ବ୍ରହ୍ମପୁର ପୌର ନିର୍ବାଚନ ହେଉନି ନିରପେକ୍ଷ

ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାରେ ପ୍ରଶାସନ ବିଫଳ ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଇଙ୍ଗିତରେ ସରକାରୀ କଳ ବେନିୟମ ଭାବେ କାର୍ଯ୍ୟ କରୁଛି। ବସ୍ତିଗୁଡିକର ଗରିବ ହିତାଧିକାରୀଙ୍କୁ ଦିଆଯାଇଥିବା ଆବାସ ଯୋଜନା ଘରର ବକେୟା କିସ୍ତି ଟଙ୍କା ତୁରନ୍ତ ଦାଖଲ ନିମନ୍ତେ ତରବରିଆ ଭାବେ ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯାଇଛି। ପରୋକ୍ଷରେ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ଚକ୍ରାନ୍ତ ଚାଲିଛି। ଭାଜପା ପକ୍ଷରୁ ଏଭଳି ଅନେକ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆନ୍ଦୋଳନ କରାଯିବାର ଚେତାବନୀ ଦିଆଯାଇଛି।
ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ବ୍ରହ୍ମପୁର କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆହୁରି କୁହାଯାଇଛି, ନିର୍ବାଚନ ଲଢ଼ିବା ବିଭିନ୍ନ ଦଳ ଓ ଲୋକଙ୍କ ସାମ୍ବିଧାନିକ ଅଧିକାର ରହିଛି। ତେବେ ଗୋଟିଏ ଦଳ ଏକତରଫା ଜିତିବା ନିମନ୍ତେ ନାନା ପ୍ରକାର ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛି। ଏଥିରେ ପ୍ରଶାସନିକ କଳ ପରୋକ୍ଷରେ ସହଯୋଗ କଲା ଭଳି କାର୍ଯ୍ୟ କରୁଛି। ଗୋଟିଏ ଗୋଷ୍ଠୀ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ଭୟଭୀତ କରାଇ ଦାଖଲ ନାମାଙ୍କନ ପ୍ରତ୍ୟାହାର ଲାଗି ଧମକ ଦେଉଛନ୍ତି। କେତୋଟି ଘଟଣାରେ ସଫଳ ମଧ୍ୟ ହୋଇଛନ୍ତି। ତେଣୁ ଭାଜପା ପ୍ରାର୍ଥୀମାନେ ପରିବାର ସହ ଆତଙ୍କ ମଣୁଛନ୍ତି। ଭୟରେ ଅନେକ ପ୍ରାର୍ଥୀ ଅଜ୍ଞାତବାସରେ ଅଛନ୍ତି। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ନିର୍ବାଚନ କମିଶନ ଏବଂ ଆଇନ ଶୃଙ୍ଖଳା ରକ୍ଷା ସହ ଗୁଣ୍ଡାମିକୁ ଦମନକରିବା ପୋଲିସର ଦାୟିତ୍ୱ । ତେବେ ପୋଲିସ ନୀରବ ରହିଥିବା ଅଭିଯୋଗ କରାଯାଇଛି।
କୋଠା ଓ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକରେ ଶଙ୍ଖ ଚିହ୍ନ ପତାକା ଓ ହୋର୍ଡିଂ ଲଗାଯାଇଛି। ଏହା ଆଚରଣବିଧିର ଖୋଲା ଉଲ୍ଲଂଘନ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତୁରନ୍ତ ହଟାଇବାକୁ ଦାବି କରାଯାଇଛି। ଖବରଦାତା ସମ୍ମିଳନୀରେ ଜିଲା ସଭାପତି ବିଭୂତି ଜେନା, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବରିଷ୍ଠ ନେତା କାହ୍ନୁ ଚରଣ ପତି, ମେୟର ପ୍ରାର୍ଥତ୍ନୀ ସବିତା ସୁଆରଙ୍କ ସମେତ ସରୋଜ ସାବତ ଓ ସୁନୀଲ ସାହୁ ଉପସ୍ଥିତ ଥିଲେ। ବ୍ରହ୍ମପୁରରେ ନିର୍ବାଚନ ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଥିଲେ।