Categories: ଖେଳ

ମାରାଡୋନାଙ୍କୁ ଅନ୍ତିମ ବିଦାୟ

ବୁଏନସଏରିଜ୍‌: ଶୋକାକୁଳ ପରିବେଶରେ ଗୁରୁବାର ଡିଏଗୋ ମାରାଡୋନାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଫୁଟ୍‌ବଲପ୍ରେମୀମାନେ ସେମାନଙ୍କ ପ୍ରିୟ ଫୁଟ୍‌ବଲରଙ୍କୁ ଅନ୍ତିମ ବିଦାୟୀ ଜଣାଇବା ଲାଗି ପ୍ରବଳ ଭିଡ଼ ଜମାଇଥିଲେ। ବୁଏନସଏରିଜର କେନ୍ଦ୍ରସ୍ଥଳରେ ଅବସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କାସା ରୋସାଡାଠାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏପରିକିି ପୋଲିସକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡ଼ିଥିଲା। ଶେଷ ଦର୍ଶନ ପାଇଁ ମାରାଡୋନାଙ୍କ କାଠ ନିର୍ମିତ କଫିନ୍‌ ପ୍ରେସିଡେନ୍‌ସିଆଲ ଅଫିସ୍‌ ମୁଖ୍ୟ ଲବିରେ ରଖାଯାଇଥିଲା। କଫିନ୍‌ ଉପରେ ଆର୍ଜେଣ୍ଟିନା ପତାକା ଓ ଜାତୀୟ ଦଳର ୧୦ ନମ୍ବର ଶାର୍ଟ ରଖାଯାଇଥିଲା। କେତେଜଣ ଦର୍ଶନକାରୀଙ୍କ ଆଖିରେ ଲୁହ ଆସିଯାଇଥିଲା। ସେମାନେ ବିଭିନ୍ନ ଫୁଟ୍‌ବଲ ଦଳର ଜର୍ସି କଫିନ୍‌ ଉପରକୁ ଫିଙ୍ଗିଥିଲେ। ମାରାଡୋନାଙ୍କର ବୁଧବାର ହୃଦ୍‌ଘାତରେ ପ୍ରାଣହାନୀ ଘଟିଛି। ପ୍ରଥମେ ଝିଅ ଓ ଘନିଷ୍ଠ ସମ୍ପର୍କିୟମାନେ ଶେଷ ଦର୍ଶନ କରିଥିଲେ। ପରେ ଓସ୍କାର ରୁଜେରିଙ୍କ ସମେତ ୧୯୮୬ ବିଶ୍ୱକପ୍‌ ବିଜୟୀ ଦଳର ଟିମ୍‌ମେଟ୍‌, ବୋକା ଜୁନିୟର୍ସର କାର୍ଲୋସ ଟେଭେଜ୍‌ଙ୍କ ସମେତ ଆର୍ଜେଣ୍ଟିନାର ଅନ୍ୟ ଫୁଟ୍‌ବଲମାନଙ୍କୁ ସୁଯୋଗ ଦିଆଯାଇଥିଲା। ମାରାଡୋନାଙ୍କ ମୃତ୍ୟୁ ଖବର ସ୍ପଷ୍ଟ ହେବାର ମାତ୍ର କିଛି ଘଣ୍ଟା ପରେ କାସା ରୋସାଡା ବାହାରେ ଲମ୍ବା ଧାଡ଼ି ଆରମ୍ଭ ହୋଇଯାଇଥିଲା। କାସା ରୋସାଡା ବାହାରେ ଏକ ବଡ଼ କଳା ରଙ୍ଗର ସ୍କ୍ରିନ୍‌ରେ ମାରାଡୋନାଙ୍କର ଐତିହାସିକ ଫଟୋମାନ ସ୍ଥାନ ପାଇଥିଲା।

Share