Categories: ଖେଳ

ଫର୍ମୁଲାଓ୍ବାନ: ରେନଲ୍ଟକୁ ଫେରିବେ ଆଲୋଁସୋ

ସ୍ପେଲବର୍ଗ, ୯ା୭(ଏପି)- ଫର୍ମୁଲାଓ୍ବାନ ମୋଟରରେସିଂର ପୂର୍ବତନ ବିଶ୍ୱ ଚାମ୍ପିୟନ ଫର୍ନାଣ୍ଡୋ ଆଲୋଁସୋ ଆସନ୍ତା ସିଜନରେ ରେନଲ୍ଟ ଟିମ୍‌କୁ ଫେରିବେ। ଶେଷଥରପାଇଁ ୨୦୧୮ ସିଜନରେ ସେ ମ୍ୟାକଲରେନ ଡ୍ରାଇଭ୍‌ କରିଥିଲେ। ଏହି ସିଜନ ଶେଷରେ ସେ ମ୍ୟାକଲରେନ ଓ ଫର୍ମୁଲାଓ୍ବାନରୁ ଓହରି ଆସିଥିଲେ। ୨୦୧୮-୧୯ ସିଜନରେ ସେ ଏଫଆଇଏ ଓ୍ବାଲର୍‌ଡ ଏଣ୍ଡୁରାନ୍ସ ଚାମ୍ପିୟନଶିପ୍‌ କ୍ୟାରିୟର ଆରମ୍ଭ କରିଥିଲେ। ୨୦୨୨ ଫର୍ମୁଲାଓ୍ବାନ ସିଜନରେ ଡାନିଏଲ ରିକାର୍ଡୋଙ୍କ ସ୍ଥାନରେ ୩୮ ବର୍ଷୀୟ ଆଲୋଁସୋ ରେନଲ୍ଟରେ ସାମିଲ ହେବେ ବୋଲି ଫ୍ରେଞ୍ଚ୍‌ ନିର୍ମାତା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ରିକାର୍ଡୋ ଆସନ୍ତା ସିଜନୀରୁ ମ୍ୟାକଲରେନରେ ଯୋଗଦେବେ। ଗତ ସିଜନରେ ଫର୍ମୁଲାଓ୍ବାନରେ ରେନଲ୍ଟ ପଏଣ୍ଟ ପାଇଁ ସଂଘର୍ଷ କରୁଥିବା ପରିଲକ୍ଷିତ ହୋଇଥିଲା। ଆଲୋଁସୋ ରେନଲ୍ଟ ଡ୍ରାଇଭ୍‌ କରି କ୍ୟାରିୟରରେ ୨ ଥର ୨୦୦୫ ଓ ୨୦୦୬ରେ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି। ତେବେ ଏକାଧିକ ସିଜନରେ ସେ କାହିଁକି ଏହାଠାରୁ ଦୂରରେ ରହିଥିଲେ ସେ ସମ୍ପର୍କରେ ରେନଲ୍ଟ ପକ୍ଷରୁ କିଛି ପ୍ରକାଶ କରାଯାଇନାହିଁ। ଫର୍ମୁଲାଓ୍ବାନ ମୋଟରରେସିଂ କ୍ୟାରିୟରରେ ଆଲୋଁସୋ ୩୨ଟି ରେସ୍‌ ଜିତିଛନ୍ତି। ନିଜ ସମୟରେ ସେ ୬ ଥର ଚାମ୍ପିୟନ ଲୁଇସ ହାମିଲଟନଙ୍କ ସହ ପ୍ରତିଭାବାନ୍‌ ଡ୍ରାଇଭର ବିବେଚିତ ହେଉଛନ୍ତି। ଆସନ୍ତା ବର୍ଷ ଆଲୋଁସୋଙ୍କ ସହ ୨୩ ବର୍ଷୀୟ ଫ୍ରେଞ୍ଚ୍‌ ଡ୍ରାଇଭର ଏଷ୍ଟାବେନ ଓକନ ରେନଲ୍ଟ ଡ୍ରାଇଭ୍‌ କରିବେ। ” ରେନଲ୍ଟ ଟିମ୍‌କୁ ଫେରିବା ମୋ ପାଇଁ ଗର୍ବ ଏବଂ ଭାବପ୍ରବଣର ବିଷୟ। ଏହିଠାରୁ ହିଁ ମୋ କ୍ୟାରିୟର ଆରମ୍ଭ ହୋଇଥିଲା“ ବୋଲି ଆଲୋଁସୋ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Share