ସମ୍ପ୍ରସାରଣ

ଡ. ସୁବାସ ଚନ୍ଦ୍ର ପାତ୍ର

ମଣିଷ ଏକ ବିକାଶୋନ୍ମୁଖୀ, ସଂପ୍ରସାରଣୋନ୍ମେଷୀ ସତ୍ତା। ଏହା ହିଁ ତାହାର ସ୍ବଧର୍ମ। ପରିବର୍ତ୍ତିତ ପରିସ୍ଥିତି ଅବା ପରିବର୍ତ୍ତିତ ପାରିପାର୍ଶ୍ୱିକ ଅବସ୍ଥାରେ ମଣିଷ ଏହି ସ୍ବଧର୍ମଠୁ ଦୂରେଇ ଯାଏ। ଏହା ଏକ ଚିରନ୍ତନ ମାନବିକ ପ୍ରକ୍ରିୟା ହେଲେ ହେଁ, ଏବେ ଏହା ଉତ୍କଟ ରୂପ ଧାରଣ କଲାଣି। ଆମେ ସଂପ୍ରସାରଣ ଅପେକ୍ଷା ଅଧିକ ସଂକୋଚନ ଲକ୍ଷ୍ୟ କରୁଛୁ ବ୍ୟକ୍ତିର ସାମାଜିକ ବ୍ୟବହାରରେ।
କଥାଟିକୁ ବୁଝିବା ପାଇଁ ଆମକୁ ଏକ ମାନବିକ ଉଦାହରଣ ପାଖରେ ପହଞ୍ଚିବାକୁ ପଡ଼ିବ। କିମ୍ବଦନ୍ତୀ ଇଂଲିଶ ପ୍ରଫେସର ସର୍ବେଶ୍ୱର ଦାସ। ୧୯୭୫-୭୬ ମସିହାର ରେଭେନ୍‌ସା କଲେଜ କଥା। ସର୍ବେଶ୍ୱରବାବୁ ସେତେବେଳେ ରେଭେନ୍‌ସାରୁ ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର ବଦଳି ହୋଇଯାଇଥିଲେ ହେଁ ରେଭେନ୍‌ସା ପରିସରରେ ରହୁଥିଲେ। ସଞ୍ଜବେଳେ ମୁଁ ଓ ମୋର ବନ୍ଧୁ ଜିତୁ ପତି କଲେଜଛକକୁ ଯିବାବେଳେ କମର୍ସ ବ୍ଲକ ପାଖାପାଖି ରାସ୍ତାରେ ସାର୍‌ଙ୍କ ସହ ଦେଖାହେଲା। ଜିତୁ ତାଙ୍କର ପୁରାତନ ଛାତ୍ର। ମୁଁ ବାଲେଶ୍ୱରରୁ ଯାଇଥାଏ। ଆମେ ଦୁହେଁ ନମସ୍କାର କଲୁ। ସଙ୍ଗେ ସଙ୍ଗେ ସେ ତାଙ୍କ ପଞ୍ଜାବି ପକେଟରୁ କିଛି ଚିନାବାଦାମ ଭଜା ଆମକୁ ଦେଲେ। ମୁଁ ନୂୂଆ ହୋଇଥିବାରୁ ଶଙ୍କି ଯାଉଥିଲି। ସେ କହିଲେ, ‘ବାଦାମ ଖାଅ। ଏହା ଶକ୍ତି ଦିଏ।’ ତା’ପରେ କିଛି ସମୟ ପଢ଼ାପଢ଼ି କଥା କହି ସେ ତାଙ୍କ ବାସଘର ଆଡ଼େ ଗଲେ। ଆମେ କଲେଜଛକ ଚାଲିଲୁ । ବାଟରେ ଆମେ କଥାହେଲୁ। କେତେ ନିଜକୁ ନିଜଠୁ ଅନ୍ତର୍ହିତ କରିପାରିଲେ ଏପ୍ରକାର ସାମାଜିକ ଉଷ୍ମତା ସମ୍ଭବ? ମୁଁ ସମ୍ପୂର୍ଣ୍ଣ ନବାଗତ ହୋଇଥିଲେ ହେଁ ସେ ତାଙ୍କ ପରିଚୟକୁ ସଂପ୍ରସାରିତ କରି ଏମିତି ଜାଗାରେ ପହଞ୍ଚିଲେ, ଏମିତି ବ୍ୟବହାର କଲେ ଯେ ମୁଁ ଅନୁଭବ କଲି ସେ ମୋର ଅତି ନିଜର। ମୋ ବାପାଙ୍କଠୁ ବି ବଳି। ଦ୍ୱିତୀୟ ଘଟଣାଟି ଖଲ୍ଲିକୋଟ କଲେଜ ବ୍ରହ୍ମପୁରରେ। ୧୯୮୦-୮୧ ମସିହା। ସେତେବେଳେ ସେ କଲେଜର ଅଧ୍ୟକ୍ଷ ଏବଂ ମୁଁ ଇଂଲିଶ ବିଭାଗର ଜଣେ ଅଧ୍ୟାପକ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ କଲେଜର ମିଳିତ ଆନୁକୂଲ୍ୟରେ ଇଂଲିଶ ବିଭାଗରେ ସେକ୍‌ସପିୟରଙ୍କ ଟ୍ରାଜେଡି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଥିଲା। ସର୍ବେଶ୍ୱରବାବୁ ସଭାରେ ସଭାପତିତ୍ୱ କରୁଥିଲେ।
ଅନ୍ୟ ବକ୍ତା ମଧ୍ୟରେ ଥିଲେ ପ୍ରଫେସର ବ୍ୟୋତକେଶ ତ୍ରିପାଠୀ, ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ଡ. ଦେବେନ୍ଦ୍ର କୁମାର ରାୟ ପ୍ରମୁଖ। ଆଲୋଚନା ଚକ୍ର ବେଶ୍‌ ଗମ୍ଭୀରତାର ସହ ଚାଲୁଥିଲାବେଳେ ମଁୁ ଲକ୍ଷ୍ୟ କରୁଥିଲି ସର୍ବେଶ୍ୱରବାବୁ ଗୋଟିଏ ଧଳା କାଗଜରେ କ’ଣ ଗାରଉଛନ୍ତି। ଭାବିଲି ଅନ୍ୟମାନଙ୍କ କଥାକୁ ସେ ନୋଟ୍‌ କରୁଛନ୍ତି, ପରେ ସେ ସବୁ ତାଙ୍କ ବକ୍ତବ୍ୟରେ ରଖିବେ। ସଭାପତି ହିସାବରେ ସେ ଶେଷରେ କହିଲେ। ଅନ୍ୟମାନେ ବିଭିନ୍ନ ସମାଲୋଚକଙ୍କ ମନ୍ତବ୍ୟକୁ ଉଦ୍ଧାର କରି ନିଜ ବକ୍ତବ୍ୟକୁ ଜାହିର କରୁଥିଲାବେଳେ ସର୍ବେଶ୍ୱରବାବୁ ଥିଲେ ନିଜେ ବକ୍ତା, ନିଜେ ସମାଲୋଚକ। କେବଳ ସେକ୍ସପିୟରଙ୍କୁ ଉଦ୍ଧାର କରି ସେ ସେକ୍ସପିୟରଙ୍କ ବିଷୟରେ କହିଲେ। ସଭା ଶେଷ ହେଲାପରେ ଆଲୋଚନା ଚକ୍ରରେ ଉପସ୍ଥିତ ମୋର କନିଷ୍ଠ ବନ୍ଧୁ ଶୈଳେନ୍ଦ୍ର ତ୍ରିପାଠୀଙ୍କୁ ଏକ କାଗଜ ବଢ଼େଇ ଦେଇ କହିଲେ, ”ଦେଖିଲ, ଏ ଚିତ୍ର ତୁମ ଭଳି ଦେଖାଯାଉଛି କି?“ ସମସ୍ତେ ଆଶ୍ଚର୍ଯ୍ୟ ହେଲେ, ଚିତ୍ରଟି ଅବିକଳ ଶୈଳେନ୍ଦ୍ରର! କହିଲେ, ”ତୁମର ଦାଢ଼ିଯୁକ୍ତ ମୁଖମଣ୍ଡଳ ମୋ ପୁଅର ମୁହଁ ମନେ ପକେଇଦିଏ।“ ଭାବୁଥିଲି କେଡ଼େ ସମ୍ପ୍ରସାରିତ ଆତ୍ମା ସେ! ଆଲୋଚନା ଚକ୍ରରେ ରହି ମଧ୍ୟ ଏକ ଭିନ୍ନ ଭାବଜଗତକୁ ଯାଇ ପରକୁ ସେ ନିଜର କରି ବସିଥିଲେ। କିନ୍ତୁ ନିଜର ବକ୍ତବ୍ୟର ଗୁଣାତ୍ମକତାକୁ ସେ ପ୍ରଭାବିତ ହେବାକୁ ଦେଇ ନ ଥିଲେ।
ଅନୁରୂପ ଭାବରେ ମନେପଡ଼େ ବିଶିଷ୍ଟ ସଂସ୍କୃତ ପ୍ରାଧ୍ୟାପକ ରାମଚନ୍ଦ୍ର ତ୍ରିପାଠୀଙ୍କ କଥା। ୧୯୮୮-୮୯ର କଥା। କଲେଜ ଗଲାବେଳେ ଗୋଟିଏ ହରିଜନ କୁଡ଼ିଆ ଆଗରେ ରାସ୍ତାରେ ବୁଲୁଥିବା ଛୋଟଝିଅଟିକୁ ଦେଖିଲେ ତା’ ମୁଣ୍ଡ ଆଉଁସି ଦିଅନ୍ତି । କହନ୍ତି, ”ଏ ଚକୋଲେଟ ନେ, ଖାଇବୁ। ତୁ ସ୍କୁଲ ଯାଉନୁ କାହିଁକି? କିଛି ଘୋଡ଼ିନୁ ଯେ! ମା’କୁ କହିବୁ ତୋତେ ଏବେ ନିୟମିତ ସ୍କୁଲ ପଠାଇବେ।“ ଆଖି ତାଙ୍କର ଛଳଛଳ ହୋଇଯାଇଥାଏ। ପ୍ରତିଦିନ ଏ ପ୍ରକାର ଘଟଣା ଘଟିଲାରୁ ନିଜର ଅସହାୟତା କାରଣରୁ ଝିଅର ମା’ ଆମେ ଗଲାବେଳେ ଝିଅଟିକୁ ଲୁଚେଇ ଦେଉଥିଲେ। ସାର୍‌ ବୁଝିପାରିଲେ, କାନ୍ଦି ପକାଇଲେ। ଏମିତି ରାସ୍ତାରେ କିଏ କେତେ ଅସହାୟ, ଗରିବ କୁନିଝିଅମାନଙ୍କୁ ଦେଖୁଥିବେ, କିନ୍ତୁ ପ୍ରାଧ୍ୟାପକ ତ୍ରିପାଠୀଙ୍କ ଦରଦ କେତେଜଣଙ୍କ ପାଖରେ? ନିଜ ପଦବୀର ଖୋଳପାରୁ ନିଜକୁ ସଂପ୍ରସାରିତ କରି ବଞ୍ଚିତଗୋଷ୍ଠୀର ସେ ଝିଅର ହୃଦୟରେ ସେ ପଶି ପାରିଥିଲେ।
ଏ ଦୁଇଟି ଉଦାହରଣ କିଛି ଅଲୌକିକ କଥା କହେ ନାହିଁ। ଅତି ସାଧାରଣ କଥା, ଘଟଣା ଭଳି ଶୁଭୁ ଥିଲେ ହେଁ ଏହା ସଚରାଚର ଦେଖାଯାଏ ନାହିଁ। କାରଣ ମଣିଷର ସ୍ବଧର୍ମ ତାକୁ ସଂପ୍ରସାରଣର ରାସ୍ତାରେ ଯିବାକୁ ପ୍ରଣୋଦିତ କରୁଥିଲାବେଳେ ସ୍ବାର୍ଥପରତା, ସ୍ବାର୍ଥକୈନ୍ଦ୍ରିିକତା ତାକୁ ସଂକୁଚିତ କରି ଜାବୁଡ଼ି ଧରେ ନିଜ ପାଦ ଚାରିପାଖର ମାଟିଛାଡ଼ି ସେ ଅନ୍ୟତ୍ର କୁଆଡ଼େ ନ ଯାଉ ବୋଲି। ନିଜର ପରିଚୟ ଓ ସାମାଜିକ ସ୍ଥିତିର ବଳୟ ବାହାରକୁ ସେ ଯଦି ନିଜକୁ ଟିକେ ସଂପ୍ରସାରିତ କରି ଦିଅନ୍ତା, ଏ ପୃଥିବୀ, ଏ ସମାଜ କେଡ଼େ ମଧୁମୟ ନ ହୁଅନ୍ତା ! ଖାଲି ସାମାଜିକ ଜୀବନ ନୁହେଁ, ବୃତ୍ତିଗତ, ଚାକିରିଗତ ଜୀବନରେ, ତାହା ସରକାରୀ ହେଉ ଅବା ବେସରକାରୀ, ଥରେ ଯଦି ମଣିଷ ନିଜ ଅବତଳରୁ ପୀଡ଼ିତର ଅବତଳକୁ ନିଜକୁ ସଂପ୍ରସାରିତ କରି ତା’ ସ୍ଥାନରେ ନିଜକୁ ଥୋଇ ପରିସ୍ଥିତିଟିକୁ ପରଖୁଥାନ୍ତା, ଜନଜୀବନରେ ଦେଖାଯାଉଥିବା ଅବ୍ୟବସ୍ଥା, ଅନ୍ୟାୟ, ପୀଡ଼ା ଅନେକ ମାତ୍ରାରେ ଉଭେଇଯାନ୍ତା।
ଖାଲି ସାମାଜିକ ଜୀବନ ନୁହେଁ, ଉତ୍ତମ ସାହିତ୍ୟ ସୃଷ୍ଟି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ସଂପ୍ରସାରଣର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରସଙ୍ଗତଃ ମନେପଡ଼େ ପ୍ରଖ୍ୟାତ ଇଂଲିଶ ଔପନ୍ୟାସିକ, ଇ.ଏମ୍‌. ଫଷ୍ଟରଙ୍କ କଥା। ତାଙ୍କ ବହୁ ଚର୍ଚ୍ଚିତ ଉପନ୍ୟାସ ‘ପ୍ୟାସେଜ୍‌ ଟୁ ଇଣ୍ଡିଆ’ରେ ସେ ଠାଏ ଲେଖିଛନ୍ତି- ”ଭାରତର ଜଙ୍ଗଲଗୁଡ଼ିକ ଭାରତୀୟମାନଙ୍କ ଘରର ସଂପ୍ରସାରଣ, ଆଉ ଭାରତୀୟମାନଙ୍କ ଘର ଜଙ୍ଗଲର ସଂପ୍ରସାରଣ ମାତ୍ର।“ ମଣିଷର ଘର ଓ ଗଛଲତା ଭିତରେ ଏକଦା ଥିବା ଆତ୍ମୀୟତାକୁ ସେ କେଡ଼େ ସୁନ୍ଦର ଭାବରେ ଲକ୍ଷ୍ୟ କରିଛନ୍ତି। ଆଜି ପରିବେଶ ଉଜାଡ଼ି ଯିବାର ମୁଖ୍ୟ କାରଣ ଫଷ୍ଟର ବର୍ଣ୍ଣିତ ସେହି ପାରସ୍ପରିକ ସଂପ୍ରସାରଣର ଅଭାବ ଓ ଅନୁପସ୍ଥିତି। ଉତ୍ତମ ସାହିତ୍ୟ ସୃଷ୍ଟି ପାଇଁ ମଧ୍ୟ ଲୋଡ଼ା ସଂପ୍ରସାରଣ ଅନୁକୂଳ ମନଟିଏ, ଚେତନାଟିଏ। ଲେଖକଟିଏ କେତେ ନିଜେ ନିଜଠୁ ଦୂରେଇ ରଖି ସମୟ, ଲିଙ୍ଗଭେଦ, ସାମାଜିକ ସ୍ଥିତି ନିର୍ବିଶେଷରେ ନିଜକୁ ସାର୍ବଜନୀନ କରିପାରୁଛି; ଯାହାଫଳରେ ତା’ ଲେଖାରେ ଆମେ ସମଗ୍ର ମାନବଜାତିର ସର୍ବକାଳୀନ ଚିତ୍ର ଦେଖିବାକୁ ସମର୍ଥ ହେବା।
ପାରିବାରିକ, ସାମାଜିକ, ଜନଜୀବନର ଗୁଣବତ୍ତା ମଣିଷର ସଂପ୍ରସାରଣ ପ୍ରବଣତା ଉପରେ ଅନେକମାତ୍ରାରେ ନିର୍ଭରଶୀଳ। ଜନଜୀବନରେ ବହୁତ ସୁନ୍ଦର କଥାମାନ ଘଟିପାରିବ, ଯଦି ମଣିଷ ତା’ର ସୀମିତ ଉଚ୍ଚତାକୁ ପ୍ରତ୍ୟାଖ୍ୟାନ କରି ଡେଙ୍ଗା ହେବାକୁ ଚେଷ୍ଟା କରେ ଖାଲି ଆକାଶକୁ ନିଜର ସୀମା ଭାବି।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର
ମୋ:୯୪୩୭୩୭୬୨୧୯
e-mail:subashbls56@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri