Categories: ଖେଳ

ହାଇତି ଫୁଟ୍‌ବଲ ସଭାପତିଙ୍କୁ ଆଜୀବନ ବାସନ୍ଦ କଲା ଫିଫା

ଜୁରିଚ୍‌, ୨୧ା୧୧ (ଏପି)-ମହିଳା ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗରେ ହାଇତି ଫୁଟ୍‌ବଲ ମହାସଂଘ ସଭାପତି ଓ୍ବାଇଭେସ୍‌ ଜିନ୍‌ ବାର୍ଟଙ୍କୁ ବିଶ୍ୱ ପରିଚାଳନା ସଂସ୍ଥା ଫିଫା ଶୁକ୍ରବାରଠାରୁ ଖେଳରୁ ଆଜୀବନ ବାସନ୍ଦ କରିଛି। ଜିନ୍‌ ବାର୍ଟ ନିଜ ପଦବୀର ଅପବ୍ୟହାର କରି ବହୁ ମହିଳା ଖେଳାଳିଙ୍କ ଯୌନ ଶୋଷଣ କରିଛନ୍ତି। ସେମାନଙ୍କ ମଧ୍ୟରେ ନାବାଳିକା ଓ ଜାତୀୟ ଦଳର କେତେଜଣ ଖେଳାଳି ମଧ୍ୟ ଅଛନ୍ତି। ବାସନ୍ଦ ଦଣ୍ଡ ବ୍ୟତୀତ ତାଙ୍କୁ ୧ନିୟୁତ ସୁଇସ୍‌ ଫ୍ରାଙ୍କ୍‌ (୧.୧ ନିୟୁତ ଡଲାର) ମଧ୍ୟ ଜରିମାନା କରାଯାଇଛି। ଜିନ୍‌ ବାର୍ଟଙ୍କ କଳାକାରନାମା ସମ୍ପର୍କରେ ଏକ ବ୍ରିଟିଶ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ ଫିଫା ପାଣ୍ଠି ସହାୟତାରେ ଚାଲିଥିବା ଦେଶର ଜାତୀୟ ଟ୍ରେନିଂ ସେଣ୍ଟରଠାରେ ସେ ଏହି କୁତ୍ସିତ କାର୍ଯ୍ୟ କରିଥାନ୍ତି। ଜିନ୍‌ ବାର୍ଟ ରାଞ୍ଚ୍‌ ନାମରେ ପରିଚିତ। ୨୦୦୦ରୁ ସେ ହାଇତି ଫୁଟ୍‌ବଲର ମୁଖ୍ୟ ରହି ଆସିଛନ୍ତି। ସରକାରୀକଳ, ରାଜନୀତି ଏବଂ ଆଇନ ବ୍ୟବସ୍ଥାସହ ତାଙ୍କର ସୁସମ୍ପର୍କ ରହିଥିବା ହ୍ୟୁମାନ ରାଇଟ୍‌ ଓ୍ବାଚ୍‌ କହିଛି। ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର କିନ୍ତୁ ସେ ଖଣ୍ଡନ କରିଛନ୍ତି।

Share