କଟକ,୬ା୫(କାର୍ତ୍ତିକ ସାହୁ): ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍ଲାଇନ ଜରିଆରେ ବୋର୍ଡ ଓ୍ବେବ୍ସାଇଟ୍ www.bseodisha.ac.inରେ ଉପଲବ୍ଧ ଲିଙ୍କ୍ରେ ଫର୍ମ ପୂରଣ ଓ ଦେୟ ଦାଖଲ କରାଯାଇପାରିବ। ଅନ୍ଲାଇନ ଫର୍ମ ପୂରଣର ସମସ୍ତ ତଥ୍ୟ ବୋର୍ଡ ଓ୍ବେବ୍ସାଇଟ୍ରେ ଉପଲବ୍ଧ ରହିଛି। ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନେ ନିଜ ହାଇସ୍କୁଲର ମୁଖ୍ୟମାନଙ୍କ ଦ୍ୱାରା ଏବଂ ପତ୍ରମାଧ୍ୟମ ପରୀକ୍ଷାର୍ଥୀମାନେ ବୋର୍ଡର ଶାଖା କାର୍ଯ୍ୟାଳୟରେ ସହସମ୍ପାଦକଙ୍କ ଦ୍ୱାରା ଫର୍ମ ପୂରଣ କରିବେ। ଫର୍ମ ପୂରଣ ଓ ଦେୟ ଦାଖଲ ମେ’ ୮ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ମେ’ ୧୮ ତାରିଖ ରାତ୍ର ୧୧.୪୫ ଯାଏ ଚାଲିବ ବୋଲି ବୋର୍ଡ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତିରେ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି। ସପ୍ଲିମେଣ୍ଟାରି ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।