ଗୋଟିଏ କିଲୋର କାମ ଅନେକ

ଯକୃତ ବା ଲିଭର ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେଶନ୍‌ କରିଥାଏ। ଏବେ ଯକୃତ୍‌ ସହିତ ସମ୍ପୃକ୍ତ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଏହାର କାରଣ। ଯକୃତ୍‌ ଖରାପ ହୋଇଗଲେ ପ୍ରତିରୋପଣ ବ୍ୟତୀତ ଅନ୍ୟ ଉପାୟ ନାହିଁ। ତେବେ ଯକୃତ୍‌ ଅସୁସ୍ଥ ହେବାର ବହୁ କାରଣ ରହିଛି।
ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି ହେଉଛି ଯକୃତ, ଯାହାର ମୁଖ୍ୟ କାର୍ଯ୍ୟ ହେଉଛି ପିତ୍ତ ଉପତ୍ାଦନ, ମେଟାବଲିଜମ୍‌ ଓ ବିଷାକ୍ତ ପଦାର୍ଥ ନିଷ୍କାସନ। ଏମିତିରେ କହିଲେ ଯକୃତ୍‌ ଅସୁସ୍ଥ ହେବାର ଅନେକ କାରଣ ରହିଛି। ଆମ ଶରୀରରେ ଚର୍ମ ପରେ ଯକୃତ୍‌ ବା ଲିଭର ହେଉଛି ଦ୍ୱିତୀୟ ବୃହତ୍ତମ ଅଙ୍ଗ। ଜଣେ ବୟସ୍କ ବ୍ୟକ୍ତିଙ୍କ ଯକୃତ୍‌ର ଓଜନ ୧.୩୫ରୁ ୧.୫ କିଲୋଗ୍ରାମ୍‌। ଏହା ମଧ୍ୟଛଦା ତଳକୁ ପେଟର ଡାହାଣ ପାର୍ଶ୍ୱ ଉପର ଭାଗରେ ଥାଏ। ଏହା ଦୁଇଟି ବୁଜୁଳିରେ ବିଭକ୍ତ। ଡାହାଣ ପଟ ବୁଜୁଳିଟି ବଡ଼ ଓ ବାମପଟଟି ଛୋଟ। ଅନେକେ ହୁଏତ ଜାଣି ନାହାନ୍ତି ଏଥିରେ ଆହୁରି ଦୁଇଟି ଛୋଟ ଛୋଟ କ୍ଷୁଦ୍ର ବୁଜୁଳି ରହିଛି, ଯାହାର ନାମ ହେଉଛି ‘କ୍ୱାଡ୍ରେଟ’ ଓ ‘କାଉଡେଟ୍‌’। ଆମ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ନିଜ ନିଜ କାମ କରୁଥିବାବେଳେ କେବଳ ଯକୃତ୍‌ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ତାକୁ ପାଖାପାଖି ୫୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟ ନିୟମିତ ଓ ନିରନ୍ତର ଭାବେ ନିର୍ବାହ କରିବାକୁ ପଡ଼ିଥାଏ।
ଶରୀରରେ ଯକୃତ୍‌ର ବଡ଼ କାର୍ଯ୍ୟ ହେଉଛି ହଜମ ଓ ଚର୍ବି ବିଶୋଷଣ। ଏହା ସହିତ ପିତ୍ତ ଉପତ୍ାଦନ ମଧ୍ୟ ଏକ ମୁଖ୍ୟ କାମ। ଶରୀର ପାଇଁ ବଳକାରକ ଓ ଶକ୍ତିକାରକ କୁହାଯାଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗ୍ଲାଇକୋଜେନ’ ଓ ‘ଗ୍ଲୁକୋଜ’ ତିଆରି କରିବା ସହ ଏହାକୁ ଗଚ୍ଛିତ କରିଥାଏ। କେବଳ ସେତିକି ନୁହେଁ ଚର୍ବି, ପୃଷ୍ଟିସାର, ଶ୍ୱେତସାରର ପ୍ରକ୍ରିୟାକରଣ କରିବା ସହ ଏହାକୁ ଶକ୍ତିରେ ପରିଣତ କରିଥାଏ। ଏହା ବ୍ୟତୀତ ଯକୃତ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି। ରକ୍ତ ଜମାଟ ବାନ୍ଧିବା ଉପାଦାନ ଶରୀରରେ ପୁଷ୍ଟିସାର ସମ୍ମିଶ୍ରଣ ଓ ଶରୀରର ଅନ୍ୟାନ୍ୟ ଅତ୍ୟାବଶ୍ୟକ ପ୍ରମୁଖ ଉପାଦାନ ପ୍ରସ୍ତୁତି ଦାୟିତ୍ୱ ତୁଲାଇଥାଏ। ଶରୀର ପାଇଁ ଦରକାର ପଡ଼ୁଥିବା ଏ, ଡି, ଇ, କେ ଆଦି ଭିଟାମିନ୍‌ ଓ ଖଣିଜ ଲବଣ ଗଚ୍ଛିତ ରଖି ଏହାକୁ ପରିଚାଳନା କରିବା ଦାୟିତ୍ୱ ମଧ୍ୟ ଯକୃତ୍‌ର।
ଯକୃତ୍‌ର ପ୍ରମୁଖ କାର୍ଯ୍ୟ ହେଉଛି ଏହା ଶରୀରର ରକ୍ତରୁ ରାସାୟନିକ ଓ ବିଷାକ୍ତ ପଦାର୍ଥକୁ ଛାଣି ତାହାକୁ ପରିସ୍ରା ବା ପିତ୍ତ ଆକାରରେ ବାହାରକୁ ନିର୍ଗମନ କରିଥାଏ। ଶରୀରରୁ ବାହାରୁଥିବା ଆମୋନିଆ ନାମକ ବିଷାକ୍ତ ବର୍ଜ୍ୟ ପଦାର୍ଥକୁ ଏହା ୟୁରିଆରେ ପରିଣତ କରେ। ପରବର୍ତ୍ତୀ ସମୟରେ ସେ ସବୁ ବୃକ୍‌କ ବା କିଡ୍‌ନୀ ଦ୍ୱାରା ଅଲଗା ହୋଇ ପରିସ୍ରାରେ ବାହାରକୁ ଆସିଥାଏ। ସବୁଠାରୁ ରୋଚକ କଥା ହେଉଛି ଆମ ଶରୀରର ଅନ୍ୟ ଅଙ୍ଗ ଯେପରି ଖରାପ ହେଲେ ମରାମତି ବା ବିଶ୍ରାମ ଦରକାର ପଡ଼ିଥାଏ, କିନ୍ତୁ ଯକୃତ୍‌ର କାର୍ଯ୍ୟପଦ୍ଧତି ସମ୍ପୂର୍ଣ୍ଣ ଅଲଗା। ଏହାର ପୁନଃ ବୃଦ୍ଧିଶୀଳ କ୍ଷମତା ଥିବାରୁ ଯକୃତ୍‌ ଆଘାତପ୍ରାପ୍ତ ହେଲେ କିମ୍ବା କ୍ଷତିଗ୍ରସ୍ତ ହେଲେ ଏହା ସ୍ବତଃ ନିଜର ମରାମତି କରିଥାଏ। ଯକୃତ୍‌ କ୍ଷତିଗ୍ରସ୍ତ ହେବାକୁ ଚିକିତ୍ସା ବିଜ୍ଞାନରେ ‘ହେପାଟାଇଟିସ୍‌’ କୁହାଯାଏ। ଏହି ହେପାଟାଇଟିସ ବା ଯକୃତ୍‌ ପ୍ରଦାହରେ ଲିଭର କୋଷ ପୁନର୍ବାର ସ୍ବାଭାବିକ ହୋଇ ନିଜ କାର୍ଯ୍ୟଧାରା ଆଗେଇ ନେଇଥାଏ। ଯକୃତ୍‌ ଆମ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗର ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ କରିଥାଏ। ତେଣୁ ଏହାକୁ ଆମ ଶରୀରର ପରୀକ୍ଷାଗାର କୁହାଯାଏ। ଏହା ଶରୀରରେ ସବୁଠୁ ଅଧିକ ଉତ୍ତାପ ତିଆରି କରୁଥିବା ଅଙ୍ଗ। ଚିକିତ୍ସା ବିଜ୍ଞାନ ଆଜି ଯକୃତ୍‌ ଅଧ୍ୟୟନ ଓ ଗବେଷଣାକୁ ନେଇ ଅନେକ ବାଟ ପର୍ଯ୍ୟନ୍ତ ପହଞ୍ଚତ୍ଛି। ଯକୃତ୍‌ ସମ୍ପର୍କରେ ଅଧ୍ୟୟନ ହେଉଛି ‘ହେପାଟୋଲୋଜି’। ମନେରଖିବା ଉଚିତ ଯେ, ଶରୀରର ସୁସ୍ଥତା ପାଇଁ ସୁସ୍ଥ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ଯକୃତ୍‌ ଅପରିହାର୍ଯ୍ୟ। ସୁସ୍ଥ ଜୀବନର ମୂଳଦୁଆ ସୁସ୍ଥ ଯକୃତ୍‌ରୁ ଆରମ୍ଭ ହୋଇଥାଏ। ଯକୃତ୍‌ ଆମ ଶାରୀରିକ ଓ ପାରିପାର୍ଶ୍ୱିକ ଅବସ୍ଥା ସବୁକୁ ମସ୍ତିଷ୍କକୁ ଜଣାଇଥାଏ। ଆମେ ପ୍ରତିଦିନ ଯାହାସବୁ ଖାଦ୍ୟ ପାନୀୟ ଗ୍ରହଣ କରିଥାଉ ତାହା ଯକୃତ୍‌ରେ ହଜମ ହୋଇ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଶରୀରକୁ ନୀରୋଗ, ସୁସ୍ଥ ଓ ସକାରାତ୍ମକ ରଖିବା ପାଇଁ ରୋଗ ପ୍ରତିରୋଧକ ଶକ୍ତିକୁ ଯକୃତ୍‌ ନିୟନ୍ତ୍ରଣ କରେ। ତେଣୁ ଆମମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହେଉଛି ଯକୃତ୍‌ର ଭଲମନ୍ଦ ସବୁ ବୁଝି ତାହାର ଦେଖାରଖା କରିବା। ଦେଖନ୍ତୁ, ମାତ୍ର ଗୋଟିଏ କିଲୋ ଓଜନର ଛୋଟିଆ ଯକୃତଟିର କେତେ ଯେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭୂମିକା ସବୁ ରହିଛି।

ଡା. ଉମେଶ ଚନ୍ଦ୍ର ପାତ୍ର

ମୋ : ୯୪୩୭୦୫୧୯୫୭

 

Dharitri – Odisha’s No.1 Odia Daily

Share