Categories: ଖେଳ

ନିୟମ କୋହଳ କଲା ଫିଫା

ଜୁରିଚ୍‌, ୭ା୨(ଏପି)-ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ଏହାର ନିୟମରେ କୋହଳ କରିଛି। କରୋନା ମହାମାରୀ ସମୟରେ ଜାତୀୟ ଦଳ ତରଫରୁ ଖେଳିବା ଲାଗି କ୍ଲବଗୁଡ଼ିକ ଖେଳାଳିଙ୍କୁ ରିଲିଜ କରିପାରିବେ। କାରଣ ମାର୍ଚ୍ଚ ମାସରେ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଏଥିରେ ୧୩୫ ଜାତୀୟ ଦଳ ଭାଗନେବାକୁ ଥିବାରୁ ଫିଫା ଏହି ନିଷ୍ପତ୍ତି ନେଇଛି। ୪୮ରୁ ଅଧିକ ଖେଳାଳି ଆଫ୍ରିକାନ୍‌ କପ୍‌ ଅଫ୍‌ ନେଶନ୍ସ କ୍ୱାଲିଫାୟର୍ସରେ ଖେଳୁଛନ୍ତି। ୟୁରୋପରେ ବିଭିନ୍ନ କ୍ଲବରେ ବିଭିନ୍ନ ଦେଶର ବହୁ ଖେଳାଳି ଖେଳୁଛନ୍ତି। ଜାତୀୟ ଦଳରେ ଖେଳିବା ଲାଗି ସେମାନଙ୍କୁ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ଯିବାକୁ ପଡିବ। ଖେଳାଳିମାନଙ୍କୁ ଅତିକମ୍‌ରେ ୫ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ରେ ରହିବାକୁ ହେବ। କୋଭିଡ୍‌ ଯୋଗୁ ଗତବର୍ଷ ଏସିଆ ଓ ସାଉଥ ଆମେରିକାରେ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚଗୁଡ଼ିକ ଖେଳାଯାଇ ପାରି ନାହିଁ। ୨୦୨୦ରେ ଏସିଆରେ କେବଳ ଗୋଟିଏ ଗେମ୍‌ ସମ୍ଭବ ହୋଇପାରିଛି। ଚଳିତ ସପ୍ତାହରେ ଜେନେଭାଠାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନରେ ଏକ ଉଦ୍‌ବୋଧନ ଦେଇ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ କହିଛନ୍ତି, କାର୍ଯ୍ୟସୂଚୀକୁ ସମ୍ପାଦନ କରିବା ଲାଗି ସ୍ବାସ୍ଥ୍ୟକୁ ନେଇ କୌଣସି ରିସ୍କ ନିଆଯିବ ନାହିଁ।

Share