରାଧରି ହୋଇ ମାମୁଘର ଗାଁ ଅଭିମୁଖେ ଆସିଲୁ। କିଛି ଦୂର ଯିିବାରେ ଏକ ମଶାଣି ପଡ଼ିଲା। ସେଠାରେ କେତୋଟି କୁକୁର ଆମକୁ ଦେଖି ଭୁକିବାରୁ ଟିକେ ଡରି ଯାଇ ଚୁପଚାପ ଠିଆ ହୋଇପଡ଼ିଲୁ। କୁକୁରଙ୍କ ଭୁକିବା ବନ୍ଦ ହେବାରୁ । ଦୁଇଜଣ ମିଶି ଦୌଡ଼ି ଦୌଡ଼ି ମାମୁଘରେ ପହଞ୍ଚିଥିଲୁ। ଇଏ ଥିଲା ମୋ ପିଲାଦିନ ଦୋଳ ଯାତ ଦେଖିବାର ନିଶା । ୟୁନିଟ୍‌ -୮ ହାଇସ୍କୁଲରେ ୧୦ମ ପାସ୍‌ କରି ବିଜେବି କଲେଜରେ ବିଏ ସାରିଲି। ତା’ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୋଷ୍ଟଗ୍ରାଜୁଏଶନ ସାରି ପିଏଚ.ଡି. କରିଥିଲି। ମୋର ପ୍ରଥମ ଲେଖା ୧୯୮୭ରେ ଧରିତ୍ରୀରେ ପ୍ରକାଶିତ ହୋଇଥିଲା । ଏହା ମୋତେ ଲେଖିବା ପାଇଁ ଅଧିକ ପ୍ରେରଣା ଯୋଗାଇଥିଲା। ବିଜେବିରେ ପଢୁଥିବା ବେଳେ ନାଟକରେ ଅଭିନୟ କରି ବେଷ୍ଟ ଆକ୍ଟର ଏବଂ ଜାତୀୟ ଯୁବ ଉତ୍ସବରେ ଗୋଲ୍‌ଡ ମେଡାଲ ପାଇଥିଲି। କାଚଘର, ଜ୍ୱାଳା, ମାଣିକଯୋଡ଼ି, ଜୀବନ୍ତମୂର୍ତ୍ତି, ଶଙ୍ଖା ସିନ୍ଦୂର ଆଦି ୩୬ଟି ନାଟକରେ ପାର୍ଶ୍ୱ ଅଭିନେତା ଓ ମୁଖ୍ୟ ଅଭିନେତା ଭାବେ ଅଭିନୟ କରି ପୁରସ୍କୃତ ହୋଇଛି। ପ୍ରାୟ ୫ବର୍ଷଧରି ଶିଶୁମନ୍ଦିରରେ ଆଚାର୍ଯ୍ୟ ଭାବେ ପିଲାଙ୍କୁ ପାଠ ପଢାଇଥିଲି। ଅଶାନ୍ତଝଡ଼, କାର୍‌ଗିଲ ଯୋଦ୍ଧା ଆଦି ସ୍କ୍ରିପ୍ଟ ଲେଖି ପିଲାଙ୍କୁ ନାଟକ ଶିଖାଇଥିଲି।
କୋଣାର୍କ କଲେଜରେ ଓଡ଼ିଆ ବିଭାଗରେ ଅଧ୍ୟାପନା କଲି। ଭୁବନେଶ୍ୱରଠାରେ ଗଢିଥିବା ମଶାଲ ଅନୁଷ୍ଠାନରେ ବିଭିନ୍ନ ରାଜ୍ୟ ଓ ବାହର ରାଜ୍ୟର ଲୋକକଳା ପରିବେଷଣ ଦେଖି ପ୍ରଭାବିତ ହୋଇଥିଲି। ୨୦୦୪ମସିହାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପୂର୍ବାଞ୍ଚଳ ସଂସ୍କୃତି କେନ୍ଦ୍ର କୋଲକାତାଠାରେ ମୋର ଚାକିରି ହେଲା। ଯାହାଫଳରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ତ୍ରିପୁରା, ସିକିମ, ମଣିପୁର, ଆଣ୍ଡାମାନ ନିକୋବର ପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ଉତ୍ସବ ଆୟୋଜନକରି ନିକଟରୁ ସେମାନଙ୍କ ଲୋକକଳାକୁ ବୁଝିପାରିଥିଲି। ମୋ ପୁସ୍ତକ ରଚନା ମଧ୍ୟରେ- ଅଭିସାରିକା, ନିରବଝଡ଼, ଗଳ୍ପାୟନ, ଗଳ୍ପଗୁଚ୍ଛ ଆଦି ଗଳ୍ପ ହୋଇଥିବା ବେଳେ କାରୁବାକୀ ଏକ ଉପନ୍ୟାସ ଏବଂ କବୀର ଜୀବନୀ, ନାନାପ୍ରବନ୍ଧ, ଓଡ଼ିଶାର ଓଷାବ୍ରତ ଆଦି ବିଭିନ୍ନ ପୁସ୍ତକ ରଚନା କରିଛି। ମୋ ଚାରିପାଖରେ ଘଟୁଥିବା କଥାକୁ ନେଇ ମୁଁ ଗଳ୍ପ ଲେଖେ। କହିବାକୁ ଗଲେ କଳାକାରଙ୍କ ପରଦା ପଛରେ ଦୁଃଖର ଏକ କାହାଣୀ ରହିଥାଏ, ତାହା ସେ କେବେ କାହାରିକୁ କହି ନ ଥାନ୍ତି। ସେସବୁକୁ ମୁଁ ଅନୁଭବ କରିପାରିଛି। କଳାକାରଙ୍କ ପରଦା ପଛର ଦୁଃଖକୁ ମୋ ସାହିତ୍ୟରେ ସ୍ଥାନ ଦେଇଥାଏ। ବିଭିନ୍ନ ମହୋତ୍ସବର ଆୟୋଜନ କରିବା ସହିତ ଭୁଟାନ, ମାଲେସିଆ, ଲଣ୍ଡନ, ଚାଇନା ଆଦି ବିଦେଶ ରାଷ୍ଟ୍ରରେ ଆମ ଦେଶର କଳାସଂସ୍କୃତିର ପ୍ରଚାର ପ୍ରସାରରେ ସାମିଲ ହୋଇଛି। ୨୦୦୫ରେ ରାୟଗଡ଼ାର ସୌରା-ଆଦିବାସୀଙ୍କ ପାଇଁ ୨୦ଦିନିଆ ଚିତ୍ର ତାଲିମ ଶିବିର ଆୟୋଜନ କରି ସେମାନଙ୍କୁ ଚାଇନାଠାରେ ଆୟୋଜିତ ଇଣ୍ଡିଆ ଫେଷ୍ଟିଭାଲରେ ଯୋଗଦେବାପାଇଁ ପଠାଇଥିଲି।

ଓଡ଼ିଶାର ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର ପାଇଁ ପ୍ରୟାସ କରିଥାଏ। ମୋ ମତରେ ଲୋକକଳା କହିଲେ ଯେଉଁ କଳାରେ ଲୋକଙ୍କ ବ୍ୟବହାର ରହିଥାଏ, ଯାହା ପିଢିପରେ ପିଢି ଏକ ଗତାନୁ ଗତିକ ଭାବେ ପାରମ୍ପିରକ ପରିଚର୍ଯ୍ୟାକୁ ନେଇ ନିରବଛିନ୍ନ ଭାବେରେ ଗଡ଼ିଆସୁଥାଏ, ତାହା ଏକ ଅଲିଖିତ ବ୍ୟାକରଣ ହେଲେ ମଦ୍ୟ ବୋଧଗମ୍ୟ ଓ ଆନ୍ଦପ୍ରଦ । ସଂସ୍କୃତି କାର୍ଯ୍ୟାଳୟ କୋଲକାତାଠାରେ ପ୍ରାୟ ୧୪୪ ପ୍ରକାରର ଲୋକକଳା ବାଦ୍ୟଯନ୍ତ୍ରକୁ ସଂଗ୍ରହକରି ରଖିବା ପାଇଁ ବିଭିନ୍ନ ଅଞ୍ଚଳକୁ ଘୂରି ବୁଲିବାରେ ବି ଭିନ୍ନ ଅନୁଭୂତି ରହିଛି। ଏଯାଏ ପ୍ରାୟ ୨୧୭ଟି ଲୋକକଳା ସଂସ୍କୃତି ଉପରେ କଳାକାରଙ୍କ ଲୁପ୍ତ କଳାର ବିକାଶ ନିମନ୍ତେ କାର୍ଯ୍ୟ କରିବାରେ ମୋତେ ଆନନ୍ଦ ମିଳିଛି।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?