ଦିଗପହଣ୍ଡି ୨୮।୧୦, ଅଶେଷ ନାଥ ମିଶ୍ର: ଗଞ୍ଜାମ ଜିଲାର ଘୋଡ଼ାହାଡ଼ ନଦୀରେ ସୃଷ୍ଟି ହୋଇଛି ଗମ୍ଭୀର ବନ୍ୟା ପରିସ୍ଥିତି। ନଦୀର ଉପରମୁଣ୍ଡ ଗଜପତି ଜିଲାରେ ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି।ବୁଧବାର ଅପରାହ୍ନ ପ୍ରାୟ ୩ଟାରେ ଘୋଡ଼ାହାଡ଼ ନଦୀର ପାଟପୁର-ପଳାଶପୁର ବ୍ରିଜ୍ ଉପରେ ୪ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଆସିକା-ପାଟପୁର-ଦିଗପହଣ୍ଡି ସଂଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ପାଟପୁର ପୋଲିସ ଟିମ୍ ବ୍ରିଜ୍ର ଉଭୟ କଡ଼ରେ ଅସ୍ଥାୟୀ ବାରିକେଡ୍ ଲଗାଇ ଗାଡ଼ିମୋଟର ଓ ଜନସାଧାରଣଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି।
ପୁରୁଣା ମଳାଭଞ୍ଜା-ଖୋଲଡିକୁ ସଂଯୋଗ କରୁଥିବା ବ୍ରିଜ୍ ତଳେ ୧୫ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଅସ୍ଥାୟୀ ଆପ୍ରୋଚ୍ ରୋଡ୍ ସମ୍ପୂର୍ଣ୍ଣ ଭାସିଯାଇଛି। ସେହିପରି ଘୁଷୁରୀ ନାଳର ପାଣି ଗାଁ ଭିତରକୁ ପଶିଯିବାରୁ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ମଳାଭଞ୍ଜା ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ ଏବଂ ଖୋଲଡି ଗ୍ରାମର ସାମାଜିକ କର୍ମୀ ମୁନା ଦୋରାଙ୍କ ସୂଚନା ଅନୁଯାୟୀ, ଗ୍ରାମର ସ୍କୁଲ ଭିତରେ ୪ ଫୁଟ୍ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି। ଅନ୍ୟପଟେ, ହରିଣା ଗ୍ରାମ ନିକଟସ୍ଥ ଘୁଷୁରୀ ନାଳ ବ୍ରିଜ୍କୁ ସଂଯୋଗ କରୁଥିବା ଖୁଲୁଡ଼ି-ନୂଆଗଡ଼ ରାସ୍ତା ବର୍ଷାଜଳରେ ଧୋଇଯାଇଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ସୂଚନାଯୋଗ୍ୟ ଯେ, ଗତ ୨ ବର୍ଷ ହେଲା ୧୫ କୋଟି ଟଙ୍କା ବ୍ୟୟରେ ପାଟପୁର ନିକଟ ଶ୍ମଶାନ ପଦା ନିକଟରେ ଚାଲିଥିବା ବ୍ରିଜ୍ କାର୍ଯ୍ୟ କେବଳ ୩ଟି ପୋଲ ନିର୍ମାଣରେ ସୀମିତ ରହିଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି।ଗୌତମୀ ନିକଟସ୍ଥ କଲରାପଦର ପଞ୍ଚାୟତ ୨ୟ ଧର୍ମପୁର ଗାଁର ସମସ୍ତ ଚାଷଜମି ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁ ଭିତରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ସିପିଆଇ ସାନଖେମୁଣ୍ଡି ଜୋନାଲ ସମ୍ପାଦକ କୈଳାସ ପାତ୍ର ପ୍ରକାଶ କରିଛନ୍ତି। ସେହିପରି ସାନଖେମୁଣ୍ଡି ବ୍ଲକ୍ର ପଥରପୁଞ୍ଜି ଓ ଜଲମରା ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ପ୍ରଚୁର କ୍ଷତି ପହଞ୍ଚାଇଛି।
ସନ୍ଧ୍ୟା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଉସ୍ତା ଗାଁ ନିକଟରେ ନଦୀର କୂଳହୁଡ଼ା ଛୁଇଁ ବନ୍ୟାଜଳ ବହିଯାଉଥିବାରୁ ଗ୍ରାମବାସୀ ଭୟ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି।

