ଦଶମ ପରୀକ୍ଷାଫଳ, ସାନଖେମୁଣ୍ଡି ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଖୋଲଡ଼ି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଇସିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ଇସିତା ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ ୫୪୮ ମାର୍କ ହାସଲ କରି କୃତିତ୍ଵର ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ବ୍ଲକ ଅଞ୍ଚଳରେ ଟପ୍ପର ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା।

ପ୍ରଧାନଶିକ୍ଷକ ଅନିଲ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍କୁଲ ପରିଚାଳନା କମିଟି ସଭାପତି ଜେ. ମୁନା ଦୋରା, ସରପଞ୍ଚ ବର୍ଷା ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରୀତାଞ୍ଜଳି ରଥ, ଆଞ୍ଚଳିକ ସାଧନ କର୍ମୀ ଡ଼ି.ମୁକେଶ ପାତ୍ର, ସାମାଜିକ କର୍ମୀ ପିଣ୍ଟୁ ସେଠୀ, ଜେ. କୁରେଶୁ ଦୋରା, ବାବୁଲା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଇସିତାଙ୍କ ଏହି ସଫଳତା ବିଦ୍ୟାଳୟକୁ ଗୌରାବାନ୍ଵିତ କରିଥିବା ବେଳେ ଅନ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରେରଣା ଦାୟକ ହେବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।ତାଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି ଅତିଥିବୃନ୍ଦ ସେମାନଙ୍କ ଉଦବୋଧନରେ କହିଥିଲେ।

ଶେଷରେ ମେଧାବୀ ଛାତ୍ରୀ ଇସିତାଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।ସଭାରେ ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ, ବହୁ ସଂଖ୍ୟକ ଗ୍ରାମବାସୀ, ଅଭିଭାବିକା ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share