ଆଖିଦୃଶିଆ ଉନ୍ନୟନ ହେଉ

ଅନୁଗୋଳ ଅଫିସ,୧୭ା୩: ପୌର ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଅନୁଗୋଳ ସହର। ଓ୍ବାର୍ଡର ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି ନଗରପାଳ ଓ କାଉନସିଲର ପ୍ରାର୍ଥୀ। ଏଥିସହ ବର୍ଷ ବର୍ଷ ଧରି ଥିବା ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ଅନୁଗୋଳ ପୌରାଞ୍ଚଳର ୮ନଂ. ଓ୍ବାର୍ଡରେ ମଧ୍ୟ ସମାନ ସ୍ଥିତି। ପୋଷ୍ଟର, ବ୍ୟାନରରେ ଛାଉଁଣି ହୋଇଗଲାଣି ବିଭିନ୍ନ ଛକ। ସପ୍ତାହେ ପରେ ଭୋଟ ଗ୍ରହଣ ଥିବାରୁ ଏଥିପାଇଁ ଉତ୍ସାହିତ ଅଛନ୍ତି ଭୋଟର। ରାସ୍ତା, ପାନୀୟ ଜଳ ଓ ଡ୍ରେନ୍‌ ସମସ୍ୟା ଏହି ଓ୍ବାର୍ଡରେ ସେପରି ନ ଥିଲେ ମଧ୍ୟ ଆଖିଦୃଶିଆ ଉନ୍ନୟନକୁ ଚାହିଁରହିଛନ୍ତି ଲୋକେ।
ଅନୁଗୋଳ ପୌରାଞ୍ଚଳର ହୁଲୁରିସିଂହା ଅଞ୍ଚଳକୁ ନେଇ ୮ନଂ. ଓ୍ବାର୍ଡ ଗଠିତ। ଏଠାକାର ଲୋକ ସଂଖ୍ୟା ୧୮୦୫ ହୋଇଥିବା ବେଳେ ୧୫୯୧ ଭୋଟର ଅଛନ୍ତି। ତେବେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଓ୍ବାର୍ଡରେ ଅଧିକ। ସହରର ଅନ୍ୟ ଓ୍ବାର୍ଡପରି ଏଠାରେ ଡ୍ରେନ୍‌ ଓ ଆବର୍ଜନା ପରିଚାଳନାରେ ଅବ୍ୟବସ୍ଥା ସେତେଟା ନାହିଁ। କିନ୍ତୁ ସ୍କୁଲ ପିଲାଙ୍କ ଖେଳକୁଦ ପାଇଁ ପାର୍କଟିଏ ନାହିଁ କି ସାମାଜିକ ଅବା ପାରିବାରିକ କାର୍ଯ୍ୟକ୍ରମ ପାଇଁ କଲ୍ୟାଣମଣ୍ଡପ ନିର୍ମାଣ କରାଯାଇ ନାହିଁ। ଏହି କାରଣରୁ ଓ୍ବାର୍ଡବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତୀତରେ ଏଠାରୁ ବିଜୟୀ ହୋଇଥିବା ଅନେକ ଜନପ୍ରତିନିଧି ଏ ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ। ଓ୍ବାର୍ଡବାସୀ ନୀଳାଞ୍ଚଳ ପ୍ରଧାନ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡିରୁ ବିଚିତ୍ର ନାଏକ, ଭାଜପାରୁ କୈଳାସ ପ୍ରଧାନ, କଂଗ୍ରେସରୁ ବିଜୁ ଭୋଇ ଓ ବିଷ୍ଣୁଚରଣ ମିଶ୍ର ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଯିଏ ବି କାଉନସିଲର ନିର୍ବାଚିତ ହେବେ, ସେ ପିଲାଙ୍କ ପାର୍କ ଓ କଲ୍ୟାଣମଣ୍ଡପ ନିର୍ମାଣ କରିପାରିଲେ ଲୋକେ ଖୁସି ହେବେ। ସେମାନଙ୍କ ଦୀର୍ଘବର୍ଷର ସମସ୍ୟାର ସମାଧାନ ହୋଇପାରିବ।