ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍ର ୧୬୩ ଧାରା ଲାଗୁ କରାଯାଇଛି। ପୋଲିସ ମାଇକ ଯୋଗେ ରବିବାରଠାରୁ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ କଟକଣା ସମ୍ପର୍କରେ ଗ୍ରାମରେ ସୂଚନା ଦେଇଛନ୍ତି। ମନ୍ଦିର ଠାରୁ ୫ ଶହ ମିଟର ମଧ୍ୟରେ ୫ଜଣ କିମ୍ବା ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ ଏବଂ କୌଣସି ଅସ୍ତ୍ରଶସ୍ତ୍ର ରଖି ପାରିବେ ନାହିଁ। ସଭା ସମିତି, ମାଇକ୍ ଯୋଗେ ଉତ୍ତେଜେନା ପୂର୍ଣ୍ଣ ପ୍ରଚାର କରିପାରିବେ ନାହଁ ବୋଲି ସତର୍କ କରାଇ ଦିଆଯାଇଛି। ଆଇନ ଅମାନ୍ୟ କରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ଅବସରରେ ବିଜେଡି ସଭାମଞ୍ଚରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ଷେପ କରି ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ ପଣ୍ଡାଙ୍କ ବୟାନ ବାଜିକୁ କେନ୍ଦ୍ରକରି ଏବେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସ୍ଥାନୀୟ ବରାଳ ବାଲୁଙ୍କେଶ୍ୱର ଦେବ ମନ୍ଦିର ନିକଟରେ ସମିତି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ ଏବଂ ନାରାବାଜି ଦେଇ କିଛି ଯୁବକ ସେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତେଜନା ପ୍ରକାଶ ପାଇଛି। ତେବେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏହି ନିୟମ କୋହଳ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।