ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ ଦିଗ୍‌ଦର୍ଶନ ଦେଇଆସିଛି। କିନ୍ତୁ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଜୀବନଶୈଳୀ, କ୍ଷୁଦ୍ର ପରିବାର ବ୍ୟବସ୍ଥା, କର୍ମବ୍ୟସ୍ତତା ପ୍ରଭାବରେ ବୃଦ୍ଧାଶ୍ରମର ସଂଖ୍ୟା ବଢ଼ୁଛି। ପ୍ରଶ୍ନ ଉଠୁଛି-ବୃଦ୍ଧାଶ୍ରମ ସମୟର ଆବଶ୍ୟକତା ନା ଏହା ସମାଜ ଓ ପରିବାର ବ୍ୟବସ୍ଥାର ବିଫଳତାର ପ୍ରତୀକ?
ଆଜିର ବ୍ୟସ୍ତ ଜୀବନରେ ଅନେକ କର୍ମଜୀବୀ ଦମ୍ପତି ନିଜ ସନ୍ତାନଙ୍କୁ କ୍ରେଚ୍‌, ଡେ-ବୋର୍ଡିଂ ସ୍କୁଲ କିମ୍ବା ଆୟା ଓ କେୟାରଟେକରଙ୍କ ଯତ୍ନରେ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଏହା ସବୁବେଳେ ଅଭିଭାବକଙ୍କ ଅବହେଳା ନୁହେଁ; ଚାକିରିର ଚାପ, ଦୀର୍ଘ କାର୍ଯ୍ୟସମୟ, ଏକାକୀ ପରିବାର ଓ ଆର୍ଥିକ ଆବଶ୍ୟକତା ଏହାର ପ୍ରମୁଖ କାରଣ। କିନ୍ତୁ ଶିଶୁର ମନ କେବଳ ଖାଦ୍ୟ, ପୋଷାକ, ଫି’ ଓ ସୁବିଧାରେ ବଢ଼େ ନାହିଁ-ସେ ବଢ଼େ ସମୟ, ସ୍ନେହ, ସ୍ପର୍ଶ, କଥାବାର୍ତ୍ତା ଓ ଆଦର୍ଶରେ। ଧରନ୍ତୁ, ଅରୁଣ ଓ ସୁମିତ୍ରା ସକାଳୁ ଅଫିସ ଯାଆନ୍ତି; ପୁଅ ଆଦିତ୍ୟକୁ ଆୟା ଖୁଆଏ, ଡେ-ବୋର୍ଡିଂ ସ୍କୁଲ ପଠାଏ । ବାପା-ମା’ ତା’ର ଆବଶ୍ୟକତା ପୂରଣ କରନ୍ତି, କିନ୍ତୁ ତା’ର ଭାବନା ଶୁଣିବା ପାଇଁ ସମୟ ମିଳେନାହିଁ। ଧୀରେ ଧୀରେ ଶିଶୁ ଶିଖିଯାଏ-ଯତ୍ନ ମାନେ ଟଙ୍କା, ସୁବିଧା ଓ କେହି ଜଣେ ଦେଖାଶୁଣା କରିଦେବା। କିଛି ବର୍ଷ ପରେ ଦୃଶ୍ୟ ଓଲଟିଯାଏ। ଅରୁଣ ଓ ସୁମିତ୍ରା ବୃଦ୍ଧ ହୁଅନ୍ତି, ଆଦିତ୍ୟ ବିଦେଶରେ ଚାକିରି କରେ। ସେ ଭାବେ-ମୁଁ ତାଙ୍କୁ ଭଲ ଘର, ଟଙ୍କା ଓ ଚିକିତ୍ସା ଦେଇପାରିବି; ତାଙ୍କୁ ଏକ ଭଲ ଓଲ୍ଡ-ଏଜ୍‌ ହୋମ୍‌ରେ ରଖିଦେବି। ସେ ହୁଏତ ନିଷ୍ଠୁର ନୁହେଁ; କିନ୍ତୁ ତା’ ଭିତରେ ‘ମା’ବାପାଙ୍କ ପାଖରେ ରହିବାର ଭାବନାତ୍ମକ ଅଭ୍ୟାସ ଗଢ଼ିଉଠି ନ ଥାଏ। ଯେପରି ଶୈଶବରେ ତା’ର ଦେଖାଶୁଣା ଜଣେ ଆୟାଙ୍କ ଦାୟିତ୍ୱ ଥିଲା, ବୃଦ୍ଧାବସ୍ଥାରେ ମଧ୍ୟ ସେହି ଦାୟିତ୍ୱ ଜଣେ କେୟାରଟେକରଙ୍କ ହାତରେ ଦେଇଦେବା ତା’ ପାଇଁ ସ୍ବାଭାବିକ ଲାଗେ। ଏଠି ଜୀବନ ଆମ ସାମ୍ନାରେ ଏକ କଷ୍ଟଦାୟକ ପ୍ରଶ୍ନ ରଖେ-ଆମେ ଶିଶୁକୁ ଯାହା ଶିଖାଉଛୁ, ସେ କ’ଣ ଦିନେ ଆମ ପାଖକୁ ଫେରିଆସୁନାହିଁ?
ଆଜି ଅନେକ ବୃଦ୍ଧ ନିଜେ ସ୍ବାଧୀନ ଭାବେ ବଞ୍ଚତ୍ବାକୁ ଚାହାନ୍ତି। ସେମାନଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ପୌଷ୍ଟିକ ଖାଦ୍ୟ, ସମବୟସ୍କଙ୍କ ସାଙ୍ଗତ୍ୟ ଓ ମାନସିକ ପ୍ରଶାନ୍ତି ଯୋଗାଇବାରେ ଭଲ ବୃଦ୍ଧାଶ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ବିଶେଷକରି ଯେଉଁ ବୃଦ୍ଧମାନେ ନିଃସନ୍ତାନ, ଏକାକୀ କିମ୍ବା ଅସହାୟ, ସେମାନଙ୍କ ପାଇଁ ଏହା ଆଶ୍ରୟସ୍ଥଳ ହୋଇପାରେ। ଅନେକ ଆଧୁନିକ ବୃଦ୍ଧାଶ୍ରମରେ କେବଳ ରହିବାର ବ୍ୟବସ୍ଥା ନୁହେଁ ବରଂ ପୁସ୍ତକାଳୟ, ଯୋଗ, ଧ୍ୟାନ, ମନୋରଞ୍ଜନ, ଚିକିତ୍ସା ସେବା ଓ ସାମାଜିକ କାର୍ଯ୍ୟକ୍ରମର ସୁବିଧା ମଧ୍ୟ ରହିଛି। ଏପରି ପରିବେଶରେ ଅନେକ ବୃଦ୍ଧ ନିଜକୁ ଏକାକୀ ମନେକରନ୍ତି ନାହିଁ । ତେଣୁ ପ୍ରତ୍ୟେକ ବୃଦ୍ଧାଶ୍ରମକୁ ନକାରାତ୍ମକ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ।
କିନ୍ତୁ ଏହାର ଅନ୍ୟ ପକ୍ଷ ଅଧିକ ଗଭୀର ଓ ବେଦନାଦାୟକ। ଭାରତୀୟ ସଂସ୍କୃତିରେ ମାତାପିତାଙ୍କ ସେବାକୁ ସର୍ବୋଚ୍ଚ ଧର୍ମ ବୋଲି ମନେ କରାଯାଏ। ଯେଉଁ ହାତ ଧରି ସନ୍ତାନକୁ ଚାଲିବା ଶିଖାଇଥିଲେ, ଯେଉଁମାନେ ନିଜ ସୁଖକୁ ବଳିଦାନ ଦେଇ ସନ୍ତାନଙ୍କ ଭବିଷ୍ୟତ ଗଢ଼ିଥିଲେ, ସେହି ମାତାପିତା ବାର୍ଦ୍ଧକ୍ୟରେ ଯଦି ନିଜ ଘରେ ସ୍ଥାନ ନ ପାଆନ୍ତି, ତେବେ ଏହା କେବଳ ଗୋଟିଏ ପରିବାରର ନୁହେଁ, ସମଗ୍ର ସମାଜର ନୈତିକ ବିଫଳତା। ଆଜି ବୃଦ୍ଧାଶ୍ରମରେ ଏପରି ବୃଦ୍ଧଙ୍କୁ ଦେଖିବାକୁ ମିଳେ, ଯେଉଁମାନଙ୍କର ସନ୍ତାନ ଜୀବିତ, ଆର୍ଥିକ ଭାବେ ସ୍ବଚ୍ଛଳ ଏବଂ ସମାଜରେ ପ୍ରତିଷ୍ଠିତ। ତଥାପି ସେମାନେ ମାତାପିତାଙ୍କୁ ସମୟ ଦେଇପାରୁନାହାନ୍ତି କିମ୍ବା ଦେବାକୁ ଚାହୁଁନାହାନ୍ତି। ଏଠାରେ ସମସ୍ୟା ସ୍ଥାନର ନୁହେଁ, ମାନସିକତାର। ପ୍ରଶ୍ନ ହେଉଛି, ବୃଦ୍ଧଙ୍କୁ କେବଳ ଖାଦ୍ୟ, ଔଷଧ ଓ ଛାତ ଦେଲେ କି କର୍ତ୍ତବ୍ୟ ସମାପ୍ତ ହୋଇଯାଏ? ମଣିଷ କେବଳ ଶରୀର ନୁହେଁ; ସେ ଭାବନା, ସ୍ନେହ ଓ ସମ୍ପର୍କର ସମଷ୍ଟି। ବାର୍ଦ୍ଧକ୍ୟରେ ମାତାପିତାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ ହୁଏ ସନ୍ତାନଙ୍କ ସାଙ୍ଗ, କିଛି ସମୟ, କିଛି କଥା ଓ ଆପଣାର ପରଶ। ଏହି ଅଭାବକୁ କୌଣସି ସୁବିଧାସମ୍ପନ୍ନ ବୃଦ୍ଧାଶ୍ରମ ମଧ୍ୟ ପୂରଣ କରିପାରେ ନାହିଁ।
ସନ୍ତାନମାନେ ବୁଝିବା ଦରକାର ଯେ, ମାତାପିତାଙ୍କ ସେବା କେବଳ ଆଇନଗତ କର୍ତ୍ତବ୍ୟ ନୁହେଁ, ଏହା ନୈତିକ ଦାୟିତ୍ୱ ଓ କୃତଜ୍ଞତାର ପ୍ରକାଶ। ଲଜ୍ଜାରୁ ମର୍ଯ୍ୟାଦା ଦିଗକୁ ଯାତ୍ରା କେବଳ ବୃଦ୍ଧାଶ୍ରମ ଭଳି ପ୍ରତିଷ୍ଠାନଗୁଡ଼ିକର ପରିଭାଷା ବଦଳାଇବା ନୁହେଁ; ଏହା ଆମ ମୂଲ୍ୟବୋଧକୁ ନୂଆ ଭାବେ ପରିଭାଷିତ କରିବାର ଆହ୍ବାନ। ଶେଷରେ କୁହାଯାଇ ପାରେ, ବୃଦ୍ଧାଶ୍ରମ ନିଜେ ସମସ୍ୟା ନୁହେଁ। ଏହା ଏକ ସାମାଜିକ ବ୍ୟବସ୍ଥା, ଯାହା କେତେକଙ୍କ ପାଇଁ ଆଶ୍ରୟ ଓ କେତେକଙ୍କ ପାଇଁ ଅବହେଳାର ପ୍ରତୀକ। ତେଣୁ ଏହାକୁ କେବଳ ସମାଜର ବିଫଳତା କିମ୍ବା କେବଳ ସମୟର ଆବଶ୍ୟକତା ବୋଲି କହିଦେବା ଯଥେଷ୍ଟ ନୁହେଁ।

ଏସ୍‌.ଆର୍‌ ଶ୍ରଦ୍ଧାଞ୍ଜଳି
ଶିକ୍ଷୟିତ୍ରୀ, ଡିଏଭି ପବ୍ଲିକ ସ୍କୁଲ, ପୁରୀ
ମୋ: ୭୮୫୪୮୦୨୮୦୫

 

Dharitri – Odisha’s No.1 Odia Daily