Categories: ଖେଳ

ସେବାଷ୍ଟିଆନ କୋଡ୍ରାଙ୍କୁ ପ୍ରଥମ ଏଟିପି ଟାଇଟଲ

ପର୍ମା (ଇଟାଲୀ),୩୧।୫(ଏପି): ଆମେରିକୀୟ ଯୁବ ଟେନିସ ଖେଳାଳି ସେବାଷ୍ଟିଆନ କୋଡ୍ରା କ୍ୟାରିୟରର ପ୍ରଥମ ଏଟିପି ଟାଇଟଲ ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଏମିଲିଆ- ରୋମାଙ୍ଗା ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ୨୦ ବର୍ଷୀୟ କୋଡ୍ରା ଇଟାଲୀୟ ଓ୍ବାଇଲ୍ଡ କାର୍ଡ ଖେଳାଳି ମାର୍କୋ ସେକହିନାଟୋଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଏହି ଟୁର୍ନାମେଣ୍ଟରେ କୋଡ୍ରା ଗୋଟିଏ ହେଲେ ବି ସେଟ୍‌ ଡ୍ରପ୍‌ କରି ନ ଥିଲେ। ବିଶ୍ୱର ୬୩ ନମ୍ବର ଖେଳାଳି କୋଡ୍ରା ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ୧୦୪ତମ ର଼୍ୟାଙ୍କର ଖେଳାଳି ସେକହିନାଟୋଙ୍କୁ ମାତ୍ର ୭୫ ମିନିଟ୍‌ରେ ୬-୨, ୬-୪ ସେଟ୍‌ରେ ହରାଇ ଟାଇଟଲ ହାସଲ କରିଛନ୍ତି।
ଦୀର୍ଘ ୧୧ ବର୍ଷ ପରେ ଆମେରିକାର ପ୍ରଥମ ଖେଳାଳିଭାବେ କୋଡ୍ରା ୟୁରୋପିଆନ କ୍ଲେ କୋର୍ଟରେ ଟ୍ରଫି ହାସଲ କରିଛନ୍ତି। ପୂର୍ବରୁ ୨୦୧୦ରେ ସାମ କ୍ୟୁରେ ବେଲଗ୍ରେଡ୍‌ରେ ଟ୍ରଫି ହାସଲ କରିଥିଲେ। ତେବେ ଗତ ଜାନୁୟାରୀରେ କୋଡ୍ରା ଡେଲ୍‌ରେ ବିଚ୍‌ ଓପନ୍‌ରେ ଫାଇନାଲରେ ହୁବେର୍ଟ ହୁରକାଜଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। କ୍ୟାରିୟରର ପ୍ରଥମ ଏଟିପି ଟାଇଟଲ ଜିତିଥିବାରୁ କୋଡ୍ରା ଖୁସି ଜାହିର କରିଛନ୍ତି।
ଓପନ ଏରାରେ ତୃତୀୟ ବାପା- ପୁଅ ଯୋଡି ଭାବେ କ୍ରୋଡା ଓ ତାଙ୍କ ପିତା ପେଟର କୋଡ୍ରା ଟୁର୍‌ ଲିବେଲ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ପୂର୍ବରୁ ଭାରତର ରାମନାଥନ କ୍ରିଷ୍ଣନ ଓ ରମେଶ କ୍ରିଷ୍ଣନ, ଫିଲ୍‌ ଡେଣ୍ଟ ଓ ଟେଲର ଡେଣ୍ଟ ବାପା- ପୁଅ ଯୋଡି ଏହି ସଫଳତା ହାସଲ କରିଥିଲେ। ପୂର୍ବରୁ କୋଡ୍ରା କ୍ରମାଗତ ଭାବେ ଏଟିପି ଟୁର୍‌ରେ ଦୁଇଟି ଟାଇଟଲ ହାସଲ କରି ନ ଥିଲେ। ତେବେ ଏହି ଟୁର୍ନାମେଣ୍ଟରେ ସେ ଐତିହାସିକ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି।

Share