ଲାଠୋର,୨୧ା୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତର ୫ ଖଣ୍ଡ ଗ୍ରାମର ୨୭ ଜଣ ଚାଷୀଙ୍କ ଏଲଆଇ ପଏଣ୍ଟରୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ଯୋଗୁ ଚାଷ ମରିବାକୁ ବସିଛି ା ଭିକାରୀ ମାଝୀ, ଋଷୁ ଧରୁଆ, ରାଜେନ୍ଦ୍ର ସୁନା ଓ ଚମ୍ପୁଲାଲ ଧରୁଆ ପ୍ରମୁଖ ଚାଷୀ ଏହି ଅଭିଯୋଗ କରିଛନ୍ତି l
ପ୍ରକାଶ ଯେ, ମାଲପଡ଼ା ଗ୍ରାମର ୪ ଜଣ ଚାଷୀ, ଜାମଚୁଆଁ ଗ୍ରାମର ୭ ଜଣ ଚାଷୀ, ଫୁଲଝର ଗ୍ରାମର ୬ ଜଣ ଚାଷୀ, ଜଲପାଙ୍କେଲ ଗ୍ରାମର ୬ ଜଣ ଚାଷୀ ଓ କହ୍ନେଇଛାପର ଗ୍ରାମର ୪ ଜଣ ଚାଷୀ ନିଜ ନିଜ ଜମିରେ ଗଭୀର ନଳକୂପ ଖୋଳି ସେଥିରେ ମୋଟର ଖଞ୍ଜି ଚାଷ କରୁଛନ୍ତି l ଉକ୍ତ ଚାଷୀମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧାନ ଏବଂ ପନିପରିବା ଚାଷ କରିଛନ୍ତି l କିନ୍ତୁ ଗତ ୧୩ ତାରିଖରେ ହୋଇଥିବା କାଳ ବୈଶାଖୀର ତାଣ୍ଡବ ଯୋଗୁ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ଖୁଣ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋତି ବିଦ୍ୟୁତ ଯୋଗାଣ ସ୍ବାଭାବିକ କରାଯାଇ ନାହିଁ। ଚାଷୀମାନେ ବିଭାଗୀୟ କର୍ମଚାରୀମାନଙ୍କୁ ଖୁଣ୍ଟ ପୋତି ବିଦ୍ୟୁତ ଯୋଗାଣ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଆଜି କାଲି କହି ଦିନ ଗଡେଇ ଚାଲିଛନ୍ତି। ବିଦ୍ୟୁତ ନ ଥିବାରୁ ଚାଷୀ ମାନେ ଦୀର୍ଘ ୮ ଦିନ ହେବ ନିଜର ଚାଷଜମିରେ ଜଳସେଚନ କରିପାରି ନାହାନ୍ତି l ଫଳରେ ପାଣି ଅଭାବରୁ ଧାନ ଓ ପନିପରିବା ଚାଷ ମରିବାକୁ ବସିଛି l ଏ ନେଇ ଖପ୍ରାଖୋଲ ବିଦ୍ୟୁତ ଯୋଗାଣ ସଂସ୍ଥା ସେକ୍ସନ ଅଫିସର ସମ୍ବିତ କୁମାର ପରିଡ଼ାଙ୍କୁ ପଚାରିବାରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚଳାଇଛୁ ବୋଲି କହିଛନ୍ତି। ତେବେ ଚାଷୀଙ୍କ ସମସ୍ୟାକୁ ଗୁରୁତର ସହ ନେଇ ଯଥାଶୀଘ୍ର ବିହିତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।
Dharitri – Odisha’s No.1 Odia Daily

