ଥୁଆମୂଳ ରାମପୁର , ୯।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତ ତାରାଗାଁ(ପିତମାଣ୍ଡି)ରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଜଣେ ଆଦିବାସୀ ଯୁବତୀ ଓ ଅନୁସୂଚିତ ଜାତିର ଯୁବକଙ୍କ ପ୍ରେମ ବିବାହକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ କିଛି ଦିନ ହେବ ତିକ୍ତତା ଲାଗିରହିଥିଲା। ଏହି ତିକ୍ତତା ଶେଷରେ ଶୁକ୍ରବାର ରାତିରେ ହିଂସାର ରୂପ ନେଇଥିଲା।
ସୂଚନା ମୁତାବକ, ତାରାଗାଁରେ ପୂର୍ବରୁ ମଶାଣି ଜାଗା ଓ ସ୍କୁଲ ଜମିକୁ ନେଇ ଆଦିବାସୀ ଓ ଅନୁସୂଚିତ ଜାତିର ଲୋକଙ୍କ ମଧ୍ୟରେ ବିବାଦ ରହିଥିଲା। ତେବେ ଉକ୍ତ ପ୍ରେମ ବିବାହ ପରେ ଅନୁସୂଚିତ ଜାତିର କେତେଜଣ ବ୍ୟକ୍ତିଙ୍କ ମନ୍ତବ୍ୟକୁ ନେଇ କଥା ବିଗିଡ଼ିଥିଲା। ଶୁକ୍ରବାର ରାତିରେ ପ୍ରାୟ ୩୦୦ରୁ ଉଦ୍ଧର୍ବ ସଶସ୍ତ୍ର ଆଦିବାସୀ ଗୋଷ୍ଠୀ ଡମ୍ବ ପଡ଼ାରେ ଆକ୍ରମଣ କରିବା ସହ ଘରଭଙ୍ଗା ଓ ଆତଙ୍କ ଖେଳାଇଥିଲେ। ପ୍ରାଣ ଭୟରେ ଅନେକ ପରିବାର ଗାଁ ଛାଡ଼ି ଭବାନୀପାଟଣା ସମେତ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିଲେ। ଗୋଟିଏ ଡମ୍ବ ପରିବାର ଭୟରେ ନିଜ ଘର ଭିତରେ ବନ୍ଦୀ ହୋଇ ରହିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଦଳ ଗାଁକୁ ଯାଇଥିଲେ ହେଁ, ବିକ୍ଷୋଭକାରୀମାନେ ପୋଲିସକୁ ମଧ୍ୟ ଛାଡ଼ି ନଥିଲେ। ଏସଆଇ ସନ୍ତୋଷ କୁମାର ସେଠୀଙ୍କୁ ସେମାନେ ଘେରିଯାଇ ଗାଳିଗୁଲଜ କରିଥିଲେ। ପରେ AOSCF ରାଜ୍ୟ ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ୱରେ ଗଙ୍ଗାଧର ଜାଲ, ଲିଙ୍ଗରାଜ ଆଜାଦ, ଅଗଷ୍ଟ ନାଏକ, ଡମ୍ବୁରୁଧର ମାଝୀ ଓ ସୁରେଶ ମାଝୀ ପ୍ରମୁଖ ପୀଡ଼ିତ ପରିବାରଙ୍କୁ ନେଇ ଏସ.ପି.ଙ୍କୁ ଭେଟିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସଦର ଏସ.ଡି.ପି.ଓ. ନରେଶ କୁମାର ପ୍ରଧାନ ଓ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ତାରାଗାଁରେ ପହଞ୍ଚିଥିଲେ। ଆଲୋଚନାରେ ST ସଂଘ ଜିଲା ସଭାପତି ସୁରେଶ ମାଝୀ, ବ୍ଲକ ସଭାପତି ସନାତନ ମାଝୀ, ଗୋପାଳପୁର ସରପଞ୍ଚ ବେଣୀ ମାଝୀ, କାଣିଗୁମା ସରପଞ୍ଚ ଧ୍ରୁବକାନ୍ତ ମାଝୀ ଓ ବ୍ଲକ ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନା ପରେ ଉଭୟ ପକ୍ଷ ଆଇନକୁ ହାତକୁ ନ ନେବାକୁ ସହମତି ପ୍ରକାଶ କରିଛନ୍ତି। ସଦର ଏସଡିପିଓ ନରେଶ କୁମାର ପ୍ରଧାନ ଦୋଷୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଗାଁରେ ଶାନ୍ତି ଫେରିଥିଲେ ମଧ୍ୟ ପୋଲିସ ନଜରରେ ତାରାଗାଁ ରହିଛି ।

