ବଦଳା ଯାଉଛି ଭାବନା

ଶାସନରେ ଶାସକର ଛାପ ରହେ। ଏଇ ଯେପରି ଆମ ଦେଶରେ ପ୍ରଥମେ କଂଗ୍ରେସ ସରକାର ହେଲା ପରେ ଲୋକମାନେ ଦି’ଓଳି ଦି’ମୁଠା କିପରି ଖାଇ ପିଇ ବଞ୍ଚିବେ, ଶିଳ୍ପାୟନ ବା କୃଷି କାର୍ଯ୍ୟ କିପରି କରାଯିବ, ଶ୍ରମିକଙ୍କୁ କିପରି କାମ ମିଳିବ ଇତ୍ୟାଦି ସର୍ବନିମ୍ନ ଭାବନା ଜନତାଙ୍କ ପାଇଁ ସରକାରଙ୍କ ମନରେ ରହୁଥିଲା। କୃଷି, ଜଳସେଚନକୁ ଆଖି ଆଗରେ ରଖି ନଦୀବନ୍ଧ ଯୋଜନା କରାଯାଉଥିଲା। ବେକାରି ସମସ୍ୟା ସମାଧାନର ଚିନ୍ତା ଥିଲା ସରକାରଙ୍କର। କିନ୍ତୁ ଦୀର୍ଘବର୍ଷ ଶାସନ ପରେ ମଧ୍ୟ ସେଥିରେ ଆଖିଦୃଶିଆ ପରିବର୍ତ୍ତନ ହେଇ ନ ଥିଲା। ଅବଶ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ଗମନାଗମନ, ବିଦ୍ୟୁତୀକରଣ ଇତ୍ୟାଦିର କିଛିଟା ଉନ୍ନତି ହୋଇଥିଲା। ଏ ସବୁ ତ ସରକାରୀ କଳର ଜନାଭିମୁଖୀ କାର୍ଯ୍ୟକ୍ରମ। ଯେଉଁ ସରକାର ଥାଉନା କାହିଁକି ଏ ପ୍ରକାର ସମସ୍ୟା ପ୍ରତି ନିଶ୍ଚିତ ଧ୍ୟାନ ଦେବ। କାରଣ ଏହା ଜନତାଙ୍କର ସର୍ବନିମ୍ନ ଆବଶ୍ୟକତା ଭିତରେ ରହୁଛି। ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ହିଁ ଜନାଭିମୁଖୀ ସରକାରଙ୍କ ପ୍ରାଥମିକତା। ଆଉ ଆମ ଦେଶର ଶାସନ ପଦ୍ଧତି ଗଣତନ୍ତ୍ର। ଲୋକ ଚାହିଁଲେ ସରକାର ବଦଳାଇ ପାରିବେ। ଲୋକଙ୍କର ଚିନ୍ତାଥାଏ, ସରକାର କିପରି ରୋଜଗାର ଯୋଗାଇଦେବ, ଦି’ଓଳି ଦି’ମୁଠା ଖାଇବାକୁ ମିଳିବ। ଆଗକୁ ବଢିବା ବା ପିଲାଙ୍କୁ ଗଢିବା ଚିନ୍ତା ଥିଲେ ମଧ୍ୟ ତାହା ଅପ୍ରକାଶ୍ୟ ରହୁଥାଏ। ଆଉ ଦେଶ ବାହାର ବା ଭିତର ସୁରକ୍ଷା ଥାଏ ସରକାରଙ୍କର ପ୍ରାଥମିକତା ଭିତରେ।
ପୂର୍ବ ଶାସନରେ ସନ୍ତୁଷ୍ଟ ନ ଥିବାରୁ ଶାସନ ବଦଳିଲା। ସୁଶାସନର ନାରା, ଶାନ୍ତି ପ୍ରତିଷ୍ଠାର ବାଣୀ, ବାର୍ଷିକ ବହୁ ଲୋକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଏବଂ କଳାଟଙ୍କା ଉଦ୍ଧାର ସହ ଲୋକଙ୍କୁ ସେହି ଟଙ୍କାରୁ ଲକ୍ଷ ଲକ୍ଷ ଟଙ୍କା ଫେରାଇ ଦେବା ଥିଲା ଆଧାର। ଏ ସବୁ କାର୍ଯ୍ୟକାରୀ ହେଲେ ଲୋକେ ଉପକୃତ ହେବେ ଭାବି ସରକାରକୁ ବଦଳାଇ ସ୍ଥାୟିତ୍ୱ ଦେଲେ। ପାଞ୍ଚ ବର୍ଷ ନୁହେଁ। ଦଶ ବର୍ଷ ବି ନୁହେଁ। ଆହୁରି ପାଞ୍ଚବର୍ଷ ପାଇଁ। ଯାହା ଦେଖାଯାଏ,ସରକାର ନିଜର ଅଧିକ ସ୍ଥାୟିତ୍ୱ ପାଇଁ ଦରକାର ହେଉଥିବା ବେକାରି ଦୂରୀକରଣ, ଦରଦାମ ନିୟନ୍ତ୍ରଣ ଏ ସବୁକୁ ଅପହଞ୍ଚ ଭାବି ଅନ୍ୟ ନୀତି ଆପଣେଇବାକୁ ଚେଷ୍ଟିତ ରହୁଛନ୍ତି। ଜନସଂଖ୍ୟା ବୃଦ୍ଧି ଯୋଗୁ ଆମ ଦେଶର ଆୟ ବହୁଧା ବିଭକ୍ତ ହେଉଛି। ଯୁବଶକ୍ତି ଚାକିରି ନ ପାଇ ହତାଶ ହେଉଛି। ଟିକସ ଭାର ଅତ୍ୟଧିକ ବଢିଛି। ଦରଦାମ ବଢିଚାଲିଥିଲେ ବି ଠିକ୍‌ ସୂଚକାଙ୍କ ପ୍ରକାଶ କରାଯାଉଛି କି ନାହିଁ ତାହା ପ୍ରତ୍ୟେକ ଅନୁଭବ କରୁଥିବେ। ସୂଚକାଙ୍କ କମ୍ପ୍ୟୁଟରାଇଜେଶନ ଯୁଗରେ ଶୀଘ୍ର ପ୍ରକାଶ ସ୍ଥଳରେ ନିର୍ଦ୍ଧାରିତ ସମୟଠାରୁ ବେଶ୍‌ କିଛିଦିନ ପରେ ପ୍ରକାଶିତ ହେବା ସନ୍ଦେହ ଆଣୁଛି। ବିଳମ୍ବଜନିତ ସରକାରୀ ବିବୃତି କେବେ ନଜରରେ ଆସୁନି। ପୂର୍ବ ସରକାରର ଅବହେଳା ଏ ସରକାରର ଅବହେଳାକୁ ଏଡାଇ ଯିବାରେ ଦର୍ଶାଯାଉଛି। ପ୍ରଗତିର ଧାରା ଯେ କେହି ସରକାର ରହିଲେ ଯେ ବଢିବ ଏହା ନିଃସନ୍ଦେହ। ନଚେତ୍‌ ଜନତା ସରକାର ବଦଳାଇଦେବେ। ପ୍ରଗତି ଅନିବାର୍ଯ୍ୟ।
ଗଣତନ୍ତ୍ର ଦେଶରେ ଦରବୃଦ୍ଧିରେ ଆନ୍ଦୋଳନ ହେବା ସ୍ବାଭାବିକ। କିନ୍ତୁ ବିଚିତ୍ର ଏ ଦେଶ। ଦର ବୃଦ୍ଧି ହେଉଛି, ବେକାରି ବଢୁଛି ତଥାପି କାହାର ସ୍ବର ଶବ୍ଦ ନାହିଁ। ବିରୋଧୀ ଦଳ ବି କରାୟତ୍ତ। ସରକାରୀ ହେଉ କି ବିରୋଧୀ ସମସ୍ତେ ବାହାରକୁ ଅଲଗା ହେଲେ ମଧ୍ୟ ଭିତରେ ଏକ ଥିଲା ପରି ମନେହୁଏ। ଦୀର୍ଘଦିନ ଧରି ଇପିଏଫ୍‌ ପେନ୍‌ସନ ବଢୁନି। ସେହି ଏକହଜାର ଟଙ୍କା। ଅଥଚ ବାର୍ଦ୍ଧକ୍ୟ ପ୍ରୋତ୍ସାହନ ଭତ୍ତା ତା’ ଠାରୁ ଢେର ଅଧିକ ଏଇ ସରକାର ଦେଉଛନ୍ତି। ତା’ହେଲେ କ’ଣ ଆମେ କହିପାରିବା ଷାଠିଏ ବର୍ଷ ପର୍ଯ୍ୟନ୍ତ କାମକରି ଅବସର ନେଇଥିବା କର୍ମଚାରୀ ପ୍ରତି ନ୍ୟାୟ ହେଉଛି। ପେନ୍‌ସନରେ ପାତରଅନ୍ତର। ଷାଠିଏ ବର୍ଷ ପରେ ସମସ୍ତେ ତ ସରକାରଙ୍କ ଦୃଷ୍ଟିରେ ସମାନ ହେବା କଥା। କାହାକୁ ଲକ୍ଷ ଲକ୍ଷ ଟଙ୍କା ପେନ୍‌ସନ ମିଳୁଥିବା ବେଳେ କାହାକୁ ମାତ୍ର ଏକ ହଜାର ଟଙ୍କା। ଧନ୍ୟରେ ସରକାରୀ ବିଚାର। ଇଏ ପୁଣି ଆମ ଜନତାର ଓ ଜନତା ପାଇଁ ସରକାର। କିନ୍ତୁ ଯଦି ନିର୍ବାଚିତ ପ୍ରତିନିଧିଙ୍କର ଭତ୍ତା ବୃଦ୍ଧି ପ୍ରସ୍ତାବ ଆସେ ତାହା ପାସ୍‌ ହେବାରେ ବିଳମ୍ବ ହୁଏନି। ସରକାର ଆଉ ବିରୋଧୀ ଦଳ ଏକ ହୋଇଯାନ୍ତି। ପାଞ୍ଚ ବର୍ଷରେ ସେମାନଙ୍କର ପେନ୍‌ସନ, ଆଉ ଅନ୍ୟର ଏବେ ପଚିଶ ବର୍ଷରେ। ତାରତମ୍ୟ ପ୍ରତ୍ୟେକ କ୍ଷେତ୍ରରେ।
କହି ଜାଣିଲେ କଥା ସୁନ୍ଦର। ବେକାର ପିଲାଟିଏ ତା’ ଚାକିରି କଥା ନ ଭାବି ଜାତିଆଣ ଭାବରେ ନିଜର ବିଚାରକୁ ଉଗ୍ର କରୁଛି। ଏହି କୁତ୍ସିତ ଭାବନା, ଶାସନରେ ଦୀର୍ଘଦିନ ତିଷ୍ଠି ରହିବା ପାଇଁ ବହୁ ଲୋକଙ୍କୁ କଳୁଷିତ କରି ଭ୍ରାତୃତ୍ୱ ଭାବର ବିଲୋପ ପାଇଁ ନୁହେଁ ତ। ଆମେ ପରା ବିଶ୍ୱଗୁରୁ ହେଉଛେ। ତେବେ ବିଶ୍ୱର କଲ୍ୟାଣ ଚିନ୍ତା କରିବା ଆମର କର୍ତ୍ତବ୍ୟରେ ଆସୁନି କାହିଁକି? ଆମର ବିଚାର ପରା, ସର୍ବେ ଭବନ୍ତୁ ସୁଖିନଃ, ତେବେ ଜାତି ଭେଦଭାବ ଆସିବ କେଉଁଠୁ। ଗୁରୁଙ୍କର ସମସ୍ତେ ଶିଷ୍ୟ। ଜାତି ଆସିଲା କେଉଁଠୁ। ଜାତି ତ ଗୋଟିଏ ଶିଷ୍ୟ। ବିଚାର ବଦଳୁ। ମନରେ ଧର୍ମଜନିତ ବିଦ୍ବେଷ ଭାବ ସୃଷ୍ଟିକରି ଉତ୍ତେଜିତ ରଖି ସ୍ବାର୍ଥ ଆଦାୟ କରା ନ ଯାଉ। ସରକାର ସଭିଙ୍କର, ସମସ୍ତଙ୍କୁ ପ୍ରାଧାନ୍ୟ ଦେଉ। ସହାବସ୍ଥାନ ନୀତି ବଞ୍ଚୁ। ବସୁଧୈବ କୁଟୁମ୍ବକମ୍‌ କଥାରେ ସୀମିତ ନ ରହି କାର୍ଯ୍ୟରେ ପରିଲକ୍ଷିତ ହେଉ। ସମ୍ବିଧାନର ମୂଳତତ୍ତ୍ୱ ବଜାୟ ରହୁ। ଦେଶବାସୀଙ୍କର ବିକାଶ ହିଁ ଦେଶର ବିକାଶ। ସେଇ ଲକ୍ଷ୍ୟ ରଖି ଏବେଠାରୁ ଦୁଇହଜାର ଶତଚାଳିଶରେ ବିକଶିତ ଭାରତ ପାଇଁ ଯେଉଁ ପ୍ରସ୍ତୁତି ଚାଲିଛି, ସେଥିରେ ଆନୁପାତିକ ପ୍ରତି ପଞ୍ଚବାର୍ଷିକ ଯୋଜନା ଶମ୍ଭୁତ ବୃଦ୍ଧି ପ୍ରତି ସମୀକ୍ଷାଜନିତ ତୀକ୍ଷ୍ଣ ଦୃଷ୍ଟି ଦିଆଯାଉ। ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ଉତ୍ସବ ଶୃଙ୍ଖଳିତ ଭାବରେ ସମସ୍ତ ଭାରତୀୟଙ୍କୁ ନେଇ ପାଳିତ ହେଉ। ଏ ଦେଶ ସମସ୍ତ ଭାରତୀୟଙ୍କର। ଦେଶ ବିକାଶଶୀଳରୁ ବିକଶିତ ରାଷ୍ଟ୍ରରେ ପରିଣତ ହେଉ। ବେକାରି ଲୋପପାଉ। ସମସ୍ତ ଯୁବଶକ୍ତି ରୋଜଗାରକ୍ଷମ ହୁଅନ୍ତୁ। ଭାଇଚାରା ଆଦର୍ଶ ହେଉ। ଅରାଜକତା ଲୋପହେଉ। ସରକାରଙ୍କର ମହତ ଆକାଂକ୍ଷା ପୂରଣ ହେଉ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri