ପ୍ରାର୍ଥୀ ଦେଇପାରିଲାନି କଂଗ୍ରେସ: ବିଜେଡି-ଭାଜପା ମଧ୍ୟରେ ଟକ୍କର

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳର ୪୫ ନମ୍ବର ଓ୍ବାର୍ଡରେ ଏଥର ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିବ। ଏହି ଓ୍ବାର୍ଡରେ କେବଳ ବିଜେଡି ଏବଂ ଭାଜପା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ଅମରେଶ ଜେନା ଏବଂ ଭାଜପାରୁ ଜ୍ୟୋତିରେଖା ନାୟକ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ଦେଇପାରି ନ ଥିବାବେଳେ ସ୍ବାଧୀନରୁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଲଢ଼େଇରୁ ଓହରି ଯାଇଛନ୍ତି। ଏଠାରୁ ଜ୍ୟୋତିରେଖାଙ୍କ ସ୍ବାମୀ ସ୍ବାଧୀନ ଭାବେ ନାମାଙ୍କନ କରିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ଏଠାରେ ବିଜେଡି ଏବଂ ଭାଜପା ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି। ଏହି ଓ୍ବାର୍ଡରେ ଏଥର ମୋଟ ୯,୪୪୮ ଜଣଙ୍କ ନାମ ଭୋଟର ତାଲିକାରେ ରହିଛି। ପୂର୍ବ ଅପେକ୍ଷା ପ୍ରାୟ ୨,୫୦୦ଜଣଙ୍କ ନାମ ଭୋଟର ତାଲିକାରୁ କଟି ଯାଇଥିବା ଜଣାପଡ଼ିଛି। ଏଠାରେ ମୋଟ ୫ଟି ବସ୍ତି ଚମ୍ପା ପୋଖରୀ, ଆଖଣ୍ଡଳମଣିଶ୍ୱର, କଳ୍ପନା ଫ୍ଲାଟ, ଶବର ସାହି, କେଳା ବସ୍ତି ରହିଛି। ସବୁଠାରୁ ବଡ଼ ଚମ୍ପା ପୋଖରୀ ବସ୍ତିରେ ପ୍ରାୟ ୭୦୦ ଭୋଟର ରହିଛନ୍ତି। ବାକି ସବୁ ବସ୍ତିକୁ ମିଶାଇ ମୋଟ ୨୯୦ ଖଣ୍ଡ ଭୋଟର ଅଛନ୍ତି। ତେଣୁ ବସ୍ତିଗୁଡିକରେ ମୋଟ ୧୨୦୦ ପାଖାପାଖି ଭୋଟ୍‌ ରହିଛି। ବସ୍ତି ଭୋଟ ହାତେଇବାକୁ ଉଭୟ ବିଜେଡି, ଭାଜପା ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସରକାରୀ ଦଳ ସପକ୍ଷରେ ଭୋଟ୍‌ ଦେଲେ ଭବିଷ୍ୟତରେ ସେମାନଙ୍କ ରହିବା ଲାଗି ସ୍ଥାୟୀ ବନ୍ଦୋବସ୍ତ କରାଯାଇପାରେ ବୋଲି କେତେଜଣ ବସ୍ତି ଭୋଟର ପ୍ରକାଶ କରିଛନ୍ତି।