Categories: ଖେଳ

ପ୍ରଥମ ଟି୨୦: ବର୍ଷା ଯୋଗୁ ବିନା ଫଳାଫଳରେ ମ୍ୟାଚ୍‌ ଶେଷ

ମାଞ୍ଚେଷ୍ଟର,୩୦।୮(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ପୂରା ଖେଳାଯାଇପାରି ନାହିଁ। ଫଳରେ ବିନା ଫଳାଫଳରେ ମ୍ୟାଚ୍‌ ଶେଷ ହୋଇଛି। ଟସ୍‌ ଜିତି ପାକିସ୍ତାନ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୬.୧ ଓଭରରେ ୬ ଉଇକେଟ ହରାଇ ୧୩୧ ରନ କରି ସ୍କୋରକୁ ଆଗେଇ ନେଉଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଏହା ପରେ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଦ୍ୱିତୀୟ ଓ ତୃତୀୟ ଟି୨୦ ଯଥାକ୍ରମେ ରବିବାର ଓ ମଙ୍ଗଳବାର ଏହି ଗ୍ରାଉଣ୍ଡରେ ଖେଳାଯିବ।
ଖେଳ ବନ୍ଦ ହେବାବେଳକୁ ସାମ ବିଲିଙ୍ଗ୍ସ ୩ ଓ କ୍ରିସ୍‌ ଜୋର୍ଡାନ ୨ ରନକରି ଅପରାଜିତ ରହିଥିଲେ। ଓପନର ଟମ୍‌ ବାଣ୍ଟନ୍‌ ଧୂଆଁଧାର ବ୍ୟାଟିଂ କରି ୪୨ ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୫ ଛକା ସହ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ। ଅନ୍ୟତମ ଓପନର ତଥା ଉଇକେଟକିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ମାତ୍ର ୨ ରନକରି ପ୍ୟାଭିଲିୟନ ଫେରିଥିଲେ। ଡଓ୍ବେିଡ୍‌ ମଲାନ ୨୩, ଅଧିନାୟକ ଇଅନ ମୋର୍ଗାନ ୧୪ ରନ କରି ଆଉଟ ହୋଇଥିଲେ ଓ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ମୋଇନ୍‌ ଅଲୀ ୮ ଓ ଲୁଇସ୍‌ ଗ୍ରେଗୋରୀ ୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ପ୍ରାରମ୍ଭିକ ଝଟ୍‌କା ସତ୍ତ୍ୱେ ଇଂଲଣ୍ଡ ଏକଦା ଗୋଟିଏ ଉଇକେଟ ହରାଇ ୭୪ ରନ କରି ଭଲ ଆରମ୍ଭ କରିଥିଲା। ତେବେ ଖେଳ ବନ୍ଦ ହେବା ପୂର୍ବରୁ ଇଂଲଣ୍ଡ ୧୯ ବଲରୁ ୧୪ ରନରେ ୪ଟି ଉଇକେଟ ହରାଇଥିଲା। ବୋଲିଂରେ ପାକିସ୍ତାନ ତରଫରୁ ଇମାଦ ଓ୍ବାସିମ ଓ ସଦାବ ଖାନ ୨ଟି ଲେଖାଏ, ଇଫ୍‌ତିକାର ଅହମ୍ମଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

Share