Categories: ଖେଳ

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ବେଙ୍ଗାଲୁରୁ,୩।୫(ପି.ଟି.): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ତୃତୀୟ ସଂସ୍କରଣରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଆସନ୍ତା ବର୍ଷ ଫେବୃୟାରୀ ୫ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ବୋଲି ଏଫ୍‌ଆଇଏଚ୍‌ ତରଫରୁ ସୂଚନା ଦିଆଯାଇଛି। ଭାରତ ମଧ୍ୟ ଫେବୃୟାରୀରେ ଅଷ୍ଟ୍ରେଲିଆ ଓ ସ୍ପେନକୁ ଭେଟିବ। ଭାରତ ତା’ର ୫ଟି ମ୍ୟାଚ୍‌ ବିଦେଶରେ ଖେଳିବ। ଏହାପରେ ଭାରତ ଘରୋଇ ପରିବେଶରେ ଜର୍ମାନୀ ଓ ଆର୍ଜେଣ୍ଟିନା ବିପକ୍ଷରେ ଅବତୀର୍ଣ୍ଣ ହେବ।
ନ୍ୟୁଜିଲାଣ୍ଡକୁ ଭେଟିବା ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃୟାରୀ ୧୨ ଓ ୧୩ରେ ମ୍ୟାଚ୍‌ ଖେଳିବ। ସେହିପରି ଫେବୃୟାରୀ ୨୬ ଓ ୨୭ ତାରିଖରେ ଭାରତ ସ୍ପେନ୍‌କୁ ଭେଟିବ। ଘରୋଇ ପରିବେଶରେ ଭାରତ ମାର୍ଚ୍ଚ ୧୨ ଓ ୧୩ ତାରିଖରେ ଜର୍ମାନୀକୁ ଓ ପରେ ମାର୍ଚ୍ଚ ୧୯ ଓ ୨୦ ତାରିଖରେ ଆର୍ଜେଣ୍ଟିନାକୁ ଭେଟିବ। ଏହାପରେ ଏପ୍ରିଲ୍‌ରେ ଭାରତ ନିଜ ମାଟିରେ ୨ ଓ ୩ ତାରିଖରେ ଇଂଲଣ୍ଡକୁ ଭେଟିବ। ସେହିପରି ଜୁନ୍‌ ୧୧ ଓ ୧୨ ତାରିଖରେ ଭାରତ ଆଓ୍ବେ ଗେମ୍ସରେ ବେଲ୍‌ଜିୟମକୁ ଓ ଜୁନ୍‌ ୧୮ ଓ ୧୯ ତାରିଖରେ ନେଦରଲାଣ୍ଡ୍ସକୁ ଭେଟିବ। ୨୦୨୨ ସେସନ ଭାରତ ପାଇଁ ବ୍ୟସ୍ତବହୁଳ ରହିବ।
ପ୍ରସ୍ତୁତିରେ ଏହି ମ୍ୟାଚଗୁଡିକ ସହାୟ ହେବ। ତେବେ ବର୍ତ୍ତମାନ ଆମେ ଟୋକିଓ ଅଲିମ୍ପିକ୍ସରେ କିପରି ଭଲ ପ୍ରଦର୍ଶନ କରିବୁ ତାହା ଉପରେ ମନୋନିବେଶ କରୁଛୁ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ସେମାନଙ୍କ ଘରୋଇ ପରିବେଶରେ ଖେଳିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ। ବିଶ୍ୱର କେତୋଟି ଶ୍ରେଷ୍ଠ ଦଳ ବିପକ୍ଷରେ ଖେଳିବାକୁ ଦଳ ଉତ୍ସାହ ପ୍ରକଟ କରିଛି ବୋଲି ଭାରତୀୟ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। ଉଲ୍ଲେଖଥାଉ କି ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣ (୨୦୨୦-୨୧) ଚାଲୁ ରହିଥିବା ବେଳେ ଭାରତ ଚଳିତ ମାସ ଶେଷ ଆଡକୁ ସ୍ପେନ୍‌ ଓ ଜର୍ମାନୀକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share