ଆର୍ଥିକ ଅନ୍ତର୍ଦୃଷ୍ଟି ଏବଂ ବିତ୍ତୀୟ ନିଅଣ୍ଟ

ଅମିୟ କୁମାର ମହାପାତ୍ର

 

ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଏବେ ତାହାର ପ୍ରାସଙ୍ଗିକତା ଏବଂ ଉପାଦେୟତା ଉପରେ ସମୀକ୍ଷା, ଆଲୋଚନା ଏବଂ ସମାଲୋଚନା ଚାଲିଛି। କୌଣସି ଦେଶର ବଜେଟ କେବଳ ସରକାରଙ୍କ ଆୟ-ବ୍ୟୟର ଚିଠା ଅବା ଆର୍ଥିକ ବିବରଣୀ ନୁହେଁ, ବରଂ ଏହା ଏକ ଶକ୍ତିଶାଳୀ ସାଧନ, ଯାହା ଦେଶର ଭାଗ୍ୟ ଏବଂ ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ। ଦେଶର ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନ, ସମାବେଶୀ ବିକାଶ ଏବଂ ଆଞ୍ଚଳିକ ବିକାଶରେ ବଜେଟ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଇସବର୍ଗ ବିଶ୍ଳେଷଣ ପରି, ବଜେଟର ବିଭିନ୍ନ କ୍ଷେତ୍ର ଓ ବିଭାଗ ଉପରେ ପ୍ରଭାବକୁ ଏବଂ ବିଶେଷ ଭାବରେ ଦେଶର ଦୀର୍ଘକାଳୀନ ଅଭିବୃଦ୍ଧିରେ ଅବଦାନକୁ ବୁଝିବାକୁ ହେବ। ଏହାସହ ପ୍ରତ୍ୟେକ ଖର୍ଚ୍ଚକୁ କେବଳ ଆବଣ୍ଟନ ପରିମାଣ ହିସାବରେ ବିଚାର ନ କରି ଏହାର ଗୁଣକ ତଥା ସମାବେଶୀ ପ୍ରଭାବକୁ ବିଚାର କରିବା ଉଚିତ। ବଜେଟର ଉପାଦେୟତା ଏହାର ଦକ୍ଷତା ଏବଂ ଦୀର୍ଘକାଳୀନ ପ୍ରଭାବ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥାଏ।
ଅର୍ଥନୈତିକ ଦୃଷ୍ଟିକୋଣରୁ ବଜେଟର ପ୍ରଭାବକୁ ମୁଖ୍ୟତଃ ବିତ୍ତୀୟ ନିଅଣ୍ଟ, ପୁଞ୍ଜିବ୍ୟୟ, ଉଦ୍ୟୋଗ ଏବଂ ମୁଦ୍ରାସ୍ଫୀତି ଜରିଆରେ ସମୀକ୍ଷା କରାଯାଇଥାଏ। ବିତ୍ତୀୟ ନିଅଣ୍ଟ (ଫିସ୍‌କାଲ ଡେଫିସିଟ) ଏକ ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ ସରକାରଙ୍କ ମୋଟ ଋଣର ଆବଶ୍ୟକତାକୁ ପ୍ରତିଫଳିତ କରିଥାଏ। ଏହା ଆର୍ଥିକ ଅନୁଶାସନ ମାପିବା ସଙ୍ଗେ ସଙ୍ଗେ ଦେଶର ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତର ସ୍ଥିତି ସମୀକ୍ଷା କରିବାରେ ସାହାଯ୍ୟ କରେ। ବିତ୍ତୀୟ ନିଅଣ୍ଟରେ ଲଗାତର ବୃଦ୍ଧି ହେଲେ ଦେଶ ଋଣ ଜାଲରୁ ମୁକୁଳିପାରିବ ନାହିଁ ଏବଂ ଏହାଦ୍ୱାରା ଆର୍ଥିକ ସଙ୍କଟ ଏବଂ ଅନିଶ୍ଚିତତା ଦେଖାଦେବ। ବିତ୍ତୀୟ ନିଅଣ୍ଟ ବଢ଼ିଲେ ମୁଦ୍ରାସ୍ଫୀତି ହେବାର ସମ୍ଭାବନା ଅଛି। ବର୍ଷ ୨୦୨୧-୨୨ ସଂଶୋଧିତ ବିତ୍ତୀୟ ନିଅଣ୍ଟ (ଫିସ୍‌କାଲ ଡେଫିସିଟ) ଜିଡିପିର ୬.୯ ପ୍ରତିଶତ ଥିବାବେଳେ ବର୍ଷ ୨୦୨୨-୨୩ ବଜେଟରେ ୬.୪ ପ୍ରତିଶତ ସ୍ଥିର କରାଯାଇଥିଲା। ବର୍ଷ ୨୦୨୩-୨୪ ବଜେଟରେ ୫.୯ ପ୍ରତିଶତ ସ୍ଥିର କରାଯାଇଛି। ବିତ୍ତୀୟ ଦାୟିତ୍ୱ ଏବଂ ବଜେଟ ପରିଚାଳନା ନିୟମ-୨୦୦୩ ଅନୁଯାୟୀ ବିତ୍ତୀୟ ନିଅଣ୍ଟ ଜିଡିପିର ୩ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ। ଏହି ହିସାବରେ ୫.୯ ପ୍ରତିଶତ ଅଧିକ। ହେଲେ କରୋନା ପ୍ରଭାବିତ ଭାରତୀୟ ଅର୍ଥନୀତି ଏବଂ ବିଶ୍ୱ ଅର୍ଥନୈତିକ ମନ୍ଥରତା, ରୁଷ-ୟୁକ୍ରେନ ୟୁଦ୍ଧର ପ୍ରଭାବକୁ ବିଚାରକୁ ନେଲେ ୫.୯ ପ୍ରତିଶତ ଅତି ଜରୁରୀ। ହେଲେ ବି ଚିନ୍ତାର କାରଣ ହୋଇ ରହିବ। ତଥାପି ଆନୁମାନିକ ନିଅଣ୍ଟରୁ ବିଚ୍ୟୁତ ନ ହେବାକୁ ସରକାରଙ୍କୁ ନିଶ୍ଚିତ କରିବାକୁ ପଡିବ ନଚେତ୍‌ ଅର୍ଥନୈତିକ ସଙ୍କଟ ବୃଦ୍ଧି ହେବ।
ବିତ୍ତୀୟ ନିଅଣ୍ଟର କୁପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ଅଧିକ ପୁଞ୍ଜି ଖର୍ଚ୍ଚର ବ୍ୟବସ୍ଥା କରିଛନ୍ତି, ଯାହା କି ଗତ ବର୍ଷ ହିସାବରେ ୩୩ ପ୍ରତିଶତ ଅଧିକ ଓ ଜିଡିପିର ୩.୩ ପ୍ରତିଶତ। ଲଗାତର ତୃତୀୟ ବର୍ଷ ପାଇଁ ପୁଞ୍ଜି ବିନିଯୋଗର ଖର୍ଚ୍ଚ କ୍ରମାଗତ ଭାବରେ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ପୁଞ୍ଜି ବିନିଯୋଗ ପରିବହନ ଓ ରେଲଓ୍ବେ ସହିତ ଭିତ୍ତିଭୂମିକୁ ମଜଭୁତ କରିବ। ତାହା ରୋଜଗାର ଏବଂ ଅଭିବୃଦ୍ଧି ଉପରେ ଅଧିକ ଗୁଣନକାରୀ ପ୍ରଭାବ ପକାଇବ ଓ ପୁଞ୍ଜି ବିନିଯୋଗଜନିତ ବୃଦ୍ଧି ଆମ ଅର୍ଥନୀତିକୁ ବିଶ୍ୱ ମନ୍ଥରତାରୁ ସୁରକ୍ଷା ଦେବ। ୧୦ ଲକ୍ଷ କୋଟି ପୁଞ୍ଜିବ୍ୟୟ ଦେଶର ଉତ୍ପାଦନ ଏବଂ ରୋଜଗାର ଓ ରପ୍ତାନି ବଢାଇବାରେ ଆଧାର ହେବ। ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗକୁ ତ୍ୱରାନ୍ବିତ କରିବା ପାଇଁ ୧.୩ ଲକ୍ଷ କୋଟି ଟଙ୍କାର ଉଲ୍ଲେଖନୀୟ ବୃଦ୍ଧି ସହିତ ରାଜ୍ୟ ସରକାରଙ୍କୁ ୫୦ ବର୍ଷ ପାଇଁ ସୁଧମୁକ୍ତ ଋଣ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ରାଜସ୍ବ ନିଅଣ୍ଟ ବିତ୍ତୀୟ ନିଅଣ୍ଟର ଏକ ମୁଖ୍ୟ ଅଂଶ। ତେଣୁ ବିତ୍ତୀୟ ନିଅଣ୍ଟକୁ କମ୍‌ କରିବାକୁ ହେଲେ ରାଜସ୍ବ ନିଅଣ୍ଟକୁ କମ୍‌ କରିବାକୁ ପଡିବ। ସେଥିପାଇଁ ସରକାର ଯୋଜନାବଦ୍ଧ ଭାବରେ ରାଜସ୍ବ ଆୟ ବୃଦ୍ଧି କରବା ସହ ରାଜସ୍ବ ଖର୍ଚ୍ଚରେ ନିୟନ୍ତ୍ରଣ କରି ଗତବର୍ଷ ୩.୮ ପ୍ରତିଶତ ତୁଳନାରେ ତାହାକୁ କେବଳ ୨.୯ ପ୍ରତିଶତ ରଖିଛନ୍ତି, ଯାହାକି ଆର୍ଥିକ ସ୍ଥିରତା ଏବଂ ଏକୀକରଣ ପାଇଁ ଏକ ଉତ୍ତମ ପଦକ୍ଷେପ।
ବଜେଟର ରାଜସ୍ବ ସ୍ରୋତକୁ ବିଶ୍ଳେଷଣ କଲେ ଦେଖାଯିବ, ସର୍ବାଧିକ ୩୪ ପ୍ରତିଶତ ରସିଦ ଋଣରୁ ଆସିଛି, ଯାହା ପ୍ରକୃତରେ ଚିନ୍ତାଜନକ। ଅନ୍ୟପକ୍ଷରେ, ଖର୍ଚ୍ଚ ପକ୍ଷରୁ ସର୍ବାଧିକ ୨୦ ପ୍ରତିଶତ ଖର୍ଚ୍ଚ ସୁଧଦେୟ ପାଇଁ ପ୍ରାବଧାନ କରାଯାଇଛି। ଏହାର ଏକପ୍ରକାର ଅର୍ଥ ହେଉଛି କି ଦେଶ ଯାହା ଋଣ କରୁଛି ତାହା ମୁଖ୍ୟତଃ ସୁଧ ଦେବାରେ ଯାଉଛି। ଏହାଫଳରେ ଦେଶର ପୁଞ୍ଜିବ୍ୟୟ, ଭିତ୍ତିଭୂମି ବିକାଶ, କଲ୍ୟାଣକାରୀ ଯୋଜନା ଓ ରୋଜଗାର ପନ୍ଥା ବାଧାପ୍ରାପ୍ତ ହୋଇପାରେ। ଅପରପକ୍ଷେ ଯୁକ୍ତିସଙ୍ଗତ ବ୍ୟୟ ଓ ଅନାବଶ୍ୟକ ସବ୍‌ସିଡିକୁ ହ୍ରାସ ଦ୍ୱାରା ସରକାର ଆର୍ଥିକ ସ୍ଥିରତା ଆଣିବାକୁ ଚେଷ୍ଟା କରିଛନ୍ତି।
ଏହି ବଜେଟରେ ସବୁ ରାଜ୍ୟମାନଙ୍କୁ ଅଧିକ ଆର୍ଥିକ ସ୍ବାଧୀନତା ପ୍ରଦାନ କରାଯାଇଛି ଏବଂ ସେହି ଅନୁଯାୟୀ ପ୍ରତ୍ୟେକ ରାଜ୍ୟକୁ ଘରୋଇ ଉତ୍ପାଦର ୩.୫ ପ୍ରତିଶତ ବିତ୍ତୀୟ ନିଅଣ୍ଟ ପାଇଁ ଅନୁମତି ଦିଆଯାଇଛି। ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଜନାରେ ବ୍ୟୟ ବୃଦ୍ଧି ଉତ୍ପାଦକତା ଏବଂ ପୁଞ୍ଜି ବିନିଯୋଗ ପାଇଁ ସରକାର ସ୍ଥିର କରିଛନ୍ତି। ତେଣୁ ସହଜ ବ୍ୟବସାୟ ୨.୦, ବିଶ୍ୱାସ ଆଧାରିତ ସୁଶାସନ, ବେସରକାରୀ ବିନିଯୋଗକୁ ପ୍ରୋତ୍ସାହନ ଏବଂ ସହରୀ ଯୋଜନାରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସ୍ଥିର କରିଛନ୍ତି।
ଉତ୍ପାଦନ-ଲିଙ୍କ୍‌ ପ୍ରୋତ୍ସାହନ ଯୋଜନା ଅଧୀନରେ ସରକାର ୮୦୦୦ କୋଟି ପାଣ୍ଠି ଆବଣ୍ଟନ କରିଛନ୍ତି। ଏହି ଯୋଜନାରେ ବୃହତ୍‌ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ୪୬୪୫ କୋଟି, ଫାର୍ମାସ୍ୟୁଟିକାଲ୍ସ ପାଇଁ ୧୨୦୦ କୋଟି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ୧୫୩୦ କୋଟି ପାଣ୍ଠି ଆବଣ୍ଟନ କରାଯାଇଅଛି। ଏହା ଆମ ଶିଳ୍ପ କ୍ଷେତ୍ରକୁ ମଜଭୁତ କରିବା ସଙ୍ଗେ ସଙ୍ଗେ ରୋଜଗାର ସୃଷ୍ଟି କରି ନିଶ୍ଚିତ ଭାବରେ ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ।
ଅର୍ଥନୈତିକ ବିକାଶ, ଅଧିକ ରୋଜଗାର ଏବଂ ନିଯୁକ୍ତି ପାଇବା ପାଇଁ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନଙ୍କର ଯୋଗଦାନ ଅତ୍ୟନ୍ତ ଜରୁରୀ। ଏହି ବଜେଟରେ ଦରକାରୀ ସହାୟତା, ଋଣ ଏବଂ ସବ୍‌ସିଡି ଦିଆଯାଇଛି। ଏହି କ୍ଷେତ୍ର ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ସ୍କିମ୍‌ ଜରିଆରେ ୯୦୦୦ କୋଟି ପ୍ରାବଧାନ ରଖାଯାଇଛି। ଏହା ଦ୍ୱାରା ଉତ୍ପାଦନ ବଢ଼ିବ ଏବଂ ରପ୍ତାନିରେ ବୃଦ୍ଧି ହେବ। ଯୁବ ଗୋଷ୍ଠୀମାନେ ମଧ୍ୟ ନିଜର ଷ୍ଟାର୍ଟଅପ୍‌ କରି ରୋଜଗାରକ୍ଷମ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବେ। ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟପଥକୁ ସୁଗମ କରିବ।
ଉକ୍ତ ବଜେଟ ମାଧ୍ୟମରେ ଭିତ୍ତିଭୂମି, ବିନିଯୋଗ, ଅଭିନବ ଏବଂ ଅନ୍ତର୍ଭୁକ୍ତୀକରଣ ଉପରେ ସରକାରଙ୍କ ଧ୍ୟାନ ଏବଂ ପ୍ରତିବଦ୍ଧତା ପରିଲକ୍ଷିତ ହୋଇଛି। ଏହି ବଜେଟ ୨୦୨୩-୨୪, ଭାରତ@୧୦୦ ବର୍ଷର ଦୀର୍ଘମିଆଦୀ ଦର୍ଶନ ସହିତ ଉପସ୍ଥାପିତ କରାଯାଇଛି। ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ଦୃଷ୍ଟିକୋଣରୁ ଏହା ଏକ ଦୀର୍ଘକାଳୀନ ଦୂରଦୃଷ୍ଟି ବଜେଟ।
ପ୍ରଫେସର, ଜୟପୁରିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ, ଇନ୍ଦୋର
ମୋ: ୮୩୮୩୦୬୨୬୬୧


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri