ବିପଦରେ ଚାଷବାସ

ବାଦଲ ଭୂୟାଁ

 

ଓଡ଼ିଶାରେ ପ୍ରାୟତଃ ଚାଷ କାର୍ଯ୍ୟ ପାଇଁ ନିୟୋଜିତ ପାରମ୍ପରିକ ଶ୍ରମିକମାନଙ୍କ ସଂଖ୍ୟା କମିଯାଉଛି। ଏଠାରେ ଧାନରୁଆ, ବଛାରେ ନିୟୋଜିତ ହେଉଛନ୍ତି ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରମିକ। କେବଳ ଏହି ଗୋଟିଏ ରାଜ୍ୟ ନୁହେଁ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ଶ୍ରମିକ ବି ଓଡ଼ିଶାର ଚାଷକାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି। ହଠାତ୍‌ ଏମିତି କ’ଣ ହେଲା ଯେ ଓଡ଼ିଶାରେ କୃଷି ଶ୍ରମିକ ସଙ୍କଟ ସୃଷ୍ଟି ହେଲା? ଏଭଳି ଗୋଟିଏ ପ୍ରସଙ୍ଗ କେବଳ କୃଷି ବିଶେଷଜ୍ଞମାନଙ୍କୁ ନୁହେଁ ଆମ ସମସ୍ତଙ୍କୁ ଆନ୍ଦୋଳିତ କଲାଣି।
ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ କୃଷି ଶ୍ରମିକଙ୍କ ପାଇଁ କୃଷିକ୍ଷେତ୍ରରେ ବର୍ଷକୁ ମାତ୍ର ୩ମାସର ରୋଜଗାର ରହୁଛି। ଜାତୀୟ ନମୁନା ସର୍ବେକ୍ଷଣ ୨୦୧୭-୧୮ ଅନୁଯାୟୀ ଦେଶରେ ଓଡ଼ିଶାର କୃଷି ଶ୍ରମିକଙ୍କ ମଜୁରି ସର୍ବନିମ୍ନ ରହିଛି। ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ ପୂର୍ବରୁ ଯେଉଁ ଶ୍ରମିକମାନେ ଆଡ଼ି ପ୍ରସ୍ତୁତି, ପହ୍ଲା ପକାଇବା, ରୁଆ ଲଟା କାଟିବା, ବାଛିବା, ଧାନ କାଟିବା ଭଳି ଚାଷର ଅଧା କାର୍ଯ୍ୟ କରି ଦେଉଥିଲେ ସେମାନେ ବର୍ତ୍ତମାନ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ସୁରଟ, କେରଳରେ ପ୍ରବାସୀ ଶ୍ରମିକ ସାଜିଛନ୍ତି। ଶ୍ରମିକ ସଙ୍କଟ ଯୋଗୁ ଓଡ଼ିଆ ଚାଷୀଙ୍କ କିଛି ଚାଷଜମି ପଡ଼ିଆ ପଡ଼ୁଛି। ୨୦୧୧ ଜନଗଣନା ସମୟରେ ରାଜ୍ୟରେ ସମୁଦାୟ ୬୭ଲକ୍ଷ ୩୯ ହଜାର ୯୯୩ କୃଷି ଶ୍ରମିକ ଥିଲେ। ଏମାନଙ୍କ ମଧ୍ୟରେ କ୍ଷୁଦ୍ର କୃଷି ଶ୍ରମିକଙ୍କ ସଂଖ୍ୟା ୪୩ ଲକ୍ଷ ୧୯ହଜାର ୫୪୨ । ଜଣେ ଓୟୁଏଟି କୃଷି ବିଶେଷଜ୍ଞଙ୍କ ହିସାବ ଅନୁସାରେ, ଆଜି ଚାଷ ଏତେ ବ୍ୟୟବହୁଳ ହେବାର ପ୍ରମୁଖ କାରଣ ମଧ୍ୟରେ ଶ୍ରମିକଙ୍କ ଅଭାବ ଅନ୍ୟତମ । ସାମାଜିକ ଏବଂ ଆର୍ଥିକ ଭାବରେ କୃଷି ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ଏବଂ ଦଳିତ, ଆଦିବାସୀ ବର୍ଗର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୃଷି ଶ୍ରମିକଙ୍କୁ ରାଜ୍ୟ କୃଷି କିିମ୍ବା ଶ୍ରମ ବିଭାଗ କେହି ମଧ୍ୟ ନିଜର ବୋଲି କହୁନାହାନ୍ତି। ଫଳରେ ଉଭୟ ବିଭାଗ ପକ୍ଷରୁ ଏହି ବିରାଟ ସଂଖ୍ୟାକୁ ନେଇ କୌଣସି ଯୋଜନା ନାହିଁ। ଖାଦ୍ୟ ସୁରକ୍ଷା ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌(ମନ୍‌ରେଗା) ସହ କାରଖାନା ଏବଂ ରାଜ୍ୟ ବାହାରେ ବର୍ଷ ତମାମ ଅଧିକ ପ୍ରାପ୍ୟ ସାଙ୍ଗକୁ ରୋଜଗାର ବ୍ୟବସ୍ଥା ସୃଷ୍ଟି ପରେ ନୂଆ ପିଢ଼ି କୃଷି ଶ୍ରମିକ ହେବାକୁ ଚାହୁଁନାହାନ୍ତି। ଏଣେ ଚାଷ ବ୍ୟୟ ବହୁଳ ହେବା ସହ ଅଭାବୀ ବିକ୍ରି ସମସ୍ୟା ଯୋଗୁ ଛୋଟ ଏବଂ ନାମମାତ୍ର ଚାଷୀ ଚାହିଁଲେ ମଧ୍ୟ ଅଧିକ ପ୍ରାପ୍ୟ ଦେଇ କୃଷି ଶ୍ରମିକଙ୍କୁ ଆକର୍ଷିତ କରିପାରୁନାହାନ୍ତି। ଏସବୁ କାରଣରୁ ଚାଷ ବିଳମ୍ବିତ ହେଉଛି ଏବଂ ଅନେକ କ୍ଷେତ୍ରରେ ଚାଷୀ ଚାଷ ଛାଡ଼ିବା ପଛର ଏହା ଏକ କାରଣ।
ଧାନ(ଚାଉଳ) ଏବଂ ଗହମ ଉପତ୍ାଦନରେ ଦେଶ ବଳକା ହୋଇସାରିଛି । ୨୦୨୦ରୁ ପୂର୍ବ ଭାରତରେ ସବୁଜ ବିପ୍ଳବ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଜଳବାୟୁ ପରିବର୍ତ୍ତନ, ଅପପୁଷ୍ଟି ମୁକାବିଲା ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଉଭାହେଲାଣି। ଏପରି ସ୍ଥଳେ ରାଜ୍ୟ ସରକାର ଧାନଚାଷକୁ ହ୍ରାସକରି ଫସଲ ବିବିଧୀକରଣକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଉଦ୍‌ବେଗର ବିଷୟ ହେଉଛି, ଏ ସବୁର ପ୍ରଭାବ ଚାଷଜମିରେ ପରିଲକ୍ଷିତ ହେଉନାହିଁ। କୃଷି ବିଭାଗର ସୂଚନା ଅନୁସାରେ ରାଜ୍ୟରେ ୫୦ରୁ ଅଧିକ ପ୍ରକାର ଚାଷ ହେଉଛି। କୌତୂହଳ କଥା ହେଉଛି, ଅଣଧାନ ଚାଷ ପାଇଁ ବ୍ୟାପକ ପ୍ରୋତ୍ସାହନ ଦେଉଛନ୍ତି ସରକାର। ମାତ୍ର ସବୁ ଫସଲ ମିଶାଇ ଯେତେ ଚାଷ ହେଉଛି କେବଳ ଧାନ ସେତିକି ହେଉଛି। ୨୦୧୩ରୁ ୨୦୨୨ ମସିହା ମଧ୍ୟରେ ଧାନ ଉପତ୍ାଦନ ୫୬.୬୩% ବୃଦ୍ଧି ପାଇଛି। ତୈଳବୀଜ ୬୯୮ ହଜାର ମେଟ୍ରିକ ଟନ୍‌ରୁ ୫୧୩ ହଜାର ମେଟ୍ରିକ ଟନ୍‌କୁ ହ୍ରାସ ପାଇଛି। ପରିବା ଉପତ୍ାଦନ ନାମକୁ ମାତ୍ର ଅର୍ଥାତ୍‌ ୪.୩% ବଢ଼ିଛି। ଡାଲି ମାତ୍ର ୩୪.୬୫% ବଢ଼ିଛି। ରାଜ୍ୟରେ ୪ଟି ଯୋଜନା ଅଧୀନରେ ଖରିଫରେ ୭ଲକ୍ଷ ହେକ୍ଟର ଏବଂ ରବିରେ ୧୩ ଲକ୍ଷ ହେକ୍ଟର ଚାଷହୋଇ ସମୁଦାୟ ୧୦ଲକ୍ଷ ୭୪ ହଜାର ୨୪୦ ମେଟ୍ରିକ ଟନ୍‌ର ଡାଲି ଉପତ୍ାଦନ ହେଉଛି। ହେଲେ ପ୍ରୋସେସିଂ ୟୁନିଟ୍‌ ଅଭାବରୁ ଉପତ୍ାଦିତ ୧ଲକ୍ଷ ୮୦ ହଜାର ମେଟ୍ରିକ ଟନ୍‌ର ଡାଲି ହିଁ ରାଜ୍ୟ ବଜାରକୁ ଆସୁଛି। ଧାନ ଭଳି ଡାଲି ବିକ୍ରୟ ନେଇ ମଣ୍ଡି ବ୍ୟବସ୍ଥା ନାହିଁ। ଏଣୁ ଚାଷୀ ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି। ଏମ୍‌ଏସ୍‌ପିର ଆଇନଗତ ମାନ୍ୟତା ନେଇ ଚାଷୀ ସଙ୍ଗଠନର ଆନ୍ଦୋଳନ ଚାଲିଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ ସରକାର ୨ ପ୍ରକାର ଡାଲିଜାତୀୟ ଫସଲ ଏମ୍‌ଏସ୍‌ପିରେ କ୍ରୟ ପାଇଁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ଏହାକୁ କାର୍ଯ୍ୟକାରୀ କଲେ ଡାଲିଚାଷୀ ଉପକୃତ ହେବା ସହ ଚାଷ ବଢ଼ିବା ଆଶା ରହିଛି। ଏହି ପ୍ରସ୍ତାବରେ ୫ ବର୍ଷ ପାଇଁ ସରକାର ମକା ଏବଂ କପା ମଧ୍ୟ ଏମ୍‌ଏସ୍‌ପିରେ କ୍ରୟ ପାଇଁ କହିଥିଲେ। ଓଡ଼ିଶାରେ ବର୍ତ୍ତମାନ ୮ଲକ୍ଷ ୬୦ ହଜାର ମେଟ୍ରିକ ଟନ୍‌ର ମକା ଉପତ୍ାଦିତ ହେଉଛି। ଏହାର ସ୍ବତନ୍ତ୍ର ବଜାର ଚାହିଦା ରହିଛି। ହେଲେ ୧୦ବର୍ଷ ମଧ୍ୟରେ ଉପତ୍ାଦନ ପରିମାଣ ମାତ୍ର ୧୦.୧୯% ବଢ଼ିଛି। ଏହି ଚାଷ ମୁଖ୍ୟତଃ ନବରଙ୍ଗପୁରର ଉମରକୋଟ୍‌ରେ ସୀମିତ ରହିଛି। ଅନ୍ୟପକ୍ଷରେ ବ୍ୟବସାୟୀଙ୍କ ପ୍ରତ୍ୟକ୍ଷ ନିବେଶ ରହିଥିବାରୁ କପା ଉପତ୍ାଦନ ୧୦ ବର୍ଷ ମଧ୍ୟରେ ୧୩୫% ବଢ଼ିଛି। ଅଣଧାନ ଚାଷ ମଧ୍ୟରୁ ମିଲେଟ୍‌ ମିଶନ ଅନ୍ତର୍ଗତରେ ମାଣ୍ଡିଆ ଚାଷ ଏବଂ ଉପତ୍ାଦନ ୫୭.୮୭% ବଢ଼ିଛି। ଧାନଚାଷ ବ୍ୟୟବହୁଳ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ଏହା ଶୀଘ୍ର ପ୍ରଭାବିତ ହୁଏ। ଏହାଛଡ଼ା ଚାଉଳରେ ରାଜ୍ୟ ବଳକା ହୋଇ ସାରିଛି। ତେଣୁ ଅଣଧାନ ଚାଷ ପାଇଁ ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ। ହେଲେ ସରକାରଙ୍କ ଯୋଜନା ଓ କାର୍ଯ୍ୟାନ୍ବୟନ ମଧ୍ୟରେ ଯୋଜନା ଯୋଜନ ଦୂରତା କାରଣରୁ ଲକ୍ଷ୍ୟ ହାସଲ ହୋଇପାରୁ ନ ଥିବା ବିଶେଷଜ୍ଞ ମତ ରଖୁଛନ୍ତି।
ସମ୍ବଲପୁରର ଜଣେ ଚାଷୀଙ୍କ କହିବା ଅନୁଯାୟୀ କତା ଗଁାରେ କୃଷି ଶ୍ରମିକ ମିଳୁ ନ ଥିବାରୁ ପଶ୍ଚିମ ଓଡ଼ିଶାର ଚାଷୀ ଛତିଶଗଡ଼ର ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ଧାନ କାଟିବା ସମୟରେ ଛତିଶଗଡ଼ ଶ୍ରମିକ ଦଳଙ୍କୁ ଯୋଗାଯୋଗ କରାଯାଏ। ୫୦ ଶ୍ରମିକ ସ୍ବଳ୍ପ ସମୟରେ ଏକାଧିକ ଚାଷୀଙ୍କ କାର୍ଯ୍ୟକରି ଫେରିଯାଆନ୍ତି। ଛତିଶଗଡ଼ ଉପରେ ନିର୍ଭରଶୀଳତା ଯୋଗୁ ନିର୍ବାଚନ ଏବଂ ୨୦୨୦ ମସିହାର ଲକ୍‌ଡାଉନ ଯୋଗୁ ଧାନ କାଟିବା ବିଳମ୍ବିତ ହୋଇଥିଲା। ବର୍ତ୍ତମାନ ଅନେକ ଚାଷ କାର୍ଯ୍ୟ ମେଶିନ ଦ୍ୱାରା ହେଉଥିବାରୁ କୃଷି ଶ୍ରମିକଙ୍କ କାର୍ଯ୍ୟ ସଙ୍କୁଚିତ ହେଉଛି। ଅଧିକାଂଶ ପ୍ରବାସୀ ଶ୍ରମିକ ହେଲେ କୃଷି ଶ୍ରମିକ କିମ୍ବା ସେହି ପରିବାରର । ବର୍ତ୍ତମାନ ସ୍ଥିତି ଏଭଳି ଯେ କେରଳର ଅନେକ ଚାଷୀ ଅଧିକ ରୋଜଗାର ପାଇଁ ନିଜ ଜମି ଛାଡ଼ି ବାହାର ଦେଶକୁ ଚାଲିଯାଇଛନ୍ତି। ସେମାନଙ୍କ ଛାଡ଼ିଯାଉଥିବା ଜମିରେ ଓଡ଼ିଆ ଶ୍ରମିକ ଚାଷ କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ କୃଷିକ୍ଷେତ୍ରରେ କୃଷି ଶ୍ରମିକ ସଙ୍କଟ ସମସ୍ୟାକୁ ଏଣିକି ସରକାର ଗୁରୁତ୍ୱର ସହ ବିଚାର କରିବାର ଆବଶ୍ୟକତା ରହିଛି। ଅବହେଳା କଲେ ଆହୁରି ବଡ଼ ସଙ୍କଟ ସୃଷ୍ଟି ହେବ ବୋଲି ଅଧିକାଂଶ ବିଶେଷଜ୍ଞ ମତ ଦିଅନ୍ତି।
ମୋ : ୭୪୮୮୯୯୮୫୩୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri