ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିଲେ କ୍ୱାକ୍‌, ଶେଷରେ ହେଲେ ବନ୍ଧା

ଦେବଗଡ଼,୨୬ା୧୦(ଡି.ଏନ୍‌.ଏ.): ଦେବଗଡ଼ ଆଦର୍ଶ ଥାନା ପୋଲିସ ବୁଧବାର କଦମ୍ବଦର୍ହ ଗ୍ରାମରୁ ଜଣେ କ୍ୱାକ୍‌(ନକଲି ଡାକ୍ତର)ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ନକଲି ଡାକ୍ତର ଜଣକ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲାର ପୂର୍ବନଓ୍ବାପଡ଼ା ଗ୍ରାମର ପ୍ରଶାନ୍ତ କୁମାର ରାୟ ବୋଲି ଜଣାପଡ଼ିଛି। ସେ ଦୀର୍ଘ ୪ ବର୍ଷ ହେଲା ଦେବଗଡ଼ ଥାନା ଅନ୍ତର୍ଗତ କଦମ୍ବଦର୍ହ ଗ୍ରାମରେ ଏକ ବେଆଇନ କ୍ଲିନିକ ଖୋଲି ଲୋକଙ୍କ ଚିକିତ୍ସା କରି ଆସୁଥିଲେ। ଏନେଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ସୂଚନା ପାଇବା ପରେ ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରଶାନ୍ତଙ୍କ ବେଆଇନ କ୍ଲିନିକ୍‌ରେ ସଦଳବଳ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଉକ୍ତ କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ ହୋଇଥିଲା। ସେହିପରି ପ୍ରଶାନ୍ତ କୌଣସି ବୈଧ ସାର୍ଟିଫିକେଟ ଦେଖାଇ ନ ପାରିବାରୁ ପୋଲିସ ତାଙ୍କୁ ବିଭିନ୍ନ ଦଫାରେ ଗିରଫ କରିଥିବା ଦେବଗଡ଼ ଆଦର୍ଶ ଥାନାଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ମାତ୍ର ଦଶମ ଶ୍ରେଣୀ ପାଠ ପଢ଼ିଥିବା ବେଳେ ସେ ୧୫ ଶହ ଟଙ୍କାରେ ‘ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଅଲଟରନେଟିଭ ମେଡିଶିନ’ ନାମକ ଏକ ସଂସ୍ଥାର ନକଲି ସାର୍ଟିଫିକେଟ କିଣିବା ସହ ପ୍ରଥମେ ଝାରସୁଗୁଡ଼ା ଓ ଠେଲକୁଲି ଅଞ୍ଚଳରେ କ୍ଲିନିକ୍‌ ଖୋଲି ଲୋକଙ୍କର ଚିକିତ୍ସା କରୁଥିଲେ। ସେଠାରେ ନିଜକୁ ଡାକ୍ତର ପରିଚୟ ଦେଇ ପ୍ରାୟ ୭/୮ ବର୍ଷ ଏଭଳି ଚିକିତ୍ସା କରିବା ପରେ ୪ ବର୍ଷ ହେଲା ସେଠାରୁ ପଳାଇ ଆସି ଦେବଗଡ଼ ଜିଲାର କଦମ୍ବଦର୍ହ ଗ୍ରାମରେ ଲୋକଙ୍କୁ ଚିକିତ୍ସା କରୁଥିବା ନକଲି ଡାକ୍ତର ପ୍ରଶାନ୍ତ ସ୍ବୀକାର କରିଛନ୍ତି। ସେ ଦେବଗଡ଼ ସହରର ଏକାଧିକ ପ୍ରତିଷ୍ଠିତ ଔଷଧ ଦୋକାନରୁ ଔଷଧ କିଣି ରୋଗୀମାନଙ୍କୁ ଚଢ଼ା ଦରରେ ବିକ୍ରି କରୁଥିବା ମଧ୍ୟ ପୋଲିସ ନିକଟରେ ସ୍ବୀକାର କରିଛନ୍ତି।