Categories: ଖେଳ

ଫଖର ଜମାନଙ୍କ ବିବାଦୀୟ ରନ ଆଉଟ

ଲଣ୍ଡନ, ୬ା୪: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ପାକିସ୍ତାନର ଫଖର ଜମାନଙ୍କ ବିବାଦୀୟ ଆଉଟକୁ ନେଇ କ୍ରିକେଟ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି। କ୍ୱିଣ୍ଟନ ଡି’କକ୍‌ ବ୍ୟାଟ୍ସମ୍ୟାନଙ୍କୁ ଭ୍ରମରେ ପକାଇବାକୁ ଚେଷ୍ଟା କରିଥିଲେ ବୋଲି ଅନେକେ କହୁଛନ୍ତି। ହେଲେ ବିଷୟରେ ଅମ୍ପାୟରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ବୋଲି କ୍ରିକେଟ ଖେଳର ନିୟମ ପ୍ରସ୍ତୁତକାରୀ ମେରିଲବୋନ କ୍ରିକେଟ କ୍ଲବ (ଏମ୍‌ସିସି) କହିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ୩୪୨ ରନ ପିଛା କରୁଥିବାବେଳେ ଜମାନ ଦର୍ଶନୀୟ ୧୯୩ ରନ କରିଥିଲେ। ସେ ଆଉଟ ହୋଇ ନ ଥିଲେ ହୁଏତ ପାକିସ୍ତାନ ମ୍ୟାଚରେ ବିଜୟ ଲାଭ କରିପାରିଥାନ୍ତା। ଦକ୍ଷିଣ ଆଫ୍ରିିକା ଉଇକେଟ କିପର ଡି’କକ୍‌ଙ୍କ ଧୂର୍ତ୍ତାମି ଯୋଗୁ ଜମାନ ଆଉଟ ହୋଇଥିବା ଅନେକ କହୁଛନ୍ତି। ଶଟ୍‌ ଖେଳିବା ପରେ ଜମାନ ରନ ସଂଗ୍ରହ କରୁଥିବାବେଳେ ଉଇକେଟକିପର ଜଣକ ଲୁଙ୍ଗି ଏନ୍‌ଗିଡିଙ୍କୁ ଲକ୍ଷ୍ୟ କରି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। କିନ୍ତୁ ସେତେବେଳେ ଏଡେନ୍‌ ମାରକ୍ରମ କିପର୍ସ ଏଣ୍ଡ୍‌କୁ ଲକ୍ଷ୍ୟ କରି ଥ୍ରୋ କରିଥିଲେ। ଏହା ଡାଇରେକ୍ଟ ହିଟ୍‌ ଥିଲା। ଦ୍ୱିତୀୟ ରନ ମନ୍ଥର ଗତିରେ ସଂଗ୍ରହ କରିବାରୁ ଜମାନ କ୍ରିଜ୍‌ରେ ପହଞ୍ଚତ୍ପାରି ନ ଥିଲେ। କିନ୍ତୁ ରିପ୍ଲେ ଦେଖିଲେ ସତେ ଯେମିତି ଜଣା ପଡ଼ୁଥିଲା ନନ୍‌-ଷ୍ଟ୍ରାଇକର ଏଣ୍ଡ୍‌କୁ ଲକ୍ଷ୍ୟ କରି ଥ୍ରୋ ହେଉଥିବା ଜମାନଙ୍କ ମନରେ ଧାରଣା ସୃଷ୍ଟି କରିବା ଲାଗି ଡି’କକ୍‌ ପ୍ରୟାସ କରିଥିଲେ। ଏଥରୁ ଡି’କକ୍‌ଙ୍କ ଖେଳୁଆଡ ମନୋବୃତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।

Share